ଜଗତସିଂହପୁର,ତା-୦୧.୧୧.୨୦୨୩/ସୁମନ୍ତ କୁମାର ଦାସ; ଶିଶୁ ହସିଲେ ଦୁନିଆ ହସେ' ,ସେମାନେ ହେଲେ ଭବିଷ୍ଯତ ର ସୂତ୍ରଧର। ତେଣୁ ସେମାନଙ୍କର ଦକ୍ଷତା ଓ ପ୍ରତିଭା କୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାଛଡ଼ା ଏ ବର୍ଷ ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି, ଯାହା ହେଉଛି ଓଡିଶା ମିଲେଟ ପ୍ରତିଯୋଗିତା-2023।ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀ ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ହାର ଜିତ କୁ ଭୁଲି ପ୍ରତ୍ୟେକ ପ୍ରତିଯୋଗିତାରୁ ଜୀବନ ର ଶିକ୍ଷା ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପ୍ରତିଟି ପିଲା ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି ତେଣୁ କୌଣସି ସଙ୍କୋଚ ବା ଭୟ ନ କରି ଆଗକୁ ବଢ଼ି ସମସ୍ତେ ପ୍ରତିଯୋଗିତା ରେ ଭାଗ ନେବାପାଇଁ ଜିଲ୍ଲାପାଳ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ସରକାରଙ୍କ ଅଭିନବ ପ୍ରୟାସ 'ଓଡିଶା ମିଲେଟ ପର୍ବ ' ଅନ୍ତର୍ଗତ ,ଓଡିଶା ତଥା ଜିଲ୍ଲା କୃଷି ବିଭାଗ ତରଫରୁ ଏବର୍ଷ ଆୟୋଜିତ ମିଲେଟ ପ୍ରତିଯୋଗିତା 2023 ରେ ମଧ୍ୟ ପିଲାମାନେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ପାଇଁ ଜରୁରୀ ସୁଷମ ଖାଦ୍ୟରେ ମିଲେଟ ର ଗୁରୁତ୍ବ ସଂପର୍କ ରେ ଅବଗତ କରାଇଥିଲେ।ସେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କୁ ମିଲେଟ ର ପୌଷ୍ଟିକ ତତ୍ତ୍ବ ବିଷୟରେ ପିଲାମାନଙ୍କୁ ବୁଝାଇବା ସହ ଦୈନନ୍ଦିନ ଭୋଜନ ରେ ମିଲେଟ କୁ ସାମିଲ କରିବାପାଇଁ କହିଥିଲେ। ଅବଶେଷରେ ସେ କହିଲେ ଯେ ଶିଶୁମାନେ ନରମ ମାଟି ସଦୃଶ, ତେଣୁ ସେମାନଙ୍କୁ ଉଚିତ୍ ଭାବରେ ଗଢିତୋଳିବା ର ଦାୟିତ୍ଵ ଶିକ୍ଷକ ଓ ଅଭିଭାବକ ମାନଙ୍କର। ଉପସ୍ଥିତ ସମସ୍ତ ଶିକ୍ଷକ ମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ମୁଦାଲି ପିଲାମାନଙ୍କୁ ପ୍ରତିଯୋଗିତା ପାଇଁ ଉତ୍ସାହିତ କରିଥିଲେ ଏବଂ ମିଲେଟ ମିଶନ 2017 ଅନ୍ତର୍ଗତ 2023 କୁ ମିଲେଟ ବର୍ଷ ଭାବେ ଘୋଷଣା କରାଯାଇଛି ବୋଲି କହିଥିଲେ। ବାଜରା,ମାଣ୍ଡିଆ, ସୁଆଁ ଆଦି ମିଲେଟକୁ ଖାଦ୍ୟ ରେ ସାମିଲ କରିବାକୁ କହିଥିଲେ।ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ ଏହି ମିଶନ ରେ ଅନ୍ତର୍ଭୁକ୍ତହୋଇଛି। ଆସନ୍ତା 9 ଓ 10 ତାରିଖ ରେ ଭୁବନେଶ୍ଵର ଠାରେ ଆୟୋଜିତ ହେବାକୁଥିବା ମିଲେଟ ମେଳା ରେ ଚାଷୀମାନଙ୍କୁ ପ୍ରୋତ୍ସାହନ କରାଯିବ। ବିଭିନ୍ନ ମେଳା ଓ କାର୍ଯ୍ୟକ୍ରମ ରେ ମିଲେଟ ପ୍ରସ୍ତୁତ ଖାଦ୍ୟ ର ପ୍ରତିଯୋଗିତା,କୁଇଜ ପ୍ରତିଯୋଗିତା ସହ ମିଲେଟ ମିଶନ କାର୍ଯ୍ୟକ୍ରମକୁ ଜିଲ୍ଲା ର ଅନ୍ୟ ବ୍ଲକକୁ ସଂପ୍ରସାରଣ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଥିଲେ। ସଭାପତି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞ୍ଜନ ବେହେରା ' ସୁରଭି ' କୁ ପିଲାମାନଙ୍କ ପାଇଁ ଦୁନିଆ ଦେଖିବାର ବଡ ଝରକା ବୋଲି ସମ୍ବୋଧନ କରି ଏଥିରେ ଅୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇ ଜୀବନ ରେ ଉନ୍ନତି କରିବା ପାଇଁ କହିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ,ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମିହିର କୁମାର ପାଲ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।ଚଳିତ ବର୍ଷ ଏହି ଶିଶୁ ମହୋତ୍ସବ ରେ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟର 288 ଜଣ ପ୍ରତିଯୋଗୀ, ଯେଉଁମାନେ ପ୍ରଥମେ କ୍ଲଷ୍ଟର,ପରେ ବ୍ଲକ ସ୍ତରରେ ମନୋନୀତ ହୋଇ ଆଜି ଜିଲ୍ଲା ସ୍ତରରେ ଭାଗ ନେଇଛନ୍ତି।ଏଠାରେ ଉନ୍ନୀତ କୃତୀ ଛାତ୍ରଛାତ୍ରୀ ରାଜ୍ଯ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।ଏହି ଅବସରରେ ସୁରଭି ଅନ୍ତର୍ଗତ ତର୍କ, ପ୍ରବନ୍ଧ,କୁଇଜ୍,ସୃଜନାତ୍ମକ ଲେଖନୀ, ଚିତ୍ରାଙ୍କନ, ସଙ୍ଗୀତ, ଇଲୋକ୍ୟୁସନ,ଏମ ଡି ଏମ ଆର୍ଟ ଆଣ୍ଡ କ୍ରାଫ୍ଟ, ସାଂସ୍କୃତିକ ନୃତ୍ଯ ତଥା ମିଲେଟ ପ୍ରତିଯୋଗିତାର 3 ଟି ବିଭାଗରେ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା।ସମଗ୍ର ଶିକ୍ଷା ର ବୈଷୟିକ ପରାମର୍ଶ ଦାତା ଶ୍ରୀ ଶୁଭେନ୍ଦୁ ବରାଳ ଓ ପ୍ରୋଗ୍ରାମର ଶ୍ରୀ ଚନ୍ଦ୍ରଜିତ ପରିଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏଥିରେ ସରକାରୀ ବାଳିକା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ, ସି ଆର୍ ସି ସି ତଥା ଶିକ୍ଷା ବିଭାଗ ର କର୍ମଚାରୀ ମାନେ ସହାୟତା କରିଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି 'ଓ ଓଡିଶା ମିଲେଟ ପ୍ରତିଯୋଗିତା 2023 ଅନୁଷ୍ଠିତ
- Hits: 334








