ଢ଼େଙ୍କାନାଳ / ରବିନ୍ ଦାସ ; ରୋଗୀଙ୍କୁ ନେଇ ଚିକିତ୍ସାଳୟକୁ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ରାସ୍ତାରେ ଖରାପ ହେବାରୁ ରୋଗୀଙ୍କ ଜୀବନ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଯାହା ଜଣାଯାଏ ରୋଗୀ ଜଣଙ୍କ ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପୁର ଗ୍ରାମର କଣ୍ଟାସାହୀ ନିବାସୀ ୭୦ ବର୍ଷୀୟ ବିଜୟ ସାମଲ ।ଆଜିକୁ ତିନିଦିନ ହେବ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ବିଳମ୍ବିତ ରାତି ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକ ଭୁବନର ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିଲେ । ବଡ଼ ଦୁର୍ଭାଗ୍ୟ ଯେ ୧୦୮ ଆମ୍ବୁଲାନ୍ସଟି ଭୁବନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରୁ ପ୍ରାୟ ପାଞ୍ଚଶହ ମିଟର ଦୂର ନୂଆଭୁବନ ଛକ ନିକଟରେ କୌଣସି କାରଣରୁ ଖରାପ ହୋଇଯିବାରୁ ବିଜୟଙ୍କୁ ଷ୍ଟ୍ରେଚର ଯୋଗେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଯାହାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଆମ୍ବୁଲାନ୍ସରେ ଅକ୍ସିଜେନ୍ ଲାଗିଥିବା କାରଣରୁ ଜୀବିତ ଥିଲେ କିନ୍ତୁ ତାଙ୍କୁ ଗାଡିରୁ ଓହ୍ଲାଇବା ପରେ ବିଜୟ ଆଉ କଥା କହିନଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପରିବାର ସଦସ୍ୟଙ୍କ କହିବାନୁଯାୟୀ ଆମ୍ବୁଲାନ୍ସ ଖରାପ ନେଇ ଚିନ୍ତାରେ ଥିବା କର୍ମଚାରୀ ବିନା ଅକ୍ସିଜେନ୍ ରେ ରୋଗୀଙ୍କୁ ବାହାରକୁ ଆଣିଥିଲେ । ଯାହା ଫଳରେ ଅବହେଳା ଯୋଗୁଁ ଆମ ରୋଗୀର ଜୀବନ ଚାଲିଗଲା ତେଣୁ ଏହାର ତଦନ୍ତ ହେବା ନିହାତି ଜରୁରୀ ବୋଲି ପରିବାର ପକ୍ଷରୁ କୁହାଯାଇଛି ।
ରାଜ୍ୟ
ବାଟରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ , ଷ୍ଟ୍ରେଚର ଯୋଗେ ନେଉନେଉ ରାସ୍ତାରେ ଜୀବନ ଗଲା
- Hits: 349








