୪ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ବିଛିନ୍ନ
ଓଡ଼ଗାଁ, ୨୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ପ୍ରଥମ ଦିନରେ ଭକ୍ତିମୟ ପରିବେଶକୁ କାଳବୈଶାଖୀ ବର୍ଷା ଭାଙ୍ଗିଦେଇଛି। ଶ୍ରୀରାମଙ୍କ ଜନ୍ମ ଉତ୍ସବ ଦେବନୀତି ଓ ବିଧିବିଧାନ ଅନୁଯାୟୀ ସମାପନ ହୋଇଥିବା ସତ୍ୱେ, ଅଚାନକ ବାତ୍ୟାସଦୃଶ ପବନ ଓ ବର୍ଷା ଯାତ୍ରାର ଆନନ୍ଦକୁ ବ୍ୟାପକ ଭାବେ ବାଧା ଦେଇଛି। ଯାତ୍ରା ପାଇଁ ମନ୍ଦିର ପରିସରକୁ ଆକର୍ଷଣୀୟ ଆଲୋକ ଓ ତୋରଣ ଆଦି ନିର୍ମାଣ କରାଯାଇଥିଲା। କାଳବୈଶାଖୀର ପ୍ରଭାବରେ ସାଜସଜ୍ଜା କେତେକାଂଶ ଭାଙ୍ଗିରୁଜି ଯାଇଥିବା ସହ ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଛି। ସବୁଠୁ ବଡ଼ ସମସ୍ୟା ହେଲା ବିଦ୍ୟୁତ ବିଛିନ୍ନତା। କାଳବୈଶାଖୀ ପରେ ଓଡ଼ଗାଁ ସହ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଖବର ଲେଖାଯିବା ପର୍ଯ୍ୟନ୍ତ ୪ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ସେବା ବନ୍ଦ ରହିଛି । ଯାହା କି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଏତେ ବଡ଼ ଧାର୍ମିକ ଅବସରରେ ପୂର୍ବ ପ୍ରସ୍ତୁତିର ଅଭାବ ଓ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ପ୍ରବନ୍ଧନକୁ ନେଇ ପ୍ରଶ୍ନ ଉଠିଛି। ଝଡ଼ ପବନରେ ଗଛର ଡାଳପତ୍ର ଭାଙ୍ଗି ବିଭିନ୍ନ ରାସ୍ତାରେ ପଡ଼ିଥିବାରୁ ଯାତାୟାତ ବ୍ୟବସ୍ଥାରେ ବାଧା ଉପୁଜିଛି । କେତେକ ସ୍ଥାନରେ ରାସ୍ତା ପୂରାପୂରି ଅବରୋଧ ହୋଇଥିବା ଖବର ମିଳିଛି। ପ୍ରତିବର୍ଷ ଏହି ସମୟରେ କାଳବୈଶାଖୀର ସମ୍ଭାବନା ରହୁଥିବାରୁ ପ୍ରଶାସନ ପକ୍ଷରୁ ପୂର୍ବ ଯଥେଷ୍ଟ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ ହୋଇନାହିଁ। ତୁରନ୍ତ ବିଦ୍ୟୁତ ପୁନଃସ୍ଥାପନ, ରାସ୍ତା ସଫା ଓ କ୍ଷତିଗ୍ରସ୍ତ ସଂରଚନା ମରାମତି ପାଇଁ ସମ୍ବନ୍ଧିତ ବିଭାଗମାନେ ଦ୍ରୁତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।








