ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: " ବଜାରେ ବଜା ବାଇଦ ବଜା, ଚଉଦିଗ ଆଜି ମାଁ ଙ୍କ ପାଇଁ ସାଜସଜ୍ଜା" । ଶରତର ପୂଜାପାର୍ବଣ ରୁତୁରେ ଦେବୀ ଆଗମନର ଏକ ଉତ୍ସବ ମୁଖର ପରିବେଶ ସହ ଧୂପ, ଦୀପ, ନୈବେଦ୍ୟ ର ମହକ ସଭିଙ୍କୁ ବିଭୋର କରେ। ସେହିପରି ଗଞ୍ଜାମ୍ ଜିଲ୍ଲା ଭଞ୍ଜନଗର ସହରରେ ମାଁ ଦେବୀ ଦୂର୍ଗାଙ୍କ ଆବାହନ ଓ ଆରାଧନା ସହିତ ବିଭିନ୍ନ ମଣ୍ଡପ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଧୁମଧାମରେ ପରିବେଷଣ ହୋଇଆସୁଛି।
ଶାରଦୀୟ ଦୁର୍ଗାପୂଜା ଭଞ୍ଜମାଟି ଭଞ୍ଜନଗର ସହରରେ ଅନେକ ବର୍ଷ ହେଲା ପାଳିତ ହୋଇଆସୁଛି। ଏହି ପର୍ବର ଅନେକ ସ୍ବାତନ୍ତ୍ରତା ଓ ବିଧିବିଧାନ ପାଇଁ, ଭଞ୍ଜନଗର ସହରର କେବଳ ଚାରିଗୋଟି ପ୍ରମୁଖ ସ୍ଥାନରେ ଅସ୍ଥାୟୀ ମଣ୍ଡପ ଦେଖିବାକୁ ମିଳେ। ମାଁ ଦୂର୍ଗା ହେଉଛନ୍ତି ଶକ୍ତିର ପ୍ରତୀକ। ହିନ୍ଦୁ ଧର୍ମ ଗ୍ରନ୍ଥ ଶାସ୍ତ୍ର ମୁକ ସାକ୍ଷୀ ହୋଇ ରହି ଆସିଛି ଯେ, ମା ଦୂର୍ଗା ଙ୍କୁ ବିଧିବିଧାନ ରେ ପୂଜାପାଠ କରାଯାଇ ଅସାଧ୍ୟ ସାଧନ ହୋଇଥାଏ। ଏବଂ ଯେତେବେଳେ ଏ ବିଶ୍ଵ ବ୍ରହ୍ମାଣ୍ଡ ର ପ୍ରାଣୀ ମାନଙ୍କୁ ଘୋର ସଙ୍କଟ ପଡେ, ସେତେବେଳେ ମାଁ ଦୂର୍ଗା ବିଭିନ୍ନ ଅବତାର ଗ୍ରହଣ କରି ,ଏ ଧରାଧାମକୁ ଅବତରଣ କରିଥାନ୍ତି। ମାଁ ଦୂର୍ଗା ଙ୍କ ପୂଜାବିଧାନରେ ଅନେକ ନିଘା ନିଷ୍ଠା ଓ ସ୍ଵତନ୍ତ୍ରତା ରହିଛି। ସେଥିପାଇଁ ଭଞ୍ଜନଗର ସହରରେ ୪ ଗୋଟି ପ୍ରମୁଖ ସ୍ଥାନ, ଯଥା ଜଳସମ୍ପଦ ବିଭାଗ ଅଧିନରେ ( ବିଡେକା ), ଖାଲାସିସାହି, ଓ. ଏସ୍.ଆର୍.ଟି.ସି , ଓ ଭଞ୍ଜସାହିତ୍ୟ ପରିଷଦରେ ମାଙ୍କ ଅସ୍ଥାୟୀ ମଣ୍ଡପର ପୂଜାଉତ୍ସବ ଖୁବ୍ ଧୁମଧାମରେ ପାଳନ ହୋଇଛି।
ଏହି ଦୂର୍ଗାପୂଜା ରେ ଜଳସମ୍ପଦ ବିଭାଗ " ବିଡେକା" ର ଚଳିତ ବର୍ଷ ୬୯ ଫୁଟ ସୁଉଚ୍ଚ ଆକର୍ଷଣୀୟ ତୋରଣ ହଜାର ହଜାର ଦର୍ଶକମାନଙ୍କୁ ଆକର୍ଷିତ କରିଛି। ପ୍ରତ୍ୟେକ ସଂଧ୍ୟା ରେ, ବିଭିନ୍ନ ସଂଗିତ ନୃତ୍ୟ ଅନୁଷ୍ଠାନ ର କଳାକାର ମାନେ ଏଠାରେ ନିଜ ନିଜର ନୃତ୍ୟ ପରିବେଷଣ କରୁଥିବାରୁ ଦର୍ଶକ ଙ୍କ ନାହିଁ ନଥିବା ଭିଡ଼ ଜମେ। ଏଥି ସହିତ ବିଭିନ୍ନ ଜନ ସଚେତନତା କଳାକୁଞ୍ଜ ମାନ ଜନସାଧାରଣଙ୍କୁ ଆକର୍ଷିତ କରିପାରିଛି। ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ମଧ୍ୟରେ; ପ୍ରଜ୍ଞା ସଂଗିତ ନୃତ୍ୟ ଅନୁଷ୍ଠାନ, ମୁଭ୍ ଦ ୱାର୍ଲଡ, ବିଟ୍ ବଷ୍ଟର୍, ସ୍ଵସ୍ତି ସଂଗିତ ଅନୁଷ୍ଠାନ, ଓଁ ସଂଗିତ ଏକାଡେମୀ, ଇତ୍ୟାଦି ଅନୁଷ୍ଠାନ ମାନଙ୍କ ନୃତ୍ୟ ସଙ୍ଗୀତ ରେ ଭଞ୍ଜନଗର ସହର ଦୁଲୁକି ଉଠିଥିଲା। ସେହିପରି ଭଞ୍ଜସାହିତ୍ୟ ପରିଷଦର ପୂଜା ମଣ୍ଡପ ରେ ମଧ୍ୟ ଅନୁରୂପ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଆସୁଛି। ବିଭିନ୍ନ ପୂଜା ମଣ୍ଡପର ଆକର୍ଷଣୀୟ ରଙ୍ଗିନ ଆଲୋକମାଳା ସାଂଗକୁ ମାଁ ଦୂର୍ଗା ଙ୍କ ର ବିଭିନ୍ନ ମୃଣ୍ମୟୀ ମୂର୍ତ୍ତି , ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ସଂଗିତ ନୃତ୍ୟ, ଭାରତଲୀଳା, ଦାସକାଠିଆ ପରି ଲୋକକଳା ନୃତ୍ୟ କୁ ଦର୍ଶନ କରିବା ପାଇଁ ସଂଧ୍ୟା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ।
ଅନ୍ୟପକ୍ଷରେ ଭଞ୍ଜନଗର ସହର ତହସିଲ ଅଫିସ ଛକରେ, ଅଷ୍ଟଵେତାଳ ଙ୍କ ପୂଜା ଉତ୍ସବ କାହିଁ କେତେ ବର୍ଷ ରୁ ଅନୁଷ୍ଠିତ ହୋଇଆସୁଛି। ଭଞ୍ଜନଗର ସହର ବ୍ୟତିତ,ସମଗ୍ର ଗଞ୍ଜାମ୍ ଜିଲ୍ଲା ରେ ଏହି ଅଷ୍ଟଵେତାଳ ପୂଜା ଉତ୍ସବ ଦେଖିବାକୁ ବିରଳ। ଏବଂ ଏହି ଅଷ୍ଟଵେତାଳ ପୂଜାଉତ୍ସବ ଭଞ୍ଜନଗର ସହର ପାଇଁ ଅନେକ ଉଦାହରଣ ହୋଇ ରହିଛି।








