ହେଡଲାଇନସ୍:

"ଓଡ଼ିଶାର ଯୁବକ, ଯୁବତୀ ଧାରା ବାହିକ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତାରିତ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନଭେମ୍ବର ୧୪ ରୁ ୧୮ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ

  •  ଓଡ଼ିଶାରେ ଖଣି, ପାଣି, ଜଙ୍ଗଲ ଜମି, ପାନ ଓ ମୀନ ଥିଲେ ବି ଓଡ଼ିଆ ଯୁବକ ବେକାର

  •  ରାଜ୍ୟ ସରକାରଙ୍କ ଶିଳ୍ପ ନୀତି “ଶୋ ଚୁହା ଖା କେ ବିଲି, ଅବ୍ ହଜ୍‌କୋ ଚଲି” ଭଳି

  •  କୁଆଡେ ଗଲା ବିଜୁ ଯୁବବାହିନୀ?

  •  “ମେକ୍ ଇନ୍ ଓଡ଼ିଶା କନକ୍ଲେଭ” ନାଁରେ ଅବସର ବିନୋଦନ ନିନ୍ଦନୀୟ

  •  ରାଜ୍ୟ ସରକାର ଓଡ଼ିଶାର ଯୁବକ ଯୁବତୀଙ୍କ ବର୍ତମାନ ଓ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି

ଭୁବନେଶ୍ୱର,ତା.୧୧/୧୧: ଓଡ଼ିଶାର ସ୍ଥିତି ଓ ଗତି କେଉଁଆଡେ ଯାଉଛି ତାହା ଓଡ଼ିଶାବାସୀ ବେଶ୍ ଭଲଭାବେ ଜାଣିଛନ୍ତି । ୨୩ବର୍ଷର ନବୀନ ସରକାର ସବୁ କ୍ଷେତ୍ରରେ ପଛୁଆ ଥିବାବେଳେ ପ୍ରଚାର ପ୍ରସାରରେ ଆଗୁଆ ରହିବା ଦୁର୍ଭାଗ୍ୟ ଜନକ । ଓଡ଼ିଶାରେ ଖଣି, ପାଣି, ଜଙ୍ଗଲ ଜମି, ପାନ ଓ ମୀନ ଥିଲେ ବି ଓଡ଼ିଆ ଯୁବକ ବେକାର ହୋଇ କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶାରେ କୌଣସି ଶିଳ୍ପ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଏଯାଏଁ ହୋଇନାହିଁ । ଆମେ ଗର୍ବ କରିବା କଥା କି ଓଡ଼ିଶାରେ ୪୮୭କିମିର ବିସ୍ତିର୍ଣ୍ଣ ବେଳାଭୂମି ଥିବାବେଳେ ୧୮୧୦ ନିୟୁତ ଟନ୍‌ର ବକ୍ସାଇଟି, ୫୧୫୩ ନିୟୁତ ଟନ ଲୁହାପଥର, ୧୭୪ ନିୟୁୁତ ଟନ୍‌ର କ୍ରୋମାଇଟ୍‌, ୬୫,୦୦୦ନିୟୁତ ଟନ୍‌ର କୋଇଲା, ୧୭୪ନିୟୁତ ଟନ୍‌ର ମାଙ୍ଗାନିଜ୍‌, ୫୮ଲକ୍ଷ ହେକ୍ଟରର ଜଙ୍ଗଲ, ୬୧ଲକ୍ଷ ହେକ୍ଟରର ଚାଷ ଜମି ଥାଇ ମଧ୍ୟ ଓଡ଼ିଶାରେ ଶିଳ୍ପର ବିକାଶ ନହେବା ଦୁର୍ଭାଗ୍ୟ ଜନକ । ଯଦି ଆଂଚଳିକ ଦଳ ଶାସନ କରୁଥିବା ରାଜ୍ୟ କଥା ବିଚାରକୁ ନେବା ତେବେ ତାମିଲନାଡୁରେ ସର୍ବାଧିକ ୩୮,୧୩୧ଟି କାରଖାନା ଥିବାବେଳେ ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟ ଗୁଜୁରାଟରେ ୨୬,୮୪୨ଟି କାରଖାନା ରହିଛି । କିନ୍ତୁ ଦୁର୍ଭାଗ୍ୟର କଥା ଆଉ ୧୨-୧୩ବର୍ଷ ଗଲେ ଆମ ଓଡ଼ିଶା ୧୦୦ବର୍ଷରେ ପଦାର୍ପଣ କରିବ, କିନ୍ତୁ ଏଠାରେ ମାତ୍ର ୩,୦୬୩ଟି ବୃହତ, ମଧ୍ୟମ ଓ କ୍ଷୁଦ୍ର କାରଖାନା ରହିଛି । ରାଜ୍ୟରେ ଥିବା ୧୩ଟି ସୁତାକଳ ବନ୍ଦ କରିଦେଲେ । ୪ଟା ଚିନି କଳ ବନ୍ଦ କରିଦେଲେ, ୧୦ଟା ପାୱାରଲୁମ୍ ବନ୍ଦ କରିଦେଲେ । ଓଟିଏମ୍‌, ବିଟିଏମ୍‌, କୋଣାର୍କ ଟିଭି, ଝୋଟକଳ ଇତ୍ୟାଦି ତମାମ ଶିଳ୍ପ ବନ୍ଦ କରିଥିବା ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାହୁ କହିଛନ୍ତି ଯେ, ଓଡ଼ିଶାରରେ ଶିଳ୍ପାୟନ ନାମରେ ୨୦୧୬ ମସିହାରେ “ମେକ୍ ଇନ୍ ଓଡ଼ିଶା” ନାଁରେ ଶାସକ ଦଳର ନେତା,ମନ୍ତ୍ରୀ, ଅଫିସରମାନେ ବିନୋଦନ ପାଇଁ ବାଙ୍ଗାଲୋର, ଦୁବାଇ, ସିଙ୍ଗାପୁର, ଜାପାନ ଭ୍ରମଣରେ ଯିବା ଅର୍ଥ “ଶୋ ଚୁହା ଖା କେ ବିଲି, ଅବ୍ ହଜ୍‌କୋ ଚଲି” ଭଳି । ଓଡ଼ିଶାର ସାଧାରଣ ଲୋକଙ୍କ ଟିକସରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି “ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ” କରାଗଲା କିନ୍ତୁ ବାସ୍ତବ ଚିତ୍ର ହେଲା ୨୦୧୬ ପରଠାରୁ ଏପର୍ଯ୍ୟନ୍ତ ମାତ୍ର ୪୧ ଜଣ ଶିଳ୍ପପତିମାନେ ଓଡ଼ିଶାରେ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ନିଜେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଳିକ ବିଧାନସଭାରେ ତଥ୍ୟ ରଖିଛନ୍ତି । “ମେକ୍ ଇନ୍ ଓଡ଼ିଶା”ରେ ୨୦୧୬ ପରେ ୨ଜଣ ଶିଳ୍ପପତି, ୨୦୧୮ ପରେ ୩୭ଜଣ ଶିଳ୍ପପତି ଓ ୨୦୨୨ ପରେ ୨ଜଣ ଶିଳ୍ପପତି ଓଡ଼ିଶାରେ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
ସେହିଭଳି ଆଇଟି ସଂସ୍ଥା ଗୁଡିକୁ ୨୨୮.୯୮୮ଏକର ଜମି ଯୋଗାଇ ଦିଆଯାଇଛି କିନ୍ତୁ ସେଠାରେ ଓଡ଼ିଆ ଯୁବକ ଯୁବତୀଙ୍କୁ ଚାକିରୀ ମିଳୁନି ଯାହା ମିଳୁଛି ତାହା ଅତି ନଗଣ୍ୟ । ଓଡ଼ିଶାରେ ଶିଳ୍ପ ବିକାଶ ନହେବା କାରଣରୁ ବେକାରୀ ସମସ୍ୟା ଉତ୍କଟରୁପ ଧାରଣ କଲାଣି । ରାଜ୍ୟରେ କୌଣସି ନିଯୁକ୍ତିର ସୁବିଧା ନଥିବା କାରଣରୁ ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀ ନିଜ ଯୋଗ୍ୟତା ଅନୁସାରେ ଚାକିରୀ ପାଇଁ ଆନ୍ଧ୍ରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡୁ ଓ ଉତରପ୍ରଦେଶ ଚାଲିଯାଉଛନ୍ତି । ବାକି ଯେଉଁମାନେ ରହିଲେ ସେମାନେ କଲିକତାରେ ମୁଲିଆ, ଆନ୍ଧ୍ରରେ ଇଟା ଶ୍ରମିକ, ସୁରଟରେ ସୁତା ଶ୍ରମିକ । ରାଜ୍ୟରେ ୩୧ଡିସେମ୍ବର ୨୦୨୨ସୁଦ୍ଧା ଏମ୍ପେ୍ଲାଏମେଂଟ ଏକ୍ସଚେଞ୍ଜ ଅଫିସରେ ୮,୯୮,୭୧୭ ଜଣ ନାମ ପଞ୍ଜିକୃତ କରିଥିଲାବେଳେ ୦୩ ଅକ୍ଟୋବର ୨୦୨୩ ବେଳକୁ ତାହା ବଢ଼ି ୧୧,୦୬,୫୩୬ରେ ପହଂଚିଥିଲା । କିନ୍ତୁ ରାଜ୍ୟ ସରକାର ୨୦୧୯ରୁ ୨୦୨୩ଜୁନ୍ ମଧ୍ୟରେ ୫ବର୍ଷରେ ମାତ୍ର ୧୮୬୬ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ନିଜେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ବିଧାନସଭାରେ ତଥ୍ୟ ରଖିଛନ୍ତି । ଆଜି ମଧ୍ୟ ରାଜ୍ୟରେ ୧,୮୫,୦୦୦ରୁ ଊର୍ଦ୍ଧ୍ୱ ସରକାରୀ ପଦବୀ ଖାଲି ପଡିଛି । ରାଜ୍ୟ ସରକାର ବେକାର ଯୁବକ ଯୁବତୀକୁ ନିଯୁକ୍ତି ଦେବା ପରିବର୍ତେ ପ୍ରାୟ ୫୦,୦୦୦ରୁ ଊର୍ଦ୍ଧ୍ୱ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପୁନଃଥଇଥାନ କରିବା ଓଡ଼ିଶାର ଯୁବକ ଯୁବତୀମାନଙ୍କ ପ୍ରତି ଅଟ୍ଟହାସ୍ୟ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ଗତ ୬ମାସ ଭିତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୧୦ଟି ବିଭାଗରେ କେତେ ପଦବୀ ଖାଲି ଅଛି ସେ ସମ୍ପର୍କିତ ତଥ୍ୟ ଦେବାକୁ ୭ଥର ଚିଠି ଳେଖା ସରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି । କରୋନା ସମୟରେ ୧୦,୬୭,୪୯୬ଜଣ ଶ୍ରମିକ ରାଜ୍ୟକୁ ଫେରି ଆସିଥିଲେ । ରାଜ୍ୟ ସରକାର ସେମାନଙ୍କ ସ୍କିଲ ମ୍ୟାପିଂ କରି ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, କିନ୍ତୁ ଦୁର୍ଭାଗ୍ୟର ବିଷୟ ମାତ୍ର ୪,୮୪୩ଜଣଙ୍କୁ ଛୋଟ ମୋଟ କାମ ଯୋଗାଇ ଦେବାରେ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର । ୨୦୧୬ରେ ରାଜ୍ୟ ସରକାର ଘୋଷଣା କରିଥିଲେ କି, ରାଜ୍ୟର ପ୍ରତି ପଂଚାୟତରୁ ବର୍ଷକୁ ୧୫୦ଜଣ ଯୁବକ ଯୁବତୀଙ୍କୁ ଧନ୍ଦାମୂଳକ ଟ୍ରେନିଂ ଦେଇ ନିଯୁକ୍ତି ଦେବା ପାଇଁ । ଆଜି ପର୍ଯ୍ୟନ୍ତ କେତେ ଜଣଙ୍କୁ ଟ୍ରେନିଂ ଓ ନିଯୁକ୍ତି ଦେଇଛନ୍ତି? ନିଯୁକ୍ତି ମେଳା ନାମରେ ୬ଲକ୍ଷ ୫୦ହଜାର ଯୁବକ ଯୁବତୀଙ୍କୁ ଚାକିରୀ ଦେବା ପାଇଁ ରେଜିଷ୍ଟେସନ ବାବଦକୁ ୧୦୦ଟଙ୍କା ଲେଖାଏଁ ନେଇଥିଲେ । ସେଥିରୁ କେତେ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର? ଯୁବନୀତି ନାମରେ ୪୫୦କୋଟି ଟଙ୍କାର ଯୁବବାହିନୀ ଗଢ଼ିଥିଲେ । ପରେ ପୁଣି ୧୦୦କୋଟି ଟଙ୍କାର ବ୍ୟୟବରାଦ ସହିତ ସିଙ୍ଗାପୁର ନେଇଥିଲେ ବୁଲେଇବାକୁ ରାଜ୍ୟ ସରକାର । ଏଥିରୁ ସୁଫଳ କ’ଣ ମିଳିଲା? ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ବର୍ତମାନ ସୁଦ୍ଧା କେତେ ଜଣ ଯୁବକଯୁବତୀ ପଞ୍ଜିକୃତ ହୋଇ ତାଲିମ୍ ନେଉଛନ୍ତି? ବାସ୍ତବ କଥା ହେଉଛି ରାଜ୍ୟ ସରକାର ଓଡ଼ିଆ ଯୁବକ ଯୁବତୀଙ୍କ ସହିତ ପ୍ରତାରଣା କରିଛନ୍ତି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ଓଡ଼ିଶାରେ ନିଯୁକ୍ତିର ଅବସ୍ଥା କ’ଣ ଅଛି ତାହା ଇପିଏଫଓ ସଂସ୍ଥାଙ୍କ ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି । ୨୦ ଏପ୍ରିଲ ୨୦୨୩ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ୨,୯୧,୮୧୮, ତାମିଲନାଡୁରେ ୧,୧୨,୬୦୦, କର୍ଣ୍ଣାଟକରେ ୧,୩୨,୧୫୨, ତେଲେଙ୍ଗାନାରେ ୭୯,୭୦୦ ନିଯୁକ୍ତି ପାଇଥିଲା ବେଳେ ଓଡ଼ିଶାରେ ମାତ୍ର ୧୭,୪୫୯ଜଣ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ, ନିଯୁକ୍ତି ମେଳା, ଦକ୍ଷତା ବିକାଶ ଟ୍ରେନିଂ, ଯୁବନୀତି ଇତ୍ୟାଦି ନିର୍ବାଚନୀ ଧୂଆଁ ବାଣ ଥିଲା । ରାଜ୍ୟ ସରକାର ଓଡ଼ିଶାର ଯୁବକ ଯୁବତୀଙ୍କ ବର୍ତମାନ ଓ ଭବିଷ୍ୟତକୁ କିପରି ଅନ୍ଧାରକୁ ଠେଲି ଦେଇଛନ୍ତି, ଏସମସ୍ତ କଥାକୁ ନେଇ ଭାରତୀୟ ଜନତା ପାର୍ଟି ସମସ୍ତ ବ୍ଲକ ଓ ମ୍ୟୁନିସପାଲଟି ସମ୍ମୁଖରେ ଆସନ୍ତା ନଭେମ୍ବର ୧୪ ରୁ ୧୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ଦୋଳନରେ ପ୍ରସଙ୍ଗ କରିବ । ଓଡିଶାର ସବୁ ଯୁବକ ଯୁବତୀଙ୍କୁ ଅନୁରୋଧ କରୁଛୁ ସ୍ୱତଃ ଏହି ଆନ୍ଦୋଳନରେ ଯୋଗ ଦିଅନ୍ତୁ ଓ ନିଜ ଅଧିକାର ପାଇଁ ନିଜେ ଲଢ଼ୁନ୍ତୁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ଏହି ଅବସରରେ ରାଜ୍ୟ ମହିଳାମୋର୍ଚ୍ଚାର ଗଣମାଧ୍ୟମ ସଂଯୋଜିକା ଶ୍ରୀମତୀ ତୃପ୍ତିମୟୀ ମକଦ୍ଦମ, ଶ୍ରୀ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault