ମୁମ୍ବାଇ/ ଭୁବନେଶ୍ୱର: ୨୭ଟି ରାଜ୍ୟ ଓ ଚାରିଟି କେନ୍ଦ୍ର ଶାସିତ ଅଂଚଳର ପାଂଚ ହଜାର ପ୍ରଥମ ବର୍ଷ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀ ୨୦୨୨-୨୩ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର-ଗ୍ରାଜୁଏଟ୍ ଶିକ୍ଷାବୃତି ପାଇବେ । ଏଥିପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇବେ ଓ ଏକ ସକ୍ଷମ ଆଲୁମିନି ନେଟ୍ୱର୍କର ଅଂଶ ହେବାର ସୁଯୋଗ ପାଇବେ
“ଶିକ୍ଷା ନିକଟରେ ପହଂଚାଇ ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର କରି ସେମାନଙ୍କୁ ସକ୍ଷମ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ଆଶା ରଖିଛି । ଏହା ହେଉଛି ପ୍ରତିଭାବାନମାନଙ୍କ ଏକ ବିବିଧ ଦଳ କାରଣ ସେମାନେ ଭିନ୍ନ ଭିନ୍ନ ପାଠପଢ଼ା ଶୃଙ୍ଖଳାରୁ ଏବଂ ଭାରତର ପ୍ରାୟ ସବୁ ରାଜ୍ୟରୁ ଆସିଥିବା ବେଳେ ଉଭୟ ବାଳିକା ଓ ବାଳକଙ୍କୁ ସମାନ ଭାବେ ପ୍ରତିନିଧିତ୍ୱ ପ୍ରଦାନ କରାଯାଇଛି । ଚୟନ ହୋଇଥିବା ସବୁ ପ୍ରତିଭାବାନଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ ଏବଂ ଆମର ବିଶ୍ୱାସ ରହିଛି ଯେ ସେମାନେ ନିଜ ପାଇଁ ଏକ ସୁଦୃଢ଼ ଭବିଷ୍ୟତ ଗଠନ କରିବା ସହ ଭାରତର ପ୍ରଗତିରେ ଯୋଗଦାନ କରିପାରିବେ ବୋଲି ରିଲାଏନ୍ସ ଫାଉଣ୍ଡେସନର ସିଇଓ ଶ୍ରୀଯୁକ୍ତ ଜଗନ୍ନାଥ କୁମାର କହିଛନ୍ତି ।
ଯେକୌଣସି ଶୃଙ୍ଖଳାର ପାଠ୍ୟକ୍ରମରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ମେଧା ତଥା ସାଧନ (ମେରିଟ୍ କମ୍ ମିନ୍ସ) ଆଧାରରେ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର-ଗ୍ରାଜୁଏଟ୍ ଶିକ୍ଷାବୃତି ପ୍ରଦାନ କରାଯାଉଛି । ଚଳିତ ବର୍ଷ ପାଇଁ ଇଞ୍ଜିନିୟରିଂ/ ପ୍ରଯୁକ୍ତି, ବିଜ୍ଞାନ, ଭେଷଜ, ବାଣିଜ୍ୟ, କଳା, ବିଜନେସ / ମ୍ୟାନେଜମେଂଟ୍, କମ୍ପ୍ୟୁଟର ଆପ୍ଲିକେସନ, ଆଇନ, ଶିକ୍ଷା, ଆତିଥେୟତା, ସ୍ଥାପତ୍ୟ ଓ ଅନ୍ୟାନ୍ୟ ପ୍ରଫେସନାଲ ଡିଗ୍ରିର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ୨୦୨୨-୨୩ ବର୍ଷ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧ ପ୍ରତିଶତ ହେଉଛନ୍ତି ବାଳିକା । ଏକ ଆପ୍ଟିଚ୍ୟୁଡ୍ ପରୀକ୍ଷା, ଦ୍ୱାଦଶ ଶ୍ରେଣୀର ମାର୍କ ଏବଂ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ଭଳି କଠିନ ଚୟନ ପ୍ରକ୍ର୍ରିୟା ମାଧ୍ୟମରେ ୪,୯୮୪ରୁ ଅଧିକ ଶିକ୍ଷାନୁଷ୍ଠାନରେ ପାଠପଢ଼ୁଥିବା ପ୍ରାୟ ୪୦,୦୦୦ ଆବେଦନକାରୀଙ୍କ ମଧ୍ୟରୁ ସେମାନଙ୍କୁ ଚୟନ କରାଯାଇଛି । ଏହି ପର୍ଯ୍ୟାୟରେ ୯୯ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିକ୍ଷାବୃତି ପ୍ରଦାନ ଲାଗି ଚୟନ କରାଯାଇଛି ଯାହା ଏହି କାର୍ଯ୍ୟକ୍ରମରେ ରହିଥିବା ବିବିଧତାକୁ ଦର୍ଶାଉଛି ।
ନିଜ ପ୍ରତିବଦ୍ଧତାକୁ ସୁଦୃଢ଼ କରି ଆସନ୍ତା ୧୦ ବର୍ଷରେ ୫୦,୦୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତି ପ୍ରଦାନ କରାଯିବ ବୋଲି ଗତ ଡିସେମ୍ବରରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଥିଲା । ସମସ୍ତଙ୍କ ପାଖରେ ଶିକ୍ଷା ପହଂଚାଇବା ଏବଂ ଭାରତର ଭବିଷ୍ୟତ ଗଠନ କରିବା ଦିଗରେ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରିବା ପାଇଁ ରିଲାଏନ୍ସର ରହିଥିବା ପରମ୍ପରାକୁ ଶିକ୍ଷାବୃତି ପ୍ରଦାନର ଏହି ପର୍ଯ୍ୟାୟ ଆଗକୁ ବଢ଼ାଇଛି । ୧୯୯୬ ପରଠାରୁ ମେରିଟ୍-କମ୍-ମିନ୍ସ ଆଧାରରେ ପ୍ରାୟ ୧୩,୦୦୦ ଛାତ୍ରଛାତ୍ରୀଙ୍କୁ ଧିରୁଭାଇ ଅମ୍ବାନି ଶିକ୍ଷାବୃତି ପ୍ରଦାନ କରାଯାଇଛି, ଯେଉଁଥିରେ ରହିଛନ୍ତି ୨୭୨୦ ପ୍ରତିଭାବାନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ।
ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ଚୟନ ଓ ଅଧିକ ବିବରଣୀ ବିଷୟରେ ସିଧାସଳଖ ସୂଚନା ପାଇବେ । ନିଜ ଆବେଦନ ଫଳାଫଳ ଜାଣିବା ଲାଗି ଆବେଦନକାରୀମାନେ ମଧ୍ୟ www.reliancefoundation.org/ ପରିଦର୍ଶନ କରିପାରିବେ ।











