ଅରୁଣଙ୍କ ମୋଟିଭେସନ କ୍ଲାସରେ ସାମିଲ ହେଲେ ଯୁବକ ଏବଂ ଛାତ୍ର
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କିଛି ନୂଆ କରିବାର ପ୍ରୟାସ ସଦା ସର୍ବଦା ତାଙ୍କୁ ଚର୍ଚ୍ଚାରେ ରଖିଛି । ଆଜି ଏହି ପରିପ୍ରେକ୍ଷୀରେ ଆରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ।ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଯୁବକ ଏବଂ ଛାତ୍ର ମାନଙ୍କ ପାଇଁ ଆରମ୍ଭ କରିଛନ୍ତି ମୋଟିଭେସନ କ୍ଲାସ। ଭଲ ମଣିଷ ହେବା, ଜୀବନଶୈଳୀ ପରିବର୍ତ୍ତନ ସମାଜ ସଂସ୍କାରରର ମନ୍ତ୍ର ଦେଇଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ରାଜନୀତି ବ୍ୟତୀତ ଡ. ସାହୁଙ୍କ ଯୁବ ଛାତ୍ରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ କିପରି ଭଲ ମଣିଷ ହୋଇ ପାରିବେ ଏକ ନିଆରା ପ୍ରୟାସ ଜାରି ରଖିଛନ୍ତି । ସକାଳ ୭ ଘଟିକାରୁ ୮ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଯୁବ ଛାତ୍ରଙ୍କୁ ଏହି ଗୁରୁମନ୍ତ୍ର ଦେଇଥିଲେ ଅରୁଣ । ଆଜିର ସମାଜରେ ଜୀବନ ଶୈଳୀରେ କଣ ପରିବର୍ତନ ଦରକାର ଏହା ଉପରେ ଡ. ସାହୁ ଯୁବ ଛାତ୍ରଙ୍କୁ ମୋଟିଭେସନ କ୍ଲାସ ମାଧ୍ୟମରେ ପରାମର୍ଶ ଦେଇଥିଲେ । ସମାଜ ସଂସ୍କାର ସହିତ କିପରି ଭଲ ମଣିଷ ହେବ ଏହା ଉପରେ ଟିପ୍ପଣୀ ରଖୁଥିଲେ ଡ. ସାହୁ । ମିଛ ନକହିବା ଓ ସତ୍ୟ ଆଧାରିତ ଉପରେ ଜୀବନ ଶୈଳୀ କଟାଇବାକୁ ପରାମର୍ଶ ଦେଇଥିଲେ ।
ସଦାସର୍ବଦା ସକାଳୁ ଉଠିବା ସହିତ କିଛି ବ୍ୟାୟାମ କରିବା ଓ ଶୀଘ୍ର ଶୋଇବା ପାଇଁ ପରାମର୍ଶ ଦେଇଥିଲେ । କିଛି ଜାଣିବାକୁ ହେଲେ ପ୍ରତ୍ୟେକ ଦିନ ଖବର କାଗଜ ପଢ଼ିବାର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଥିଲେ । ବାପା ମାଆ ଓ ଗୁରୁଜନ ମାନଙ୍କର ସେବା କରିବା ସହ ମଦ୍ୟ ପାନ ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଅସହାୟ ଲୋକଙ୍କ ପାଖରେ ତୁରନ୍ତ ଠିଆ ହେବା ସହ ସେବା ମନୋବୃତି ରଖି ସମାଜ ସଂସ୍କାର କରିବା ପାଇଁ ପରାମର୍ଶ ଦେଇଛନ୍ତି । ଭଲ ମଣିଷଟିଏ ହେବା ପାଇଁ ଜୀବନ ଶୈଳୀରେ ଉନ୍ନତି ମୁଳକ କାର୍ଯ୍ୟ ଓ ସମାଜର ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ସମେତ ପୌରାଞ୍ଚଳର ୮୦୦ ରୁ ଉର୍ଦ୍ଧ୍ବ ଯୁବ ଛାତ୍ର ସାମିଲ ହୋଇଥିଲେ । ଡ. ସାହୁଙ୍କ ଏଭଳି ନିଆରା ପ୍ରୟାସକୁ ସବୁ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି ।











