ଓଡ଼ଗାଁ ଓ ରଣପୁର ବ୍ଲକର ସାଢେ ୩ଲକ୍ଷ ଲୋକ ହେବେ ଉପକୃତ
ଓଡ଼ଗାଁ,୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଭୂତଳ ଜଳ ସ୍ତର ହ୍ରାସ ପାଇ ଚାଲିଛି । ଖରା ଦିନେ ପିଇବା ପାଣି ଟୋପାଏ ପାଇଁ ହାହାକାର ପଡ଼ିଯାଏ । ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ୩୯୫ କୋଟି ୪୪ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମାଣ ହେବ ମେଗା ପାନୀୟ ଜଳ ପ୍ରକଳ୍ପ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଞ୍ଚଳର ପାନୀୟ ଜଳ ସମସ୍ୟାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର ପ୍ରଦାନ କରିବା ପରେ ରବିବାର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ନନ୍ଦିଘୋର ବେଢ଼ା ପୋଖରୀ ତଥା ଅମୃତ ସରୋବର ନିକଟରେ ସକାଳ ୯ ସମୟରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଦ୍ଵାରା ଏହି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଯୋଜନା ବୋଡ଼ର୍ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ , ବିଶିଷ୍ଟ ଅତିଥି ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ଯୋଗ ଦେଇଥିଲେ। ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ଧାରଣ ପାଇଁ ପୃଷ୍ଟିସାର ଖାଦ୍ୟ, ସୂର୍ଯ୍ୟାଲୋକ, ମୁକ୍ତ ବାୟୁ ପରି ବିଶୁଦ୍ଧ ପାନୀୟ ଜଳର ବିଶେଷ ଆବଶ୍ୟକତା ରହିଛି। ତେଣୁ ଏହିଭଳି ଏକ ମୌଳିକ ଆବଶ୍ୟକତାର ସମୟୋପଯୋଗୀ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଓଡ଼ଗାଁ ବ୍ଲକ୍ ଓ (ରଣପୁର ନିର୍ବାଚନ ମଣ୍ଡଳୀର) ରଣପୁର ବ୍ଲକର ମୋଟ ୭୩ ପଞ୍ଚାୟତର ୪୩୨ ଗୋଟି ଗାଁର ସାଢେ଼ ୩ ଲକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କହିଥିଲେ। ନୟାଗଡ଼ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ଅନେକ ସ୍ଥାନରେ ନଳକୂପ ଅକାମୀ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ସମୟରେ ଗଭୀର ନଳକୂପ ଖନନ ବେଳେ ଆଦୌ ଜଳ ଉତ୍ସ ମିଳୁନଥିବା ଦେଖାଯାଉଛି । ଏମିତି କି ସୁନାଠାରୁ ଏବେ ପାଣିର ମୂଲ୍ୟ ଢେର୍ ଅଧିକ । ଏଣୁ ଭବିଷ୍ୟତର ଜୀବନ ଧାରଣ ପାଇଁ ଜଳର ଅପଚୟ ରୋକିବାକୁ ସମସ୍ତେ ତତ୍ପର ହୋଇପଡନ୍ତୁ ବୋଲି ଉପସ୍ଥିତ ୨ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣଙ୍କୁ ବିଧାୟକ ଡଃ ସାହୁ କହିଥିଲେ ।
ଏହି ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଆମ ନୟାଗଡ଼ ବିଧାୟକଙ୍କ ଚେଷ୍ଟା ନିଷ୍ଠା ଓ ପରାକାଷ୍ଠାର ପ୍ରମାଣ ସ୍ବରୂପ ଏହି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ମହାନଦୀରୁ ଆସୁଥିବା ବିଶୁଦ୍ଧ ପାନୀୟ ଜଳ ଓଡ଼ଗାଁ ବ୍ଲକର ୪୩ ହଜାର ୯୨୫ରୁ ଉର୍ଦ୍ଧ୍ବ ପରିବାର ଉପକୃତ ହେବେ। ଏଥିପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ଉଚ୍ଚ କ୍ଷମତା ସମ୍ପୂର୍ଣ୍ଣ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ। ଆଜିର ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ କ୍ରମରେ ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ଚିନ୍ମୟୀ ଦାଶ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷ ମୀରା ନାୟକ ପାନୀୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଖଣ୍ଡ ନୟାଗଡ଼ ଇଂ ସରୋଜ କୁମାର କର, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥି, ବିଡ଼ିଓ ସନ୍ତୋଷ କୁମାର ଜେନା ନନ୍ଦିଘୋର ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଯୋଗଦେଇଥିବା ବେଳେ ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।











