ହେଡଲାଇନସ୍:

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଅନ୍ତିମ ଦିନରେ ରନ୍ଧନର ବିବିଧତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଶା ମିଲେଟ୍ସ ମିଶନ୍ ପକ୍ଷରୁ ଆୟୋଜନ କରାଯାଇଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ନଭେମ୍ବର ୧୦ ତାରିଖରେ ଅତ୍ୟନ୍ତ ସଫଳତାର ସହିତ ଶେଷ ହୋଇଛି । ସମ୍ମିଳନୀର ଅନ୍ତିମ ଦିବସରେ ରାଜ୍ୟସ୍ତରୀୟ ବିବିଧ ରନ୍ଧନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀମାନେ ମିଲେଟ୍ସ ଏବଂ ରନ୍ଧନ ସମ୍ପର୍କିତ ନିଜନିଜର ସୃଜନଶୀଳ ପ୍ରତିଭାକୁ ଅସ୍ତ୍ରକରି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । “ଜନଜାତି ଓ ଅନ୍ତର୍ଜାତୀୟ ଖାଦ୍ୟ” ଏହାର ଥିମ ରହିଥିବା ବେଳେ ପ୍ରତିଯୋଗୀମାନେ ସେମାନଙ୍କର ପ୍ରତିଭାର ପୂର୍ଣ୍ଣ ପ୍ରଦର୍ଶନ କରିବାକୁ ସୁଯୋଗ ପାଇଥିଲେ ।
ମିଲେଟ୍ସକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଓଡ଼ିଶା ମିଲେଟ୍ସ ମିଶନ୍ ପକ୍ଷରୁ ସମଗ୍ର ରାଜ୍ୟରେ ଏକ ରନ୍ଧନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରାଜ୍ୟବ୍ୟାପୀ ରନ୍ଧନ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ବିଜେତା ଘୋଷିତ ହୋଇଥିବା ୨୦ ଜଣ ପ୍ରତିଯୋଗୀଙ୍କୁ ନେଇ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଏକ ସ୍ୱତନ୍ତ୍ର ରନ୍ଧନ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା । ଏହା ପ୍ରତ୍ୟେକ ପ୍ରତିଯୋଗୀଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଥିଲା । ଭୁବନେଶ୍ୱରର ଇନଷ୍ଟିଚୁ୍ୟଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟେରିଂ ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ ନୁ୍ୟଟି୍ରସନ୍ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିଯୋଗୀ ତଥା ଦର୍ଶକମାନଙ୍କୁ ମିଲେଟ୍ସର ପୁଷ୍ଟିକର ଗୁଣ ଏବଂ ଏଥିରେ ଥିବା ଫାଇବର, ପ୍ରୋଟିନ ଏବଂ ମିନେରାଲ୍ସ ସମ୍ବନ୍ଧରେ ସଚେତନ କରାଯାଇଥିଲା ।
ପ୍ରତିଯୋଗିତା ପୂର୍ବରୁ ସମୁଦାୟ ୨୦ ଜଣ ପ୍ରତିଯୋଗୀଙ୍କୁ ପ୍ରଥମେ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା; ଯଥା- ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଛାତ୍ର ଗୋଷ୍ଠୀ । ଉଭୟ ଗୋଷ୍ଠୀରେ ୧୦ ଜଣ ପ୍ରତିଯୋଗୀ ରହିଥିଲେ ଏବଂ ସେମାନେ ଭଲଭାବରେ ଜାଣିଥିବା ଦୁଇ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବାକୁ ସେମାନଙ୍କୁ କୁହାଯାଇଥିଲା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବର୍ଗରେ ଶ୍ରୀମତି ବିନୋଦିନୀ ପ୍ରଧାନଙ୍କୁ ବିଜେତା ଘୋଷଣା କରାଯାଇଥିଲା । ଶ୍ରୀମତି ପ୍ରଧାନ “ଜୁଗାର (ଜହ୍ନା) ଜନଜାତି ଖାନା” ଏବଂ “ମାଣ୍ଡିଆ ଦୁଗ୍ଧ ସହ ପୋଡ଼ା ନୁଡୁଲ୍ସ” ପ୍ରସ୍ତୁତ କରିଥିଲେ । ଛାତ୍ର ବର୍ଗରେ ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ବିଜେତା ଘୋଷିତ ହୋଇଥିବା ବେଳେ ସେ ସେତାରିଆ “ଫୁ୍ୟଚର (ଜାପାନର ମିଲେଟ ସୁସି)” ଏବଂ “ମିଲେଟ୍ ଗଇଁଠା ପିଠା” ପ୍ରସ୍ତୁତ କରିଥିଲେ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଉଦ୍ୟାପନ ସମାରୋହ ଅବସରରେ ଉଭୟ ପ୍ରତିଯୋଗୀଙ୍କୁ ଟ୍ରଫି ତଥା ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।

ଏହିଭଳି ରନ୍ଧନ ପ୍ରତିଯୋଗିତାଗୁଡ଼ିକ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବାରେ ବେଶ୍ ସହାୟକ ହୋଇଥିଲା । ଶେଷ ଦିନର ଅନ୍ୟ ଏକ ଉଲ୍ଲେଖନୀୟ ଘଟଣା ଥିଲା ପ୍ରସିଦ୍ଧ ମାଷ୍ଟରସେଫ୍ ବିକାଶ ଖାନ୍ନାଙ୍କ ଲାଇଭ୍ କୁକିଂ ଶୋ । ମାଷ୍ଟରସେଫ୍ ବିକାଶ ଖାନ୍ନା ତାଙ୍କର ଲାଇଭ୍ କୁକିଂ ଶୋ’ରେ ମିଲେଟ୍ରେ ପାନ୍କେକ୍ ପ୍ରସ୍ତୁତ କରି ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ । ଓଡ଼ିଶା ମିଲେଟ୍ସ ମିଶନ୍ର ଏହି ସୃଜନଶୀଳ ପ୍ରୟାସ କେତେ ସଫଳ ତାହା ରନ୍ଧନ କାର୍ଯ୍ୟକ୍ରମଗୁଡ଼ିକରେ ସଂଯୁକ୍ତ ହୋଇ ଲୋକମାନେ ପ୍ରମାଣ କରିଦେଇଥିଲେ ।

0
0
0
s2sdefault