"ଗତ ଜୁନ୍ ୨୬ ତାରିଖ ୨୦୨୩ ମସିହା ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚୀବଙ୍କୁ ସର୍ବଭାରତୀୟ ପ୍ରଶାସନିକ ସେବା ଆଇନ ତଥା ଆଚାର ସଂହିତାର ଉଲଘଂନକୁ ନେଇ କେନ୍ଦ୍ର ସରକାରଙ୍କ କାର୍ମୀକ ମନ୍ତ୍ରଣାଳୟ ବିଭାଗ ଭି.କେ. ପାଣ୍ଡିଆନଙ୍କ ବାବଦରେ ତଦନ୍ତ କରିବା ପାଇଁ ପତ୍ର ଲେଖିଥିଲେ | ନିୟମାନୁସାରେ ୪୫ ଦିନ ମଧ୍ୟରେ ମୁଖ୍ୟ ଶାସନ ସଚିବ ଏହି ଅଭିଯୋଗର ତଦନ୍ତ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା କଥା । ତେଣୁ ଯେତେବେଳେ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ବିରୁଦ୍ଧରେ ସର୍ବଭାରତୀୟ ପ୍ରଶାସନିକ ସେବା ଆଇନ ଓ ଆଚାର ସଂହିତାର ଉଲଘଂନକୁ ନେଇ ତଦନ୍ତ କରାଯାଉଥିଲା ସେତେବେଳେ ତାଙ୍କୁ ପ୍ରଥମେ ଦୋଷି ବା ନିର୍ଦ୍ଦେଶ ବୋଲି ଏପର୍ଯ୍ୟନ୍ତ ଜଣାଗଲା ନାହିଁ କାହିଁକି? ସେ ସମସ୍ତ ଆଇନ ଓ ଆଚାର ସଂହିତାର ଉଲଘଂନ କରିଥିବାର ସମସ୍ତ ଠୋସ୍ ପ୍ରମାଣ ଥିଲେ ମଧ୍ୟ ତାଙ୍କୁ କେନ୍ଦ୍ର ସରକାର ଆଇନ୍ ଅନୁଯାୟୀ ଦଣ୍ଡିତ କରିବା ପରିବର୍ତେ ତାଙ୍କର ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ କରିଥିବା ଆବଦେନକୁ ଗ୍ରହଣ କରିବା କେତେ ଯୁକ୍ତିଯୁକ୍ତ । ପାଣ୍ଡିଆନଙ୍କ ଇସ୍ତଫା ନାଟକ ପ୍ରହେଳିକା କ୍ଷମତା ହାସଲ ପାଇଁ ବିଜେଡି-ବିଜେପିର ବିରାଟ ଷଡଯନ୍ତ୍ର ।"
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଗତ ଅକ୍ଟୋବର ୨୦ ତାରିଖ ଶୁକ୍ରବାର ଦିନ (୨୦.୧୦.୨୦୨୩) ନିଜ କାର୍ଯ୍ୟରୁ ସେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ଏହି ଆବେଦନକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ କାର୍ମୀକ ମନ୍ତ୍ରଣାଳୟ ବିଭାଗକୁ ସେହି ଦିନ ପଠାଇଲେ ଏବଂ ଅକ୍ଟୋବର ୨୩ ତାରିଖ ଦିନ ଅର୍ଥାତ ୩ ଦିନ ମଧ୍ୟରେ ତାଙ୍କର ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କଲେ । ଏହି ତିନିଦିନ ମଧ୍ୟରେ ଦୁଇ ଦିନ କେନ୍ଦ୍ର ସରକାରଙ୍କର ଛୁଟି ଦିନ ଥିଲା । କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଭି.କେ. ପାଣ୍ଡିଆନଙ୍କ ଆବେଦନକୁ ୪୮ ଘଂଟା ମଧ୍ୟରେ କେନ୍ଦ୍ର କାର୍ମୀକ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କଲେ । କେନ୍ଦ୍ର ସରକାର ଏହା ପୂର୍ବରୁ ଓଡ଼ିଶାର କୌଣସି ଆଇ.ଏସ୍. ଅଫିସରଙ୍କ ଘଟଣାରେ ଏଭଳି ତତ୍ପରତା ଦେଖାଇବାର ନଜିର୍ ଅଛି କି? ବରଂ ଯେଉଁମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ ଆବେଦନ କରିଥିଲେ ତାଙ୍କ ଆବେଦନକୁ ଏହି କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି । ତେଣୁ ଭି କେ ପାଣ୍ଡିଆନଙ୍କ ଇସ୍ତଫା ନାଟକ ପଛରେ ଉଭୟ ବିଜେଡ଼ି ଓ ବିଜେପିର ଏକ ଷଡଯନ୍ତ୍ର ରହିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି |
ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି "ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଗତ ଜୁନ୍ ୨୬ ତାରିଖ ୨୦୨୩ ମସିହା ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚୀବଙ୍କୁ ସର୍ବଭାରତୀୟ ପ୍ରଶାସନିକ ସେବା ଆଇନ ତଥା ଆଚାର ସଂହିତାର ଉଲଘଂନକୁ ନେଇ କେନ୍ଦ୍ର ସରକାରଙ୍କ କାର୍ମୀକ ମନ୍ତ୍ରଣାଳୟ ବିଭାଗ ଭି.କେ. ପାଣ୍ଡିଆନଙ୍କ ବାବଦରେ ତଦନ୍ତ କରିବା ପାଇଁ ପତ୍ର ଲେଖିଥିଲେ | ନିୟମାନୁସାରେ ୪୫ ଦିନ ମଧ୍ୟରେ ମୁଖ୍ୟ ଶାସନ ସଚିବ ଏହି ଅଭିଯୋଗର ତଦନ୍ତ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା କଥା । ତେଣୁ ଯେତେବେଳେ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ବିରୁଦ୍ଧରେ ସର୍ବଭାରତୀୟ ପ୍ରଶାସନିକ ସେବା ଆଇନ ଓ ଆଚାର ସଂହିତାର ଉଲଘଂନକୁ ନେଇ ତଦନ୍ତ କରାଯାଉଥିଲା ସେତେବେଳେ ତାଙ୍କୁ ପ୍ରଥମେ ଦୋଷି ବା ନିର୍ଦ୍ଦେଶ ବୋଲି ଏପର୍ଯ୍ୟନ୍ତ ଜଣାଗଲା ନାହିଁ କାହିଁକି? ସେ ସମସ୍ତ ଆଇନ ଓ ଆଚାର ସଂହିତାର ଉଲଘଂନ କରିଥିବାର ସମସ୍ତ ଠୋସ୍ ପ୍ରମାଣ ଥିଲେ ମଧ୍ୟ ତାଙ୍କୁ କେନ୍ଦ୍ର ସରକାର ଆଇନ୍ ଅନୁଯାୟୀ ଦଣ୍ଡିତ କରିବା ପରିବର୍ତେ ତାଙ୍କର ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ କରିଥିବା ଆବଦେନକୁ ଗ୍ରହଣ କରିବା କେତେ ଯୁକ୍ତିଯୁକ୍ତ । ଏଥିରୁ ସ୍ପଷ୍ଟ ପ୍ରମାଣିତ ଉଭୟ ବିଜେପି ଓ ବିଜେଡ଼ି ଭି.କେ ପାଣ୍ଡିଆନଙ୍କ ପାଇଁ ମିଳିତ ସହଯୋଗର ହାତ ବଢ଼ାଇଛନ୍ତି। କେବଳ ରାଜ୍ୟରେ ବିଜେପି ଦଳର କିଛି ନେତୃବୃନ୍ଦ ମିଛ ନାଟକ ମିଡିଆ ଆଗରେ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି |
ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି "ଅବସର ଗ୍ରହଣର ଆବେଦନ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବାର ୨ ଘଂଟା ମଧ୍ୟରେ ରାଜ୍ୟ ସରକାର ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ପୁନଃର୍ବାର ୫ଟି ବିଭାଗର
ଅଧ୍ୟକ୍ଷ ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ କରିବାର ଘୋଷଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ । ପ୍ରଥମ କଥା ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ୫ଟି ବିଭାଗର ନୂଆ ସେକ୍ରେଟାରୀ ନିଯୁକ୍ତି କଲେ ନାହିଁ କାହିଁକି? ଯଦି ୫ଟି ଏ ସରକାର ର ଏତେ ଗୁରୁତ୍ୱପୂର୍ଣ୍ଣ ତାହେଲେ ଅନ୍ୟ କୌଣସି ଆଇ.ଏସ୍. ଅଫିସରଙ୍କୁ ନିଯୁକ୍ତି ନ ଦେବାର ଉଦେଶ୍ୟ କ’ଣ? ତାଙ୍କୁ ଯେଉଁ ଦୁଇଟି ପଦବୀ ଦିଆଯାଇଛି ତାହା ଏକ ରାଜନୈତିକ ପଦବୀ । ବିଜୁ ଜନତା ଦଳର କୌଣସି ଓଡ଼ିଆ ରାଜନୈତିକ ବ୍ୟକ୍ତିଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଏ ଦକ୍ଷତା ଦେଖିପାରିଲେ ନାହିଁ କି? ଯେଉଁଥିପାଇଁ କେବଳ ସେ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ପୁନଃର୍ବାର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଅଧ୍ୟକ୍ଷ କଲେ । ଜଣେ ଅଣଓଡ଼ିଆ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏ ରାଜ୍ୟରେ ରାଜନୀତି କରିବା, ଏହା ରାଜ୍ୟର ୪ କୋଟି ୫୦ ଲକ୍ଷ ଓଡ଼ିଆଙ୍କ ପାଇଁ ଘୋର ଅପମାନ କି ନୁହେଁ? ବିଜୁ ଜନତା ଦଳ ଏକ ଆଂଚଳିକ ରାଜ୍ୟନୈତିକ ଦଳ ବୋଲି ବାରମ୍ବାର ଦାବି କରୁଥିବାବେଳେ ନିଜ ରାଜ୍ୟବାସୀଙ୍କୁ ଏବଂ ନିଜ ଦଳର ନେତୃବର୍ଗଙ୍କୁ ବିଶ୍ୱାସକୁ ନ ନେବା ଏହା ରାଜ୍ୟବାସୀଙ୍କ ପାଇଁ ବଡ଼ ଅପମାନ କି ନୁହେଁ । ଓଡ଼ିଆ ସ୍ୱାଭିମାନ କଥା ବାରମ୍ବାର ନବୀନ ପଟ୍ଟନାୟକ ଉଠାଉଥିବାବେଳେ ତାମିଲିଆନଙ୍କ ମାଧ୍ୟମରେ ଓଡ଼ିଶାକୁ ଶାସନ କରିବାର ଏକ ବୃହତ ଷଡ଼ଯନ୍ତ୍ର ରଚାଯାଇଛି କି ନାହିଁ ଏହା ପ୍ରଥମେ ସ୍ପଷ୍ଟ କରନ୍ତୁ? ନବୀନ ବାବୁ ମନେରଖନ୍ତୁ ଏହାର ଜବାବ ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଦେବେ । ଓଡ଼ିଶାକୁ ଆଉ ଲିଜ୍ ଆଳରେ ଶାସନ କରିବାକୁ ଦିଆଯିବ ନାହିଁ । ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ପ୍ୟାରିବାବୁଙ୍କ ମାଧ୍ୟମରେ ଓଡ଼ିଶାକୁ ଶାସନ କରାଗଲା । ଠିକ୍ ସେହିଭଳି ଭାବରେ ଏବେ ଭି.କେ.ପାଣ୍ଡିଆନଙ୍କ ମାଧ୍ୟମରେ ରାଜ୍ୟକୁ ଶାସନ କରାଯାଉଛି । ଓଡ଼ିଶାର ଜନସାଧାରଣଙ୍କ ଆଖି ଖୋଲିଯାଇଛି । ବିଜେଡ଼ି ଓ ବିଜେପି ମଧ୍ୟରେ ଥିବା ସୁସଂପର୍କ ସଂପୂର୍ଣ୍ଣ ଭାବରେ ଆଜି ପ୍ରମାଣିତ ହୋଇସାରିଛି । ଉଭୟ ବିଜେଡ଼ି ଓ ବିଜେପି ନବୀନ ପଟ୍ଟନାୟକ ପ୍ରଥମ ୯ ବର୍ଷ ସରକାରର ଯେଭଳି ସହଯୋଗୀ ଦଳ ଥିଲେ ଠିକ୍ ସେହିଭଳି ଭାବରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଉଭୟ ଦଳ ବୁଝାମଣା ଭିତିରେ ଲଢ଼ିବା ପାଇଁ ଏହି ଭି. କେ. ପାଣ୍ଡିଆନ ମାଧ୍ୟମରେ ସମସ୍ତ ପ୍ରସ୍ତୁତ ହୋଇଛି ବୋଲି ଠୋସ୍ ପ୍ରମାଣ ମିଳିସାରିଛି । ଭି.କେ. ପାଣ୍ଡିଆନ ଜଣେ ରାଜନୈତିକ ଦଲାଲ, ଯିଏ କି ଉଭୟ ବିଜେପି ଓ ବିଜେଡ଼ି ମଧ୍ୟରେ ସଂପର୍କ ସ୍ଥାପନ କରୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି |
" ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟର ସମସ୍ତ ଖଣି ଖାଦନ, ଜଙ୍ଗଲ ଜମି, ପାଣି ଓ ସମସ୍ତ ବଡ଼ ବଡ଼ କଂଟ୍ରାକ୍ଟର ଏପରିକି ପାନୀୟ ଜଳ ଯୋଗାଣର ଯେତେ ସବୁ ଠିକା କାମ, କୋଭିଡ଼୍ ମହାମାରୀ ସମୟରେ ଯେତେ ସବୁ ମେଡ଼ିକାଲ ଯନ୍ତ୍ରାଂଶ କିଣାକାର୍ଯ୍ୟ ଠାରୁ ଆରମ୍ଭ କରି ଓକାକ୍ ମାଧ୍ୟମରେ ଯେଉଁ ହାଜର ହଜାର କୋଟି ଟଙ୍କାର ସପ୍ଟୱାର ଡେଭେଲପ୍ମେଂଟର, ମୋ ବସ୍ କିଣା ଦୁର୍ନୀତି, ଲକ୍ଷ୍ମୀ ଯୋଜନାର ବସ୍ କିଣା ଦୁର୍ନୀତି ହୋଇଛି, ଏ ସମସ୍ତ କଂଗ୍ରେସ ସରକାର ଆସିଲେ ତଦନ୍ତ ହେବ । ଆମ ଓଡ଼ିଶା ଓ ନବୀନ ଓଡ଼ିଶା ନାମରେ ଯେଉଁ ୪ ହଜାର କୋଟି ଟଙ୍କା ବ୍ୟୟ କରିବା ପାଇଁ ନଷ୍ପତି କରାଯାଇଛି, ତାହା କେବଳ ଆସନ୍ତା ନର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ ପାଇଁ ଉଦ୍ଧିଷ୍ଟ ।ସିଏ ଯେତେବଡ଼ ଅଧିକାର ହେଉଥାଆନ୍ତୁ ନା କାହିଁକି ଏ ସମସ୍ତଙ୍କୁ ନିଶ୍ଚିନ୍ତ ଦଣ୍ଡ ଦିଆଯିବ । ରାଜ୍ୟରେ ଯେଉଁ ଅଣ ଓଡ଼ିଆ ଅଫିସର ଓ କତିପୟ ଓଡ଼ିଆ ଅଫିସରମାନେ ଦୁର୍ନୀତିକୁ ନୀତି ବୋଲି ଆପଣେଇଛନ୍ତି ସେମାନଙ୍କ ଦିନ ପାଖେଇ ଆସିଲାଣି । ଓଡ଼ିଶାର ଯୁବକ, ଯୁବତୀ, ଛାତ୍ର, କୃଷକ, ମହିଳା, ସ୍ୱଳ୍ପ ଆୟକାରୀ ବର୍ଗ ଏବଂ ନିମ୍ନ ଓ ମଧ୍ୟବିତ ପରିବାରଙ୍କ ସହିତ ଅନ୍ୟାୟ ହେବାକୁ ଦିଆଯିବ ନାହିଁ । ବିଜେଡ଼ି ଓ ବିଜେପି ମଧ୍ୟରେ ଥିବା ମଧୁଚନ୍ଦ୍ରିକା ରାଜ୍ୟବାସୀ ଆଜି ସ୍ପଷ୍ଟ ଭାବରେ ଜାଣିପାରିଛନ୍ତି । କଂଗ୍ରେସ ହିଁ ଓଡ଼ିଶାର ଏକମାତ୍ର ବିକଳ୍ପ । କଂଗ୍ରେସ ହିଁ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଲଢ଼େଇ ଜାରି ରଖିଛି ଓ ରଖିବ ମଧ୍ୟ । ଓଡ଼ିଶାର ବିକାଶ କଂଗ୍ରେସ ଦ୍ୱାରା ହିଁ ସମ୍ଭବ ।" ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଓ ଶ୍ରୀମତୀ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ |

















