ହେଡଲାଇନସ୍:

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ୮ ଲକ୍ଷ ୧୫ ହଜାର କେନ୍ଦୁପତ୍ର ହିତାଧିକାରୀମାନଙ୍କ ରେକର୍ଡ ୧୯୪ କୋଟି ଟଙ୍କାର ଆର୍ଥିକ ସହାୟତା

  •  ଦ୍ରବ୍ୟ ଓ ସେବା କର ଭରଣା ପାଇଁ ୫୦ କୋଟି ଟଙ୍କାର ସ୍ବତନ୍ତ୍ର “ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି”

  •  ଦେଶରେ ସର୍ବାଧିକ ୮ ବର୍ଗ କି.ମି.ର ହେନ୍ତାଳ ବନର ଅଭିବୃଦ୍ଧି, ଜଙ୍ଗଲ ବୃଦ୍ଧିରେ ଦେଶରେ ତୃତୀୟ, ବୃକ୍ଷ ଆଛାଦିତ ଅଞ୍ଚଳ ବୃଦ୍ଧିରେ ତୃତୀୟ

  •  ରାଜ୍ୟ ଆରମ୍ଭ କରିବ ନିଜସ୍ବ ବାଘ ଓ ହାତୀ ଗଣନା

  •  ପ୍ରକୃତି ଓ ପରିବେଶର ସନ୍ତୁଳିତ ବିକାଶ ବିଭାଗର ଲକ୍ଷ୍ୟ

  •  ପରିବେଶ ପର୍ଯଟନରୁ ବାର୍ଷିକ ଆୟ ୧୩ କୋଟି


ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଗତ ଚାରି ବର୍ଷର କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ପରେ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି ଯେ ୨୦୧୯ ମସିହା ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପରିବେଶ ପର୍ଯ୍ୟଟନ ବିକଶିତ କରାଯାଇଛି । ଏହି ବିଭାଗର ଅଧୀନରେ ୪୯ ଗୋଟି ପରିବେଶ ପର୍ଯ୍ୟଟନ କେନ୍ଦ୍ର ବିକାଶ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି ଓ ଆଉ ୬ ଗୋଟି ନୂତନ କେନ୍ଦ୍ରର କାର୍ଯ୍ୟକ୍ଷମ କରାଯିବାର ଅଛି । ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ୬୫୦ ସ୍ଥାନୀୟ ବାସିନ୍ଦାଙ୍କୁ ସିଧାସଳଖ ରୋଜଗାର ମିଳିପାରିଛି । ଏହି ପ୍ରକଳ୍ପ ମାଧ୍ୟମରେ ଏବେ ବାର୍ଷିକ ୧୩ କୋଟି ଟଙ୍କାର ରାଜସ୍ୱ ଆଦାୟ ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।
ଏହା ସହ ୫-ଟି ର ରୂପାନ୍ତରିକରଣ ଅଧୀନରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଓଡିଶା ଜଙ୍ଗଲ ବିଭାଗ କୋଡ୍ ସଂଶୋଧନ, ପରିବେଶପର୍ଯ୍ୟଟନ ର ବିକାଶ, ଭରତପୁର ଓ ଚନ୍ଦକା ଅଭୟାରଣ୍ୟ ଠାରେ ପ୍ରାକୃତିକ ଉଦ୍ୟାନର ବିକାଶ, ମଣିଷ ଓ ହାତୀ ଲଢେଇର ପ୍ରତିକାର, ପ୍ଲାଷ୍ଟିକର ଏକକ ବ୍ୟବହାର ଉପରେ କଟକଣା, ୧୪୦୦୦ ହେକ୍ଟର ଭୂମି ବ୍ୟାଙ୍କ ପ୍ରତିଷ୍ଠା ଇତ୍ୟାଦି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ଉଲ୍ଲେଖ କରିଛନ୍ତି ।
ବିଗତ ବର୍ଷ ମାନଙ୍କରେ ରାଜ୍ୟ ମଧ୍ୟରେ ୫୩୭ ବର୍ଗ କି.ମି. ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଓ ୩୫୬ ବର୍ଗ କି.ମି. ର ବୃକ୍ଷ ଆଚ୍ଛାଦିତ ଅଞ୍ଚଳର ଅଭିବୃଦ୍ଧି ହୋଇପାରିଛି । ଫଳରେ ମୋଟ କ୍ଷେତ୍ରଫଳର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ୩୩.୫ % ତଥା ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ୩୬.୭୧% କୁ ବୃଦ୍ଧି ପାଇଛି ଏବଂ ଏହା ଯଥାକ୍ରମେ ଦେଶରେ ୩ୟ ଓ ୨ୟ ସ୍ଥାନ ଅଧିକାର କରିପାରିଛି । ସାରାଦେଶରେ ବିଭାଗ ଦ୍ଵାରା ସର୍ବାଧିକ ୮ ବର୍ଗ କି.ମି.ର ହେନ୍ତାଳ ବନର ଅଭିବୃଦ୍ଧି ଘଟିଛି ଯାହାକି ଦେଶର ସର୍ବାଧିକ ।
ବନୀକରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ସ୍ୱରୂପ ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୩,୭୧,୧୬୩ ହେକ୍ଟର ଜମିରେ ନୂତନ ବନୀକରଣ ଓ ପଥପାର୍ଶ୍ଵ ବନୀକରଣ ଯୋଜନାରେ୧୬,୩୪୬ ରନିଂ କି.ମି.ର ବନୀକରଣ କରାଯାଇଛି । ଜଙ୍ଗଲ ଓ ରାଜସ୍ୱ ବିଭାଗର ମିଳିତ ଉଦ୍ୟମ କ୍ରମେ ରାଜ୍ୟର ମୋଟ ୬୧୨୦୪ ବର୍ଗ କି.ମି. ର ଆଧୁନିକ ପ୍ରଣାଳୀରେ ସର୍ବେକ୍ଷଣ କାର୍ଯ୍ୟ ଚାଲୁରହିଛି । ଏଯାବତ ୨୬୫ ଗୋଟି ଜଙ୍ଗଲ ବ୍ଲକର ପୁନଃ-ବିଜ୍ଞପ୍ତି କରିବାରେ ଆମ ରାଜ୍ୟ ଦେଶରେ ସର୍ବ ପ୍ରଥମ ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ନିର୍ଦେଶନାମାର ପ୍ରାବଧାନ ବ୍ୟତୀତ ୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁଦାନ ପ୍ରଦାନ କରାଯାଇ ୮୨୦ ପରିବାରଙ୍କୁ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ ମଧ୍ୟରୁ ସ୍ଵେଚ୍ଛାରେ ସ୍ଥାନାନ୍ତରିତ କରାଯାଇପାରିଛି । ରାଜ୍ୟର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦେଶରେ ସର୍ବୋକୃଷ୍ଟ (Excellent) ବର୍ଗରେ ସ୍ଥାନିତ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମନୁଷ୍ୟ ବନ୍ୟପ୍ରାଣୀଙ୍କ ସଂଘର୍ଷ ଜନିତ ଅନୁକମ୍ପା ରାଶିର ବୃଦ୍ଧି କରାଯାଇଛି । ମନୁଷ୍ୟ ମୃତ୍ୟୁରେ ୬.୦୦ ଲକ୍ଷ ଟଙ୍କା, ୬୦% ରୁ କମ ଅକ୍ଷମତା ପାଇଁ ୧.୫ ଲକ୍ଷ ଟଙ୍କା, ୬୦% ରୁ ଅଧିକ ଅକ୍ଷମତା ପାଇଁ ୨.୫ ଲକ୍ଷ ତଥା ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ପାଇଁ ୫୦୦୦ ଟଙ୍କା ରୁ ୧୦୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ବାଦ୍ ଗୋରୁ ମୃତ୍ୟୁରେ ୩୭,୫୦୦ ଟଙ୍କା, ବଳଦ/ଷଣ୍ଢ ମୃତ୍ୟୁରେ ୩୨,୦୦୦ ଟଙ୍କା, ଫସଲ ନଷ୍ଟ ପାଇଁ ଏକର ପିଛା ୨୦,୦୦୦ ଟଙ୍କା ରୁ ୨୫,୦୦୦ ଟଙ୍କା, ସମ୍ପୂର୍ଣ ଘର କ୍ଷତି ପାଇଁ ବିଜୁ ପକ୍କା ଘର କିମ୍ବା ସେହି ମୂଲ୍ୟ ସହିତ ଅତିରିକ୍ତ ୨୦,୦୦୦ ଟଙ୍କା ଓ ଆଂଶିକ କ୍ଷତି କ୍ଷେତ୍ରରେ ୧୦,୦୦୦ ଟଙ୍କା କ୍ଷତି ପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଛନ୍ତି ।
 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨ଟି ପର୍ଯ୍ୟାୟ ରେ ପ୍ରାୟ ୮ ଲକ୍ଷ ୧୫ ହଜାର କେନ୍ଦୁପତ୍ର ହିତାଧିକାରୀମାନଙ୍କ ନିମନ୍ତେ ମୋଟ ୧୯୪ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ପ୍ରତ୍ୟେକ ତୋଳାଳୀଙ୍କୁ ୨୦୦୦ ଟଙ୍କା ସହ ପାଣି ବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଟଙ୍କା ଓ ୧୨୦ ଟଙ୍କା ପ୍ରଦାନ କରାଯାଇଛି । ବନ୍ଧାଳୀ ଓ ଋତୁକାଳୀନ କର୍ମଚାରୀଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି । ୨୦୨୨ ଫସଲ ବର୍ଷରେ ସଂପୂର୍ଣ୍ଣ ସହାୟତା ରେକର୍ଡ ପରିମାଣର ୧୯୪ କୋଟି ଟଙ୍କା ଅଟେ ।
ଓଡିଶା ବନାଞ୍ଚଳ ଉନ୍ନୟନ ସମିତି (OFSDS) ଆନୁକୁଲ୍ୟରେ ଆମ ଜଙ୍ଗଲ ଯୋଜନା ଅଧୀନରେ ୬୦୧୬ ବନ ସଂରକ୍ଷଣ ସମିତି, ୨୧୨୭୩ ସ୍ଵୟଂ ସହାୟକ ଗୋଷ୍ଠୀ ଓ ସିଆଇଜି କାର୍ଯ୍ୟରତ ରହି ଜଙ୍ଗଲ ସୁରକ୍ଷା ସହ, ରୋଜଗାରକ୍ଷମ ଯୋଜନା ମାଧ୍ୟମରେ ଜୀବିକା ନିର୍ବାହ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଛନ୍ତି । କେନ୍ଦୁପତ୍ର ତୋଳା ବର୍ଷରେ ରେକର୍ଡରୁ ଉର୍ଦ୍ଧ୍ବ ଏକ୍ସ-ଗ୍ରାସିଆ ମଞ୍ଜୁର କରାଯାଇଛି । ଆମ ଜଙ୍ଗଲ ଯୋଜନା ସହିତ ଅନ୍ୟ ବିଭାଗଗୁଡିକର ବିକାଶମୂଳକ ଯୋଜନାର ସମ୍ମିଶ୍ରଣ ଯୋଗୁଁ ଜଙ୍ଗଲ ଓ ଜୀବନ ଜୀବିକା ସୁଦୃଢ ହୋଇପାରିଛି । ପ୍ରଶମନମୂଳକ ପଦକ୍ଷପଗୁଡକୁ ସୁନିଶ୍ଚିତ କରି ବିଭାଗ ସକ୍ରିୟ ଭାବରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡିକର ରୂପାୟନ କରୁଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଦ୍ରବ୍ୟ ଓ ସେବା କର ବାବଦରେ କେନ୍ଦୁପତ୍ର ବ୍ୟବସାୟର କ୍ଷତିକୁ ଭରଣା କରିବା ପାଇଁ ୫୦ କୋଟି ଟଙ୍କାର “ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି” ର ସୃଷ୍ଟି କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗୁଡିକର ପ୍ରଶଂସା କରିବା ସହିତ ଭିତରକନିକା, ଚିଲିକା, ଶିମିଳିପାଳ, ଚନ୍ଦକା ଓ ଭରତପୁର ଅଭୟାରଣ୍ୟକୁ ବିକଶିତ କରି ସର୍ବୋତ୍ତମ ବନ୍ୟଜନ୍ତୁ ଆବାସସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ୱସ୍ତରୀୟ ଉଦ୍ୟାନ ଭାବରେ ବିକଶିତ କରାଯିବ । ସେହିପରି ଗୋଷ୍ଠୀ ସହଭାଗିତାରେ ପରିବେଶ ପର୍ଯ୍ୟଟନକୁ ଆହୁରି ଉନ୍ନତ କରାଯିବ । ନିଜସ୍ୱ ଖର୍ଚ୍ଚରେ ରାଜ୍ୟ ସରକାର ବାଘ ଓ ହାତୀର ଗଣନା କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବିଦତ୍ତ ବିଶ୍ଵାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ଶ୍ରୀ ସୁଶୀଲ କୁମାର ପୋପଲି, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁଲିଫ)ଶ୍ରୀମତୀ ପୁଷା ଜୁଲେ ମେକରୋ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।

0
0
0
s2sdefault