ହେଡଲାଇନସ୍:

ଓଡ଼ିଶା ଭାରତର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ଉଭା ହୋଇଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• କ୍ରମାଗତ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ସହ ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡ଼ିୟମମାନ ଓଡ଼ିଶାକୁ ହକିର ବିଶ୍ୱ ସ୍ତରୀୟ ହବରେ ପରିଣତ କରିଛି
• ଏକମାତ୍ର ରାଜ୍ୟ ଭାବେ କ୍ରୀଡ଼ା ଭିତ୍ତିଭୂମିରେ ଉଲ୍ଲେଖନୀୟ ପୁଞ୍ଜିନିବେଶ
• ଭାରତର ପ୍ରଥମ ଇନଡୋର ଆଥଲେଟିକ୍ସ ଷ୍ଟାଡିୟମ ସମେତ ସାରା ରାଜ୍ୟରେ 2500 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ
• କ୍ରୀଡ଼ା ପାଇଁ ସର୍ବାଧିକ ବଜେଟ୍ ଥିବା ରାଜ୍ୟ ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୨୧୭ କୋଟି ଟଙ୍କାର ବ୍ୟୟବରାଦ
• ବିଭିନ୍ନ କ୍ରୀଡ଼ାରେ ହାଇ ପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ପାଇଁ କର୍ପୋରେଟ ମାନଙ୍କ ସହ ଅନନ୍ୟ ଭାଗିଦାରୀ

ଭୁବନେଶ୍ୱର:- କ୍ରୀଡ଼ା ଓ ଯୁବସେବା ବିଭାଗର ଇସ୍ତାହାର ପ୍ରତିଶ୍ରୁତି ଓ ଗତ ୪ ବର୍ଷରେ ଅଗ୍ରଗତି ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଲକ୍ଷ୍ୟ ହାସଲ ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିସ୍ତୃତ ଉନ୍ନୟନ ରିପୋର୍ଟ ଓ ଅନ୍ୟାନ୍ୟ ରୂପାନ୍ତରିତମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ଓଡ଼ିଶା ଏହାର ଅସାଧାରଣ ଭିତ୍ତିଭୂମି, ସୁବିଧା ଏବଂ ଅନେକ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ଯୋଗୁଁ କ୍ରୀଡ଼ା ପାଇଁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଦ୍ରୁତ ଗତିରେ ଉଭା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ରାଜ୍ୟ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ ଓ ପ୍ରତିଭା ବିକାଶ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି ଏବଂ ଏକ ସମୃଦ୍ଧ କ୍ରୀଡ଼ା ହବ୍ ଭାବେ ନିଜ ଯାତ୍ରା ପଥରେ ଆଗକୁ ବଢ଼ିଚାଲିଛି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ବେହେରା ଓ ବିଭାଗୀୟ ସଚିବ ଆର ଭିନୀଲ କ୍ରିଷ୍ଣ କହିଛନ୍ତି ଯେ, ୨୦୧୮ ଓ ୨୦୨୩ରେ ଏଫଆଇଏଚ୍ ହକି ବିଶ୍ୱକପର କ୍ରମାଗତ ସଂସ୍କରଣ ସଫଳତାର ସହ ଆୟୋଜନ କରି ଓଡ଼ିଶା ହକିର ଏକ ବିଶ୍ୱସ୍ତରୀୟ ହବ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ଏହାବ୍ୟତୀତ ଓଡ଼ିଶା ଏଫଆଇଏଚ୍ ହକି ଜୁନିୟର ପୁରୁଷ ବିଶ୍ୱକପ୍, ପ୍ରୋ ଲିଗ୍, ଏଫ୍ଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ସ ଏବଂ ଏଫ୍ଆଇଏଚ୍ ସିରିଜ୍ ଫାଇନାଲ୍ସ ଭଳି ପ୍ରମୁଖ ହକି ଇଭେଣ୍ଟର ଆୟୋଜନ କରି ହକି ପାଇଁ ଏକ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି । କଳିଙ୍ଗ ହକି ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡିୟମ ଭାବେ ମାନ୍ୟତା ଲାଭ କରିଛି ।
ଅନ୍ୟାନ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ଫୁଟବଲରେ ରାଜ୍ୟ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଏବଂ ସାଫ୍ ୨୦ ବର୍ଷରୁ କମ୍ ଚାମ୍ପିୟନସିପ୍ ସଫଳତାର ସହ ଆୟୋଜନ କରି ବିଶ୍ୱର ପ୍ରତିଭାବାନ ଯୁବ ଫୁଟବଲରମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଛି । ଓଡ଼ିଶା ଓପନ୍, ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ଏବଂ ବିଭିନ୍ନ ଜାତୀୟ ପ୍ରତିଯୋଗିତା ଓଡ଼ିଶାକୁ ଭାରତର ଏକ କ୍ରୀଡ଼ା ହବ୍ ଭାବେ ପରିଚୟ ଆଣିଦେଇଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସୁପର କପ୍ ଚାମ୍ପିୟନ ଓଡ଼ିଶା ଏଫ୍.ସି.ର ଘରୋଇ ପଡ଼ିଆ ଭାବେ କାର୍ଯ୍ୟ କରୁଛି। ଅଲ୍ଟିମେଟ୍ ଖୋ ଖୋ ଲିଗରେ ଓଡ଼ିଶା ଜଗରନଟ୍ସ ରାଜ୍ୟର ଫ୍ରାଞ୍ଚାଇଜ୍ ହୋଇଛି ।
କର୍ପୋରେଟ ଏବଂ ବିଶିଷ୍ଟ କ୍ରୀଡ଼ାବିତମାନଙ୍କୁ ନେଇ ବିଭିନ୍ନ କ୍ରୀଡ଼ା ବିଭାଗରେ ହାଇ ପରଫର୍ମାନ୍ସ ସେଣ୍ଟର ଆରମ୍ଭ କରାଯିବା ସହିତ ଏକ ଅନନ୍ୟ ଭାଗିଦାରୀ ମଡେଲ ଆପଣେଇ ଓଡ଼ିଶା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି, ଯେଉଁଥିପାଇଁ ବିଭିନ୍ନ ସ୍ତରରେ ଅନେକ ପ୍ରଶଂସା ମିଳିଛି । ଏହା କେବଳ ହକି ଇଣ୍ଡିଆକୁ ଆଉ ୧୦ ବର୍ଷ ପାଇଁ ପ୍ରାୟୋଜିତ କରୁନାହିଁ ବରଂ ଫୁଟବଲ୍, ରଗବି, ଖୋ ଖୋ ଓ ସୁଇମିଂ ରେ ଜାତୀୟ ମହାସଂଘକୁ ମଧ୍ୟ ସହାୟତା ପ୍ରଦାନ କରୁଛି ।
ଓଡ଼ିଶାର କ୍ରୀଡ଼ା କ୍ଷେତ୍ରର ଅନ୍ୟତମ ବିଶେଷତ୍ୱ ହେଉଛି ଏହାର ଅସାଧାରଣ କ୍ରୀଡ଼ା ଭିତ୍ତିଭୂମି । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱର ସର୍ବାଧିକ ଆସନବିଶିଷ୍ଟ ହକି ଷ୍ଟାଡିୟମ ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଏକ ସମ୍ମାନଜନକ ସ୍ଥାନ ହାସଲ କରିଛି । ଏଠାରେ ଥିବା ୨୨୫ କୋଠରୀ ବିଶିଷ୍ଟ ଅଲିମ୍ପିକ୍ ଶୈଳୀର ହକି ଭିଲେଜର ନିର୍ମାଣ ମାତ୍ର ୧୫ ମାସ ମଧ୍ୟରେ ସମ୍ପନ୍ନ ହୋଇଥିଲା । ଅତ୍ୟାଧୁନିକ ସୁବିଧା ସୁଯୋଗରେ ପରିପୂର୍ଣ୍ଣ ଏହି ଷ୍ଟାଡିୟମ ହକି କ୍ରୀଡା ପାଇଁ ଓଡ଼ିଶାର ଅତୁଟ ସମର୍ପଣ ତଥା ଆକର୍ଷଣୀୟ ଭବ୍ୟତାର ପ୍ରତୀକ । ଏହାବ୍ୟତୀତ ଓଡ଼ିଶାରେ ରାଉରକେଲାର ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମ, କଳିଙ୍ଗ ଷ୍ଟାଡିୟମ ଟେନିସ୍ ସେଣ୍ଟର, କେନ୍ଦୁଝରର ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସ ଭଳି କ୍ରୀଡ଼ା ସ୍ଥଳୀ ରହିଛି, ଯେଉଁଥିରେ କ୍ରୀଡ଼ାବିତମାନଙ୍କୁ ନିଜ ନିଜ ବିଭାଗରେ ପ୍ରଶିକ୍ଷଣ ଓ ଉତ୍କର୍ଷ ପାଇଁ ଶୀର୍ଷସ୍ତରୀୟ ସୁବିଧା ଯୋଗାଇ ଦିଆଯାଉଛି ।
ତୃଣମୂଳ ସ୍ତରରୁ କ୍ରୀଡାର ବିକାଶକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା ପାଇଁ ଏକ ମଜବୁତ ଭିତ୍ତିଭୂମି ପ୍ରତିଷ୍ଠା କରିବା ନିମନ୍ତେ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଓଡ଼ିଶାରେ ହକିର ପୀଠ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ-ଟର୍ଫ ହକି ପଡ଼ିଆ ନିର୍ମାଣ ହୋଇଛି । ଉଦୀୟମାନ ପ୍ରତିଭାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ କ୍ରୀଡା ପ୍ରତିଭାର ଉଚିତ୍ ବିକାଶ, ନିରନ୍ତର ଅଭିବୃଦ୍ଧି ଏବଂ ସଫଳତାକୁ ସୁନିଶ୍ଚିତ କରିବା ହେଉଛି ଏହି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପର ଉଦ୍ଦେଶ୍ୟ । ଏହା ବ୍ୟତୀତ ରାଜ୍ୟ ସରକାର ସହରାଞ୍ଚଳରେ ୯୦ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା କରିବା ସହିତ ୬ଟି ଫିଫା ଷ୍ଟାଣ୍ଡାର୍ଡ ପିଚ୍ ମଧ୍ୟ ବିକଶିତ କରିଛନ୍ତି ।
କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଓଡ଼ିଶାର କ୍ରୀଡ଼ା ବଜେଟ ଗତ ଚାରି ବର୍ଷ ମଧ୍ୟରେ ବୃଦ୍ଧି ପାଇ ୧୨୧୭ କୋଟି ଟଙ୍କାରେ ପହଞ୍ଚିଛି ।
ରାଜ୍ୟରେ କ୍ରୀଡ଼ାର ବିକାଶ ଉପରେ ଆଲୋକପାତ କରି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ଯାଇଛି ଏବଂ ଏକ ବିଶେଷ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ମାର୍ଗଦର୍ଶନ ଓ ସହଯୋଗରେ ଓଡ଼ିଶା ଅନନ୍ୟ ପଦକ୍ଷେପ ମାଧ୍ୟମରେ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା, ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ଏବଂ ଭାରତର ଏକ ଅଗ୍ରଣୀ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବରେ ନିଜକୁ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ।

0
0
0
s2sdefault