ଭୁବନେଶ୍ୱର,:ସବୁକ୍ଷେତ୍ରରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବା ପାଇଁ ଜୁନ୍ ୧୮ ତାରିଖ ଦିନ ଓଡ଼ିଶାର ସମସ୍ତ ଜିଲ୍ଲା, ଏବଂ ସହରାଞ୍ଚଳରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନାରେ ସେମାନଙ୍କର ଭୂମିକା ଏବଂ ଦାୟିତ୍ୱ ସହିତ ବିଭାଗମାନଙ୍କ ମଧ୍ୟରେ କିପରି ସମନ୍ୱୟ ରଖାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏତଦ୍ବ୍ୟତୀତ ସମ୍ବଳ, ମାନବ ସମ୍ବଳ, ସରଞ୍ଜାମ, ଯୋଗାଯୋଗ ବ୍ୟବସ୍ଥା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଆୟୋଜିତ ହୋଇଥିଲା । ସେହିପରି ବ୍ଲକ ସ୍ତରରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ସହରାଞ୍ଚଳରେ ମେୟର, ଉକ୍ତ ଟେବୁଲ ଟପ୍ ଏକ୍ସରସାଇଜ୍ରେ ଅଧ୍ୟକ୍ଷତା କରି କାର୍ଯ୍ୟ ପରିଚାଳନା କରିଥିଲେ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜ୍ୟ କାର୍ଯ୍ୟାଳୟରୁ ବରିଷ୍ଠ ଅଧିକାରୀମାନେ ପର୍ଯ୍ୟବେକ୍ଷକ ଭାବେ ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ସହରାଞ୍ଚଳ ସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ରେ ଯୋଗ ଦେଇଥିଲେ ।
ବାତ୍ୟା/ ବନ୍ୟା ସଂପର୍କିତ ଏକ ନକଲ ସୂଚନା ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ର ଦ୍ୱାରା ଜାରି କରାଯାଇ ଥିଲା । ଏହି ସତର୍କତାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଟେବୁଲ୍ ଟପ୍ ଏକ୍ସରସାଇଜ୍ରେ ଅଂଶଗ୍ରହଣ କରିଥିଲେ ଏବଂ ନିଜ ନିଜ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ପାଇଁ ସେମାନଙ୍କର ପ୍ରାକ୍ ତଥା ଆଗୁଆ ପ୍ରସ୍ତୁତି ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ । ପରିଶେଷରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଫଳପ୍ରଦ ଭାବେ ଶେଷ ହୋଇଥିଲା । ଏହି ଟେବୁଲ୍ ଟପ୍ ଏକ୍ସରସାଇଜ୍ରେ ଜିଲ୍ଲାର ଶ୍ରେଷ୍ଠ କାର୍ଯ୍ୟକ୍ରମକୁ ଅଲୋକପାତ କରାଯାଇଥିଲା ଏବଂ ବିପର୍ଯ୍ୟୟ ପରିଚାଳନାକୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ବିଶଦ ଭାବେ ଆଲୋଚନା କରାଯାଇଥିଲା ।
ରାଜ୍ୟ
ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ଟେବୁଲ୍ ଟପ୍ ଏକ୍ସରସାଇଜ୍
- Hits: 262











