ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭର୍ଚୁଆଲ ମୋଡ଼ରେ ୨୦ ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ)ମାନଙ୍କର ନିଯୁକ୍ତି ପ୍ରକି୍ରୟାକୁ ସ୍ୱଚ୍ଛତା ଭିତ୍ତିରେ କରାଯିବା ସମ୍ପର୍କରେ ଏକ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ପ୍ରକି୍ରୟା ନିମନ୍ତେ ୩୦ଟି ଜିଲ୍ଲାର ୫୮ଟି ପରୀକ୍ଷା କେନ୍ଦ୍ରମାନଙ୍କରେ ସି.ବି.ଟି.ପରୀକ୍ଷା ଚଳିତ ନଭେମ୍ବର ମାସ ୩ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ମୋଟ ୭ ଦିନ ହେବ । ଜିଲ୍ଲାସ୍ତରର ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିର ସଠିକ୍ ବିବରଣୀ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ଉଦ୍ବୋଧନ ଦେଇ ପରୀକ୍ଷାକୁ ଶାନ୍ତି ଶୃଂଖଳାର ସହିତ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପରୀକ୍ଷା କେନ୍ଦ୍ରର ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି । ପ୍ରତ୍ୟେକ ଜିଲ୍ଲାର ପୋଲିସ ଅଧିକାରୀ ପରୀକ୍ଷା କେନ୍ଦ୍ରରେ ପୋଲିସ୍ ଡିପ୍ଲୋମେଣ୍ଟ ନିମନ୍ତେ ପଦକ୍ଷେପ ନେଇଛନ୍ତି ।
ରାଜ୍ୟସ୍ତରରେ ବିଭାଗର ଏବଂ ଅନ୍ୟ ନିର୍ଦ୍ଦେଶାଳୟର ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ଅଧିକାରୀମାନେ ପରୀକ୍ଷା ଦିନମାନଙ୍କରେ ଜିଲ୍ଲା ଗସ୍ତ କରିବା ସହ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଶାନ୍ତିଶୃଙ୍ଖଳା ସହିତ ପରୀକ୍ଷା କରାଯିବ ତାହା ତଦାରଖ କରିବେ । ଉକ୍ତ ପରୀକ୍ଷା ନିମନ୍ତେ ପିଲାମାନଙ୍କର ଆଡ୍ମିଟ୍ କାର୍ଡ ସମସ୍ୟାର ସମାଧାନ ପାଇଁ ଓସେପାରେ ଏକ ସୁବିଧା କେନ୍ଦ୍ର ଖୋଲାଯାଇଛି । ଏତଦ୍ବ୍ୟତୀତ ୪ଟି ସହର ଯଥା- ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଓ କୋରାପୁଟ ଜିଲ୍ଲାରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସହାୟକ କେନ୍ଦ୍ର ଖୋଲା ଯାଇଅଛି । ଏଥିସହିତ ଓସେପା କାର୍ଯ୍ୟାଳୟର ପରିସର ମଧ୍ୟରେ ଏକ କମାଣ୍ଡ ସେଣ୍ଟର ଖୋଲାଯାଇଛି ଯାହା ଦ୍ୱାରା କି ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସି.ସି. କ୍ୟାମେରା ଦ୍ୱାରା ପରୀକ୍ଷା କିଭଳି ହେଉଛି ତାହା ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ପରିଚାଳନା କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ ।








