ହେଡଲାଇନସ୍:

କର୍କଟ ରୋଗୀଙ୍କ ସେବାରେ ସମର୍ପିତ ଦିବସଙ୍କୁ ବିନ୍ଧ୍ୟବାସିନୀ ଷଡ଼ଙ୍ଗୀ ସମ୍ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଶିକ୍ଷକ ତଥା ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ବରଗଡ଼ ଜିଲ୍ଲାର କ୍ୟାନ୍ସର ଫାଇଟର୍ସ ଗୃପ ତରଫରୁ ମର୍ଯ୍ୟାଦା ଜନକ ବିନ୍ଧ୍ୟବାସିନୀ ଷଡ଼ଙ୍ଗୀ ସମ୍ମାନ ରେ ସମ୍ମାନିତ କାରାଯାଇଛି ।ଦିର୍ଘ ଦିନ ଧରି ଅନେକ କ୍ୟାନ୍ସର ରୋଗୀଙ୍କ ଜୀବନ ରକ୍ଷା ପାଇଁ ଅନବରତ ପ୍ରୟାସ ଦିବସ ଙ୍କୁ ଉକ୍ତ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରିବା ପାଇଁ ସହାୟକ ହେଉଛି।
ବିଜେପୁର ବ୍ଳକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ସ୍ଥାୟୀ ବାସିନ୍ଦା ଦିବସ ବର୍ତ୍ତମାନ ଝାରବନ୍ଧ ବ୍ଲକ ସ୍ଥିତ ବୈତାଳି କ୍ଲଷ୍ଟରର ସିଆରସିସି ଭାବେ କାର୍ଯ୍ୟରତ।ସେ ୨୦୧୧ ମସିହାରୁ ଝାରବନ୍ଧ ବ୍ଲକରେ ଶିକ୍ଷକତା କରିଆସୁଛନ୍ତି।ପିଲାଟି ଦିନରୁ ସମାଜ ସେବା ପ୍ରତି ରୁଚି ରଖୁଥବା ଦିବସ ସରକାରୀ ଚାକିରୀ କରିବା ପରେ ମଧ୍ୟ ଶିକ୍ଷାଦାନ ସମୟ ପରେ ବଳୁଥିବା ସମୟରେ ଅନବରତ ଭାବେ ଅସହାୟ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି।
ନିଜ ଗାଁ ଯୋଖିପାଲିରେ ବିଗତ କିଛି ବର୍ଷ ଧରି ଅନେକ କର୍କଟ ରୋଗୀଙ୍କ ଅକାଳ ମୃତ୍ୟୁକୁ ଦେଖି ବିଚଳିତ ହୋଇ ପଡ଼ିଥିଲେ ଦିବସ,୨୦୧୮ ମସିହାରେ ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁବଳ ସାହୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ତାଙ୍କୁ ଆହୁରି ବିଚଳିତ କରିଥିଲା।ସେତେବେଳେ ସେ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ଆଗାମୀ ଦିନରେ ବରଗଡ଼ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ଦାବୀ ପାଇଁ ପ୍ରତ୍ୟକ୍ଷ ସମର୍ଥନ କରିବା ସହ ପ୍ରତ୍ୟେକ କ୍ୟାନ୍ସର ପୀଡ଼ିତଙ୍କ ପାଇଁ ସ୍ୱତଃସ୍ପୃତ ଭାବେ ସହାୟତା ଯୋଗାଇଦେବାକୁ ଆଗେଇ ଆସିଥିଲେ।
ବରଗଡ଼ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ଦାବୀ ପାଇଁ ଦିବସଙ୍କ ନେତୃତ୍ୱରେ ଯୋଖିପାଲି ଗ୍ରାମରୁ ଆରମ୍ଭ ହୋଇ ବିଭିନ୍ନ ସ୍ଥାନ ଯଥା ପୁଞ୍ଜିପଥର ଛକ, ଗୁଦେରପାଲି ଛକ, ଟାଲ ଗ୍ରାମରେ ଦସ୍ତଖତ ଅଭିଯାନ ସଫଳ ହୋଇଥିଲା।ଏହାପରେ ତାଙ୍କ ନେତୃତ୍ୱରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ କ୍ୟାନ୍ସର ହସ୍ପିଟାଲ ଶୋଭାଯାତ୍ରାରେ ୟୁଥ ଆଗେନଷ୍ଟ କରପସନ ର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ।ଏହାପରେ ବିଭିନ୍ନ ଫୋରମରେ କ୍ୟାନ୍ସର ହସ୍ପିଟାଲ ହେବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିଥିଲା ଏଭଳିକି ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମରେ ମଧ୍ୟ ସ୍ଥାନୀୟ ବିଧାୟିକାଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଥିଲେ।
କ୍ୟାନ୍ସର ହସ୍ପିଟାଲ ଦାବୀ ସାଙ୍ଗକୁ ଅନବରତ ଭାବେ ଦିବସ ବିଭିନ୍ନ କ୍ୟାନ୍ସର ପୀଡ଼ିତଙ୍କୁ ପ୍ରତ୍ୟକ୍ଷ ଭାବେ ସହାୟତା ଯୋଗାଇଦେବା ଆରମ୍ଭ କରି ଦେଇଥିଲେ।୨୦୧୯ ମସିହାରେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ବଇଦପାଲି ଗ୍ରାମର ଶିଶୁ କର୍କଟ ରୋଗୀ ପ୍ରିୟଙ୍କାଙ୍କ ଚିକିତ୍ସା ପାଇଁ ଦିବସ ଅନେକ ସଂଘର୍ଷ କରିଥିଲେ,କ୍ରାଉଡ଼ ଫଣ୍ଡିଂ ଜରିଆରେ ୯ ହଜାର ଟଙ୍କା ଆର୍ଥିକ ସହାୟତା ସହ ଚିକିତ୍ସା ପାଇଁ ଅନବରତ ଭାବେ ମାର୍ଗଦର୍ଶନ କରିଆସୁଛନ୍ତି।ବେଳପଡ଼ା ଅଂଚଳର ଜଣେ ମହିଳା ରୋଗୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ସହ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା କରିବାରେ ସଫଳ ହୋଇଛନ୍ତି ଦିବସ।ଅନୁରୂପ ଭାବେ ଆଗଲପୁର ବ୍ଳକର କିଛି କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁଯଥାକ୍ରମେ ୨୦ ହଜାର ଏବଂ ୩୦ ହଜାର ଆର୍ଥିକ ସହାୟତା ଯୋଗେଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦିବସ।ଏହାପରେ ୨୦୨୧ ମସିହାରୁ କରୋନା ମହାମାରୀ ସମୟରେ କର୍କଟ ରୋଗାକ୍ରାନ୍ତ ଜଣେ ସମ୍ପର୍କୀୟଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସା କରିବା ସମୟରେ ଅନେକ ଅସହାୟ ରୋଗୀ ମାନଙ୍କ ସଂଘର୍ଷ ନିଜ ଚକ୍ଷୁରେ ଦେଖିବା ପରେ ସେମାନଙ୍କୁ ସହାୟତା ଯୋଗେଇ ଦେବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ।ସେଠାରେ ବରଗଡ଼ ଜିଲ୍ଲାର ଅତାବିରା ଏବଂ ଭେଡେନ ବ୍ଳକର ଦୁଇଜଣ ଶିଶୁ କର୍କଟ ରୋଗୀଙ୍କ ବାବଦରେ ଜାଣି ତାଙ୍କର ଏହି ସଂଘର୍ଷ ସମୟରେ ସହଭାଗୀ ହେବା ପାଇଁ ଚେଷ୍ଟା କରିଥିଲେ।ତାଙ୍କ ଉଦ୍ୟମରେ ଶିଶୁ କର୍କଟ ରୋଗୀ ମାଳିନୀ ଝରାକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ମିଳିଥିଲା, ଏହାଛଡ଼ା ଉକ୍ତ ଶିଶୁର ରାସନ କାର୍ଡରେ ନାମ ନ ଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା କେମୋ ତଥା ଔଷଧ ମିଳୁନଥିଲେ ଦିବସଙ୍କ ଉଦ୍ୟମରେ ଝିଅର ନାମ ବର୍ତ୍ତମାନ ରାସନ କାର୍ଡରେ ଅନ୍ତର୍ଭୁକ୍ତ ହୋଇ ମାଗଣାରେ ଚିକିତ୍ସା ହେଇପାରୁଛି।ଏହାଛଡ଼ା ଆଉ ଜଣେ ଶିଶୁ କର୍କଟ ରୋଗୀ କ୍ଷେତ୍ରମଣି ମେଣ୍ଡେଲି ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ହଜାର ଆର୍ଥିକ ସହାୟତା ଯୋଗାଇ ଦେବାରେ ସକ୍ଷମ ହୋଇଛନ୍ତି ଦିବସ।
ଅନେକ ସମୟରେ କର୍କଟ ରୋଗୀ ମାନଙ୍କ ଠାରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଥାଇ ମଧ୍ୟ କିଛି ଘରୋଇ ହସ୍ପିଟାଲ ଟଙ୍କା ମଗୁଥିବାର ଦେଖାଯାଉଛି, ଏଭଳି ଏକ ଘଟଣାରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଜଣେ ରୋଗୀଙ୍କ ଠାରୁ କଟକର ଏକ ଘରୋଇ ହସ୍ପିଟାଲ ୧୦ ହଜାର ଟଙ୍କା ନେଇଯାଇଥିବା ବେଳେ ଦିବସଙ୍କ ହସ୍ତକ୍ଷେପ ପରେ ଉକ୍ତ ଟଙ୍କା ଫେରି ପାଇଥିଲେ।ଏହି ସମୟରେ ଖ୍ରୀଷ୍ଟିଆନ ହସ୍ପିଟାଲ ଭେଲୋର ଠାରେ ଚିକିତ୍ସିତ ହେଉଥିବା ଜଣେ ଶିକ୍ଷକ ଙ୍କୁ ମଧ୍ୟ ଦିବସ ଯଥା ସମ୍ଭବ ସହାୟତା ଯୋଗାଇଦେବାକୁ ଚେଷ୍ଟା କରିଥିଲେ।
ଏଭଳି ଭାବେ ନିରନ୍ତର ଭାବେ କର୍କଟ ରୋଗୀଙ୍କ କଲ୍ୟାଣ ପାଇଁ କାମ କରିଆସୁଥିବା ଶିକ୍ଷକ ଦିବସ କୁମାର ସାହୁ ନିଜ କ୍ଲଷ୍ଟର ଅଧୀନରେ ଥିବା ଅମଠି ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରୀ ସୌଭାଗ୍ୟ ପଟେଲଙ୍କ ପାଇଁ ସଂଘର୍ଷ ଅତ୍ୟନ୍ତ ପ୍ରେରଣା ଦାୟୀ ଥିଲା।ଗତ ବର୍ଷ ମଇ ମାସରେ କର୍କଟ ରୋଗରେ ଆକ୍ରାନ୍ତ ସୌଭାଗ୍ୟ ର ସମ୍ପୂର୍ଣ୍ଣ ଚିକିତ୍ସା ଭାର ନିଜ ଉପରକୁ ନେଇ ମହନତାର ପରିଚିତ ସୃଷ୍ଟି କରିଥିଲେ।ଦିର୍ଘ ଏକବର୍ଷ ଧରି ସୌଭାଗ୍ୟ ପାଇଁ ୮ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସହ ରାୟପୁର ରେ ରହିବା ପାଇଁ ବନ୍ଧୁମାନଙ୍କ ଠାରୁ ୪୦ ହଜାର ଟଙ୍କା ଦ୍ୱାରା ରାୟପୁର ର ଏକ ଘରୋଇ ହସ୍ପିଟାଲରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ଖବର ଲୋକଲୋଚନକୁ ଆସିଥିଲା।ଉକ୍ତ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ଅନୁବନ୍ଧିତ ହେବା ସହ ଭାରତୀୟ କ୍ୟାନ୍ସର ସୋସାଇଟି ଏବଂ ଟାଟା ମେମୋରିଆଲ ହସ୍ପିଟାଲ ର ସମନ୍ୱୟ ରେ ଅନେକ ସୁବିଧା ସୁଯୋଗ ଥିବାରୁ ସେଠାରେ ଅନେକ ରୋଗୀଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା କରିବାରେ ଦିବସ ସଫଳ ହୋଇଛନ୍ତି।ଖୁସିର ବିଷୟ ଯେ ଉକ୍ତ ହସ୍ପିଟାଲରେ ବରଗଡ଼ ଜିଲ୍ଲାର ଦୁଇଜଣ କର୍କଟ ରୋଗୀଙ୍କ ମାଗଣା ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥା ଯାହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ତାହା ସମ୍ପୂର୍ଣ୍ଣ ଭାବେ ମାଗଣା କରାଯାଇଛି ଯାହାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଦିବସ କୁମାର ସାହୁ।
ଏଭଳି ଭାବେ ବର୍ଷ ବର୍ଷ ଧରି ଅନେକ କର୍କଟ ରୋଗୀଙ୍କ ପାଇଁ ନିଃସ୍ୱାର୍ଥପର ଭାବେ ସେବା ଯୋଗେଇ ଦେଇ ଆସୁଥିବା ଯୁବ ଶିକ୍ଷକ ଦିବସ କୁମାର ସାହୁଙ୍କୁ ସମ୍ମାନ ଜନକ ଫାଇଟର୍ସ ବିନ୍ଧ୍ୟବାସିନୀ ଷଡ଼ଙ୍ଗୀ ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରାଯାଇଥିବା ଫାଇଟର୍ସ ଗ୍ରୁପର ଅଧ୍ୟକ୍ଷ ଅଶ୍ୱିନୀ ଦର୍ଜି ସୂଚନା ଦେଇଛନ୍ତି ।ଜୁନ ୪ ତାରିଖରେ ଫାଇଟର୍ସ ଗୃପ ପକ୍ଷରୁ ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପାଳନ କରାଯାଉଥିବା ଜାତୀୟ କ୍ୟାନ୍ସର ସର୍ଭାଇବର ଦିବସ ଅବସରରେ ସମ୍ମାନିତ କରାଯାଇଛି।କର୍କଟ ରୋଗୀଙ୍କ ପାଇଁ ଦିବସଙ୍କ ଏହି ପ୍ରେରଣାଦାୟୀ ସଂଘର୍ଷ କାହାଣୀ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିବ।

0
0
0
s2sdefault