ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣପୁରର ସ୍ଥାନୀୟ ଷ୍ଟେସନ ଛକରେ ବେଆଇନ ଭାବେ ଜବରଦଖଲ କ୍ରମେ ଗଢି ଉଠିଥିବା ଆମିଷ ବଜାର ଏବେ ବଡ ସମସ୍ଯା ହୋଇଛି। ଗୋଟିଏ ଛୋଟିଆ ମାଛ ଦୋକାନ ପରେ ମାଂସ ଦୋକାନ ଟିଏ ଓ ତାକୁ ଲାଗିକରି ଶୁଖୁଆ ଦୋକାନ ପରେ ଏବେ ଧାଡିବାନ୍ଧି ମୁଖ୍ଯ ରାସ୍ତାର ଦୁଇ ପାର୍ଶ୍ବରେ ଗଢି ଉଠିଥିବା ଆମିଷ ବଜାର ସକାଳ ହେଲେ ନେଇ ଟ୍ରାଫିକ ସମସ୍ଯା ତିଆରି କରୁଛି। ପରିସ୍ଥିତି ଏମିତି ହେଲେଣି ଯେ ଏହି ଜବର ଦଖଲ ଆମିଷ ବଜାର ଯେମିତିକି ପ୍ରତେକ ମୁହୁର୍ତ୍ତରେ ଦୁର୍ଘଟଣା କୁ ଡାକିକି ରହିଛି। ସହରର ପୁରୁଣା ବଜାରରେ ପୌର ପରିଷଦର ଗୋଟିଏ ଆମିଷ ବଜାର ରହିଥିବା ବେଳେ ଷ୍ଟେସନ ଛକରେ ଗଢି ଉଠିଛି ଆଉଏକ ଆମିଷ ବଜାର। ବଳରାମ ନଗର ଠାରୁ ଆରମ୍ଭ କରି ଢେପ,ଶାନ୍ତି ନଗର, ମରାଠିଗୁଡା, ବାବୁଲି ନଗର ଇତ୍ଯାଦି ଅଞ୍ଚଳ ବାସି ଏହି ବଜାର ଉପରେ ନିର୍ଭର କରୁଛନ୍ତି। ଫଳରେ ସକାଳ ପାଇଲେ ଅଧା ସହର ବାସି ନିର୍ଭର କରୁଥିବା ଏହି ବଜାରରେ ରାସ୍ତା ଉପରେ ଗାଡି ଗୁଡାକ ରଖି ଗ୍ରାହକ ମାନେ ଆମିଷ କିଣୁଥିବା ଦେଖିବାକୁ ମିଳୁଛି। ଏମିତିକି ରାସ୍ତା ଉପରେ ଗାଡି ରଖି ଚାରି ପାଞ୍ଚଜଣ ଗ୍ରାହକ ଏକା ଜାଗାରେ ଛିଡାହୋଇ କଥାହବା ମଧ୍ଯ ଏଠିକାର ନିତି ଦିନିଆ ଘଟଣା ହୋଇ ସାରିଲାଣି। ଏହି ଛକରୁ ଗୋଟିଏ ପଟେ ବସଷ୍ଟାଣ୍ଡ ଯିବାକୁ ରାସ୍ତା ଲମ୍ବିଥିବା ବେଳେ ଅନ୍ଯ ରାସ୍ତାଟି ଷ୍ଟେସନ ପଟକୁ ଯାଇଛି। ସେହିପରି ମେଡିକାଲ ପଟକୁ ମଧ୍ୟ ଗୋଟିଏ ରାସ୍ତା ଲମ୍ବିଛି। ଏଣୁ ଦିନ ତମାମ ଏହି ଛକରେ ଟ୍ରାଫିକ୍ ଭିଡ ଲାଗି ରହୁଛି। ହେଲେ ରେଲୱେ ଜାଗା ଓ ପୁର୍ତ୍ତ ବିଭାଗର ରାସ୍ତା ଉପରେ ଜବର ଦଖଲ କ୍ରମେ ଗଢି ଉଠିଥିବା ଏହି ଆମିଷ ବଜାର ପାଇଁ ଟ୍ରାଫିକ୍ ସମସ୍ଯା ତିଆରି ହେଉଛି। ନିତିଦିନ ଏହି ରାସ୍ତା ଦେଇ ପୌର କର୍ତ୍ତୃପକ୍ଷ ଓ ପୋଲିସ କର୍ତ୍ତୃପକ୍ଷ ଯାତାୟତ କରିବା ସହ ଏହି ସମସ୍ଯାକୁ ଦେଖୁଛନ୍ତି। ହେଲେ ଏହାର ପ୍ରତିକାର ପାଇଁ କେହି ମନ ବଳାଉ ନାହାନ୍ତି। ଏଣୁ ଏହି ଆମିଷ ବଜାର ର ବିକ୍ରେତା ମାନଙ୍କୁ ଏଠାରୁ ଉଠାଯାଇ କେଉଁ ଗୋଟିଏ ସ୍ଥାନରେ ସହରର ଦ୍ବିତିୟ ଆମିଷ ବଜାର କରି ଥଇଥାନ କରିବା ସହ ଏଠାକାର ଟ୍ରାଫିକ୍ ସମସ୍ଯାରେ ସୁଧାର ଆଣିବା ଜରୁରୀ ହୋଇ ପଡିଛି।










