-
ଶ୍ରେଷ୍ଠ ପାଭିଲିୟନ ଭାବେ ଓଡ଼ିଶା ମଣ୍ଡପକୁ ସ୍ଵର୍ଣ୍ଣ
-
ବାଣ୍ଟିଲା ବସୁଧୈବ କୁଟୁମ୍ବକଂର ବାର୍ତ୍ତା, ବାଣିଜ୍ୟ ମାଧ୍ୟମରେ ଏକୀକୃତ କଲା ୫ ଲକ୍ଷ ଲୋକଙ୍କୁ
ନୂଆଦିଲ୍ଲୀ-୨୭/୧୧/୨୦୨୩ - ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ଵାରା ୪୨ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣକାରୀ ରାଜ୍ୟମାନଙ୍କର ପାଭିଲିୟନ ମଧ୍ୟରୁ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡିଶା ପାଭିଲିୟନକୁ ସ୍ଵର୍ଣ୍ଣ ପୁରସ୍କାରରେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନର ପରିସରରେରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ତରଫରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଏବଂ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନରର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ସିଂହ ଖରୋଲାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ପୁରସ୍କାର ପାଇବା ପାଇଁ ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି ବୋଲି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ତରଫରୁ ଗତକାଲି ସୂଚନା ମିଳିବା ପରେ, ଓଡ଼ିଶା ପାଭିଲିୟନରେ ଖୁସିର ଲହରୀ ଖେଳିଯାଇଥିଲା । ପରେ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବା ସହିତ ଅନ୍ୟ ରାଜ୍ୟ ପାଭିଲିୟନ୍ ଗୁଡିକ ମଧ୍ୟ ଓଡ଼ିଶା ପାଭିଲିୟନକୁ ଆସି ସେମାନଙ୍କର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ଚଳିତ ବର୍ଷର ବିଷୟବସ୍ତୁ “ବସୁଧୈବ କୁଟୁମ୍ବକମ୍, ୟୁନାଇଟେଡ୍ ବାଇ ଟ୍ରେଡ୍” ଆଧାରରେ ପ୍ରାଚୀନ କଳିଙ୍ଗର ଗୌରବମୟ ନୌବାଣିଜ୍ୟ ପରମ୍ପରା ଏବଂ ଉତ୍କଳୀୟ କଳାକୃତିକୁ ପ୍ରଗତି ମୈଦାନର ୨ ନମ୍ବର ହଲରେ ଜୀବନ୍ତ ଭାବେ ପ୍ରଦର୍ଶିତ କରିଥିବା ଓଡ଼ିଶା ପାଭିଲିୟନ ପ୍ରଥମ ଦିନରୁହିଁ ଦର୍ଶକମାନଙ୍କ ଅହେତୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଓଡିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ଓରମାସ, ମିଶନ ଶକ୍ତି, ହସ୍ତତନ୍ତ ଓ ବୟନ, ଓଡିଶା ମିଲେଟ ମିଶନ, ଅଣୁ-କ୍ଷୁଦ୍ର-ମାଧ୍ୟମ ଉଦ୍ୟୋଗ, ପର୍ଯ୍ୟଟନ, ଜନଜାତି ଉନ୍ନୟନ, ହସ୍ତଶିଳ୍ପ ଆଦି ୮ଟି ବିଭାଗ/ସହଯୋଗୀ ସଂସ୍ଥାମାନଙ୍କର ୨୪ ଟି ଷ୍ଟଲ ସ୍ଥାନ ପାଇଥିଲା । ନୌକାର ଡେକ ଓ ଷ୍ଟଲ ଉଭୟରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏବଂ ହସ୍ତଶିଳ୍ପୀମାନଙ୍କ ଦ୍ଵାରା ଉତ୍ପାଦିତ କରୁଣା ରେଶମ ବସ୍ତ୍ର ଏବଂ ସମ୍ବଲପୁରୀ, ଟସର, ଡ଼ଙ୍ଗରିଆ ଜନଜାତି ଶାଲ ଓ କୋଟପାଡ ହସ୍ତତନ୍ତ ଲୁଗା ସମେତ ଧାନ, କାଷ୍ଠ, ପ୍ରସ୍ତର, ସବାଇ ଘାସ, କାଇଞ୍ଚ, ଅଦରକାରୀ କାଗଜ ଆଦିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ଏବଂ ଲାଞ୍ଜିଆ ସଉରା ଚିତ୍ର କଳା, ରଘୁରାଜପୁର ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ ସହିତ ମିଲେଟ ଜାତୀୟ ବିଭିନ୍ନ ଖାଦ୍ୟଦ୍ରବ୍ୟ ଉପଲବ୍ଧ ମିଳୁଥିଲା ।
ଗତ ୧୪ ତାରିଖରେ ଓଡିଶାର ମାନନୀୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାର୍ବଜନୀନ ଉଦ୍ୟୋଗ ଏବଂ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ସୁଦୃଶ୍ୟ ଓଡ଼ିଶା ପାଭିଲିୟନକୁ ଉଦଘାଟନ କରିଥିବା ବେଳେ ଆଇ.ଟି.ପି.ଓ. ପରିସରସ୍ଥ ଆମ୍ଫି ଥିଏଟର-୧ରେ ଆୟୋଜିତ ଓଡ଼ିଶା ଦିବସ ରାଜ୍ୟ ଦିବସ ସମାରୋହରେ ମାନ୍ୟବର ପଞ୍ଚାୟତି ରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ବାଣିଜ୍ୟ ମେଳା ଅବଧିର ବିଭିନ୍ନ ଦିବସରେ ଖ୍ୟାତନାମା ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ଶ୍ରୀଯୁକ୍ତ ସୁଦର୍ଶନ ସାହୁ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ସୁଶୀଲ କୁମାର ଲୋହାନୀ ଓ ବିଶାଲ ଦେବ, ଓରମାସର ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ, ବୟନିକାର ପରିଚାଳନା ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ଆସାମର ଶିଳ୍ପମନ୍ତ୍ରୀ ଶ୍ରୀ ବିମଲ ବରୁଆ, ହିମାଚଳ ପ୍ରଦେଶର ଶିଳ୍ପ ମନ୍ତ୍ରୀ ଶ୍ରୀ ହର୍ଷ ବର୍ଦ୍ଧନ ଚୌହାନ, କେରଳ ରାଜ୍ୟପାଳଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଦେବେନ୍ଦ୍ର କୁମାର ଧୋଡାୱତ, ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ମହାନିର୍ଦ୍ଦେଶକ ଡଃ. ମୃତ୍ୟୁଞ୍ଜୟ ମହାପାତ୍ର, ପଶ୍ଚିମବଙ୍ଗର ଆବାସିକ ଆୟୁକ୍ତ ଶ୍ରୀମତୀ ଉଜ୍ଜୟିନୀ ଦତ୍ତ, ରାଜସ୍ଥାନର ଶିଳ୍ପ ବିଭାଗ ଯୁଗ୍ମ ଆୟୁକ୍ତ ଶ୍ରୀ ପି. ଏନ. ଶର୍ମା, ଝାଡଖଣ୍ଡର ନୃତତ୍ତ୍ଵ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର, ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ, ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ଶ୍ରୀ ପ୍ରସନ୍ନ କୁମାର ମହାନ୍ତି, ଏୟାର ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶିକା ଶ୍ରୀମତୀ ମିନାକ୍ଷୀ ମଲ୍ଲିକ, ଓଡ଼ିଶା ପର୍ଯ୍ୟଟନ ନିଗମର ମାନନୀୟ ଅଧ୍ୟକ୍ଷ ଡଃ. ଲେନିନ ମହାନ୍ତି, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ମାନନୀୟା ସମ୍ପାଦିକା କସ୍ତୁରୀ ମହାପାତ୍ରଙ୍କ ସମେତ କେନ୍ଦ୍ର ସରକାର, ଓଡିଶା ସରକାର, ଅନ୍ୟ ରାଜ୍ୟର ବରିଷ୍ଠ ପଦାଧିକାରୀ ଏବଂ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର ଉଚ୍ଚ ପଦାଧିକାରୀ ପ୍ରମୁଖ ଓଡ଼ିଶା ମଣ୍ଡପ ପରିଦର୍ଶନ କରି, ଏହାର ପରିକଳ୍ପନା, ନିର୍ମାଣ, ସାଜସଜ୍ଜା, କଳାକୃତିର ପରିସ୍ଫୁଟନ, ପରିଷ୍କାର ପରିଚ୍ଛନ୍ନତା, ଗ୍ରାହକ ଓ ତଥ୍ୟ ସଂଗ୍ରହକାରୀଙ୍କ ପ୍ରତି ଉତ୍କୃଷ୍ଟ ଆତିଥେୟତା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିଥିଲେ ।
ଗତ ୧୯ ତାରିଖ ଦିନ ପ୍ରଗତି ମୈଦାନର ଆମ୍ଫି ଥିଏଟରରେ ଆୟୋଜିତ ଓଡ଼ିଶା ରାଜ୍ୟ ଦିବସ ଅବସରରେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସ୍ଵତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା । ପରେପରେ, ଭୁବନେଶ୍ଵର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ଵାରା ଓଡିଶୀ, କୋରାପୁଟ ଜିଲ୍ଲା ବୈପାରିଗୁଡାର ଆଦର୍ଶ ଆଦିବାସୀ ନୃତ୍ୟକଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଧରୁଆ ଜନଜାତି ସଂପ୍ରଦାୟର ବିର୍ଲି ନୃତ୍ୟ, ବରଗଡ ବଉଳ ଝୁପା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଡାଲଖାଇ ନୃତ୍ୟ ସହିତ ଦେଶ ବିଦେଶରେ ହରହର ଶମ୍ଭୁ ଗୀତକୁ ନେଇ ଚର୍ଚ୍ଚିତ ଅଭିଲିପ୍ସା ପଣ୍ଡାଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ ।
ବିଗତ ୧୪ ଦିନ ମଧ୍ୟରେ ଓଡ଼ିଶା ମଣ୍ଡପକୁ ୫ ଲକ୍ଷ ଲୋକ ଆସିଥିବା ବେଳେ ପାଖାପାଖି ୭୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟବସାୟ ହୋଇଥିଲା । ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗ ତଥା ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ ଆୟୁକ୍ତ ଶ୍ରୀ ରବିକାନ୍ତ, ଉପାୟୁକ୍ତ ଶ୍ରୀ ସୁଧାଂଶୁ କୁମାର ମହାନ୍ତି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା ।
ଆଜିର ଏହି ପୁରସ୍କାର ଗ୍ରହଣ ଉତ୍ସବରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରଜତ ଅଗ୍ରୱାଲ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ପ୍ରକଳ୍ପ) ଶ୍ରୀ ମଥୁରା ପ୍ରସାଦଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ପ୍ରଦର୍ଶନୀ ଅଧିକାରୀ ଶ୍ରୀ ଦୀପକ କୁମାର ସାହୁ ଏବଂ ବାଣିଜ୍ୟ ମେଳା ପାଇଁ ନିୟୋଜିତ ସୂଚନା ଓ ଲୋକସମ୍ପର୍କ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଚଳିତ ବର୍ଷ ଓଡ଼ିଶାକୁ ପ୍ରାପ୍ତ ଆନୁମାନିକ ୫୫୦ ବର୍ଗ ମିଟର ସ୍ଥାନରେ ନିର୍ମିତ ଓଡ଼ିଶା ମଣ୍ଡପର ଡିଜାଇନ ପରିକଳ୍ପନା ଭୁବନେଶ୍ଵରର ଇମାଜେରି କରିଥିବା ବେଳେ କଟକର ଭାରତୀ ଚିତ୍ରାଳୟ ଅତି ନିଖୁଣ ଭାବେ ଏହାର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିଲେ ।








