ହେଡଲାଇନସ୍:

ଚାରି ଘଣ୍ଟା ମଧ୍ୟରେ ଡକାଡକି ହୋଇ ଆରପାରିକୁ ଚାଲିଗଲେ ସ୍ୱାମୀ ସ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏକା ସାଙ୍ଗରେ ଜଳିଲା ସ୍ୱାମୀ ସ୍ତ୍ରୀଙ୍କ ଜୁଇ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ବରପଲ୍ଲୀ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା I ସ୍ୱାମୀର ଜୁଇ ନ ଲିଭୁଣୁ ଜଳିଛି ସ୍ତ୍ରୀର ଜୁଇ I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଦରଜୀ କାମ କରୁ୍ଥିବା ଦେବରାଜ ମହାପାତ୍ର (62) କିଛି ଦିନ ହେବ ଗ୍ୟାସ୍ ଜନିତ ରୋଗରେ ପୀଡ଼ିତ ହୋଇ ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସିତ ହେଉଥିଲେ I ଆଜି ସକାଳ ପାଞ୍ଚ ଘଣ୍ଟା ତିରିଶି ମିନିଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଦେବରାଜଙ୍କ ପରଲୋକ ଘଟିଥିଲା I ଦେବରାଜଙ୍କ ଦୁଇ ପୁଅ ସୁରଟ୍ ରେ ଦାଦନ ଭାବେ କାର୍ଯ୍ୟ କରୁଥିବାରୁ ଦେବରାଜଙ୍କ ସାନ ଭାଇ ସୁନୀଲ୍ ମହାପାତ୍ର, ବଡ଼ ଭାଇଙ୍କ ପୁଅ କାଳିଆ, ଅରୁଣ ଦେବରାଜଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରିଥିଲେ I ଶବ ଗ୍ରାମ ଶ୍ମଶାନକୁ ନେବା ବେଳେ ସ୍ତ୍ରୀ ହାଣ୍ଡିଚଟୁ ନେବାର ପରମ୍ପରା ରହିଛି I ଆଜି ସକାଳ ଦଶ ଘଣ୍ଟା ସମୟରେ ଦେବରାଜଙ୍କ ଶବ ପଛେ ପଛେ ଦେବରାଜଙ୍କ ସ୍ତ୍ରୀ ସଞ୍ଜୁଲତା ମହାପାତ୍ର ହାଣ୍ଡିଚଟୁ ଧରିକି ଯିବା ସମୟରେ ଚାଲି ନପାରି ବସି ପଡିଥିଲେ I ତାଙ୍କୁ ଘରକୁ ନିଆଯାଇ ଦେବରାଜଙ୍କୁ ଶ୍ମଶାନକୁ ନିଆଯାଇଥିଲା I ଦେବରାଜଙ୍କୁ ତାଙ୍କ ପୁତୁରା କାଳିଆ ମୁଖାଗ୍ନି ଦେବାପରେ ଦେବରାଜଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଥିଲା I କିନ୍ତୁ ଏହି ସମୟରେ ଦେବରାଜଙ୍କ ସ୍ତ୍ରୀ ସଞ୍ଜୁଲତା ମହାପାତ୍ର (57)ମଧ୍ୟ ମୃତ୍ୟୁବରଣ କରିଥିବା ଖବର ଆସିଥିଲା I ସଙ୍ଗେ ସଙ୍ଗେ ଦେବରାଜଙ୍କ ଜୁଇ ପାର୍ଶ୍ୱରେ ସଞ୍ଜୁଲତାଙ୍କ ପାଇଁ ଜୁଇ ଯୋଗାଡ଼ କରାଯାଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା I ସଞ୍ଜୁଲତାଙ୍କୁ ତାଙ୍କ ଦିଅର ସୁନୀଲ ମହାପାତ୍ର ମୁଖାଗ୍ନି ଦେଇଥିଲେ I ସ୍ୱାମୀ ସ୍ତ୍ରୀଙ୍କ ଜୁଇ ଏକା ସାଙ୍ଗରେ ଜଳି ଉଠିଥିଲା I ଏହି ହୃଦୟବିଦାରକ ଦୃଶ୍ୟ ଦେଖିବା ପାଇଁ ଶ୍ମଶାନରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା I ବିବାହ ପରଠାରୁ ଉଭୟ ଦେବରାଜ ଏବଂ ସଞ୍ଜୁଲତା ମଧ୍ୟରେ ସୁସମ୍ପର୍କ ରହିଥିବା ବେଳେ ଉଭୟଙ୍କ ମଧ୍ୟରେ କେବେ ମନୋମାଳିନ୍ଯ କିମ୍ବା ଝଗଡ଼ା ହୋଇଥିବାର କେବେ ଦେଖିନଥିବା ଗ୍ରାମବାସୀ ପ୍ରକାଶ କରିଥିଲେ Iଖବର ପାଇ ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ପ୍ରକୃତି ପ୍ରେମୀ ଶରତ ସ୍ୱାଇଁ, ଯୁବ ସ୍ଵେଚ୍ଛାସେବୀ ଅରୁଣ ମହାପାତ୍ର ପ୍ରମୁଖ ଉଭୟଙ୍କର ଅନ୍ତିମ ଦର୍ଶନ କରିବା ସହ ଅନ୍ତିମ ସଂସ୍କାରରେ ସହଯୋଗ କରିଥିଲେ I

0
0
0
s2sdefault