ହେଡଲାଇନସ୍:

ଚାଲିଗଲେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ  ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଗଭୀର ଶୋକ

ପୁରୀ (ଅନିମେଶ ପଟ୍ଟନାୟକ):  ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ, ପୁରୀ ରାଜନୀତିର ଚାଣକ୍ଯ ତଥା ବିଜେଡିର ଜନ ପ୍ରିୟ ନେତା ମହେଶ୍ବର ମହାନ୍ତିଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର କେୟାର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶ୍ରୀ ମହାନ୍ତିଙ୍କ ଦେହାନ୍ତ ୬୭ ବର୍ଷ ବୟସରେ ହୋଇଯାଇଛି | ତାଙ୍କ ବିୟୋଗ ରାଜନୈତିକ ମହଲରେ ସର୍ବୋପରି ପୁରୀରେ ଶୋକର ଛାୟା ଖେଳିଯାଇଛି । ଜଣେ ବିକସିତ ପୁରୀର ବିନ୍ଧାଣିଙ୍କୁ ହରେଇ ପୁରୀ ମୁରବୀ ଶୁନ୍ୟ ହୋଇଯାଇଥିବାର କୁହାଯାଉଛି । ମହେଶ୍ବରଙ୍କ ଜନ୍ମ ଫେବୃଆରି ୧୯୫୬ ମସିସାରେ । ୧୯୮୫ ମସିହାରୁ ରାଜନୀତିରେ ସଫଳତା ପରେ ସେ ଆଉ ପଛକୁ ଫେରି ଛାହିଁ ନାହାନ୍ତି । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ ।  ପଞ୍ଚାୟତିରାଜ, ରାଜସ୍ୱ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ମହେଶ୍ବର। ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇଥିଲେ ।
ଗତ ନିର୍ବାଚନରେ ପରାଜିତ ହେବ ପରେ ବି ରାଜନୀତିରେ ସକ୍ରିୟ ଥିଲେ | ଗତ ୧ ତାରିଖରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ସାରି ବିଳମ୍ବିତ ସଂଧ୍ୟାରେ ସେ ଘରକୁ ଫେରିଲା ପରେ ଭୀଷଣ ଅସୁସ୍ଥ ଅନୁଭବ କରି ସଂଜ୍ଞାହୀନ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଭୁବନେଶ୍ୱର ଅଣାଯାଇ କେୟାର ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଆଇସିୟୁର ରହି ଚିକିତ୍ସିତ ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା |
ଜଣେ ଉଚ୍ଚଶିକ୍ଷିତ ରାଜନେତା ତଥା ଦକ୍ଷ ସଂଗଠକ ଭାବେ ଜଣାଶୁଣା ମହେଶ୍ୱର ୧୯୫୬ ମସିହାରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ ଓ ପୁରୀ ଏସସିସି କଲେଜର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ । ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ଏମଏ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୭୮ ମସିହାରେ ସେ ପୁରୀ ଏନଏସିରୁ କାଉନସିଲର ଭାବେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୮୫ରୁ ୧୯୯୦ ଏବଂ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଦୁଇଥର ସେ ପୁରୀ ପୌରସଂସ୍ଥାରର ଅଧ୍ୟକ୍ଷ ଥିଲେ ।
୧୯୯୫ ମସିହାରେ ଜନତା ଦଳ ଟିକେଟରେ ପ୍ରଥମ ଥର ପାଇଁ ପୁରୀରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ୨୦୦୦ ମସିହାରୁ ସେ ୨୦୧୯ ପର୍ଯ୍ୟନ୍ତ ଏହିଭଳି ୫ ଥର ସେ ଲଗାତର ପୁରୀ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଓ ପରେ ପରେ ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ଶ୍ରୀ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ସେ କହିଛନ୍ତି ଯେ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ । ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

"ଶ୍ରୀ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜ୍ୟ ରାଜନୀତିରେ ସେ ଜଣେ କୁଶଳୀ ରାଜନେତା ଥିଲେ । ବିଶେଷ ଭାବରେ ଲମ୍ବା ସମୟ ଧରି ଜନପ୍ରତିନିଧି ଭାବରେ ପୁରୀବାସୀଙ୍କ ପାଇଁ ସେ କରିଥିବା କାର୍ଯ୍ୟ ସବୁ ଦିନ ପାଇଁ ମନେରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।" ବୋଲି ନିଜ ଶୋକବାର୍ତ୍ତାରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ | "ସ୍ୱର୍ଗୀୟ ମହେଶ୍ୱର ମହାନ୍ତିଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ ଘନିଷ୍ଠ ଥିଲା । ମୁଁ ତାଙ୍କ ଠାରୁ ୨୦୦୪ ମସିହାରେ ଓଡ଼ିଶା ବିଧାନସଭାର ସମ୍ମାନଜନକ “ଉତ୍କଳମଣି ଗୋପବନ୍ଧୁ ପ୍ରତିଭା - ୨୦୦୩” ପୁରସ୍କାର ଗ୍ରହଣ କରିଥିଲି । ତାଙ୍କ ସହ ଥିବା ମୋର ସ୍ମୃତି ସ୍ମରଣୀୟ ହୋଇରହିବ ।" ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ |
ଶ୍ରୀ ମହାନ୍ତିଙ୍କ ବିୟୋଗରେ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି | ଏକ ଶୋକ ବାର୍ତ୍ତା ରେ ସେ କହିଛନ୍ତି ଯେ "ମହେଶ୍ବର ମହାନ୍ତିଙ୍କ ଦୀର୍ଘ ଦିନର ରାଜ ନୈତିକ ଯାତ୍ରା ଥିଲା ବେଶ ଘଟଣା ବହୁଳ ଓ ଅବିସ୍ମରଣୀୟ l 5 ଥର ବିଧାୟକ ଭାବେ ନିର୍ବାଚିତ ହେଵା ତାଙ୍କ ଜନପ୍ରିୟତାର ପ୍ରମାଣ ଥିଲା l ବହୁ ବିଭାଗର ମନ୍ତ୍ରୀଭାବେ ଓ ବିଧାନସଭାର ବାଚସ୍ପତି ରୂପେ ସେ ଦକ୍ଷତାର ପରିଚୟ ଦେଇଥିଲେ l ସେ ଥିଲେ ମୋର ଅଗ୍ରଜ ପ୍ରତିମ l ତାଙ୍କ ବିୟୋଗରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ଏକ ଦାରୁଣ ଓ ଅପୂରଣୀୟ କ୍ଷତି ହୋଇଛି | ମୁଁ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସଂଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି l"

ଶ୍ରୀ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ସମବାୟ , ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ। ଶ୍ରୀ ମହାନ୍ତିଙ୍କ ଅକାଳ ବିୟୋଗରେ ସେ ଗଭୀର ମର୍ମାହତ ବୋଲି କହିବା ସହ ପୁରୀ ଜିଲ୍ଲା ତଥା ସମଗ୍ର ଓଡିଶାର ଉନ୍ନତି ପାଇଁ ତାଙ୍କର ଉଦ୍ୟମ ଏବଂ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ନିଜ ଶୋକବାର୍ତ୍ତାରେ କହିଛନ୍ତି | ଶ୍ରୀ ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମନ୍ତ୍ରୀ ଶ୍ରୀ ନାୟକ |

ଶ୍ରୀ ମହାନ୍ତିଙ୍କ ବିୟୋଗରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ କେବଳ ପୁରୀ ନୁହଁ ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ଶ୍ରୀ ଅମାତ ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ବରିଷ୍ଠ ରାଜନେତା ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପରଲୋକରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକବ୍ୟକ୍ତ କରିଛନ୍ତି l ସ୍ବର୍ଗତ ମହାନ୍ତିଙ୍କ ଲୋକପ୍ରିୟତା, ପୁରୀ ତଥା ରାଜ୍ୟର ବିକାଶରେ ତାଙ୍କର ଉଦ୍ୟମ ଏବଂ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିବା ସହ ଦିବଂଗତ ଅମର ଆତ୍ମାର ସଦଗତି କାମନା ପୂର୍ବକ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି ଙ୍କ ବିୟୋଗରେ ମହିଳା ଶିଶୁ ବିକାଶ ବିଭାଗ , ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ମତ ପ୍ରକାଶ କରିଛନ୍ତି । ଶ୍ରୀମତୀ ହେମ୍ବ୍ରମ ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି

ଶ୍ରୀ ମହାନ୍ତିଙ୍କ ବିୟୋଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ଗଭୀର ଶୋକ ପ୍ରକାଶ । ଜଣେ ସ୍ପଷ୍ଟବାଦୀ, ବରିଷ୍ଠ ରାଜନେତା, ପ୍ରଭାବଶାଳୀ ନେତା ଭାବେ ମହେଶ୍ବର ମହାନ୍ତିଙ୍କ ସୁନାମ ରହିଥିଲା । ଦକ୍ଷ ସଂଗଠକ ଭାବେ ତାଙ୍କର ଭୂମିକା ସର୍ବଦା ଜନସାଧାରଣରେ ଜୀବନ୍ତ ରହିବ । ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଓ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି।

ଶ୍ରୀ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ | ଏକ ଶୋକ ବାର୍ତ୍ତାରେ ଶ୍ରୀ ମଙ୍ଗରାଜ କହିଛନ୍ତି " ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଏବଂ ପୁରୀର ପାଞ୍ଚ ଥର ବିଧାୟକ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ । ଶ୍ରୀ ମହାନ୍ତିଙ୍କ ବିୟୋଗ ଏକ ଯୁଗର ଅବସାନ ସଦୃଶ | ସମଗ୍ର ପୁରୀ ଜିଲ୍ଲା ତଥା ଆମ ଦଳ ଆଜି ଏକ ବରିଷ୍ଠ ନେତାଙ୍କୁ ହରାଇଲେ | ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାରେ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ହୃଦୟରୁ ସମବେଦନା | ପରିତ୍ୟକ୍ତ ପ୍ରାଣ ପାଇଁ ପ୍ରାର୍ଥନା |"

"ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ ।" ବୋଲି ଶ୍ରୀ ମହାନ୍ତିଙ୍କ ଦେହାନ୍ତରେ ଏକ ଶୋକବାର୍ତ୍ତାରେ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା | ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶ୍ରୀ ପଣ୍ଡା ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ବିୟୋଗରେ ଓଡିଶା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

0
0
0
s2sdefault