ହେଡଲାଇନସ୍:

"ଫସଲ ବୀମା ବାବଦ ପ୍ରିମିୟମ ବହନ କରିବେ ରାଜ୍ୟ ସରକାର : ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମବାୟ ବିଭାଗର ସମୀକ୍ଷା : ଅଗ୍ରଗତି ନେଇ ପ୍ରକାଶ କଲେ ସନ୍ତୋଷ

  •  ତୃଣମୂଳ ସ୍ତରରେ ସ୍ୱଳ୍ପମିଆଦୀ ଋଣ ସେବା ବ୍ୟବସ୍ଥାର ସଂପ୍ରସାରଣ ପାଇଁ ୧୪୫୧ ଗୋଟି ନୂତନ ପାକ୍‍ସ ସଂଗଠିତ 

  • କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟର ଅନଲାଇନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ୬୬ ଗୋଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ପ୍ଲାଟଫର୍ମ ରେ ସ୍ଥାନିତ

  • ରାଜ୍ୟ ପଣ୍ୟଗାର ନିଗମରର ମୋଟ ୫୧ ଗୋଟି ଗୋଦାମରୁ ୪୪ ଟିରେ ଓୟେରହାଉସିଂ ଡେଭଲପମେଣ୍ଟ ଆଣ୍ଡ ସଲ୍ୟୁସନ ଆକ୍ଟର ବ୍ୟବସ୍ଥା ଲାଗୁ

  •  40 ଲକ୍ଷ ରୁ ଊର୍ଦ୍ଧ୍ଵ ଚାଷୀଙ୍କୁ ସମବାୟ କୃଷିରୁଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତି କରଣ ସହ ପାକ୍‍ସ ଭିତ୍ତିଭୂମି ର ବିକାଶ ଏବଂ  ମାଇକ୍ରୋ ଏଟିଏମ ସ୍ଥାପନ ବ୍ୟବସ୍ଥା କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ

ଭୁବନେଶ୍ୱର(ଶାସକ ପ୍ରଶାସକ): "ଚାଷୀଙ୍କ ସ୍ୱାର୍ଥ ରାଜ୍ୟ ସରକାରଙ୍କ ପ୍ରାଥମିକତା | ଚାଷୀଙ୍କୁ ପ୍ରାକୃତିକ ବିପର୍ଯୟ ଜନିତ ଫସଲ ହାନି ପାଇଁ ସୁରକ୍ଷା ଦେବାପାଇଁ ସରକାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିଅଛନ୍ତି । ୨୦୨୧-୨୨ ବର୍ଷପାଇଁ ୩୧.୯୩ ଲକ୍ଷ ଚାଷୀଙ୍କୁ ୧୧୬୬.୦୨ କୋଟି ଟଙ୍କାର ବୀମାଅର୍ଥ ପ୍ରଦାନ କରାଯାଇଅଛି । ୨୦୨୩-୨୪ ବର୍ଷରୁ ଏହି ଯୋଜନାରେ ଉନ୍ନତିକରଣ ପୂର୍ବକ ଅଧିକ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଓ ଚାଷୀଙ୍କୁ ବୀମା ପ୍ରିମିୟମ ଦେୟମୁକ୍ତ କରିବା ପାଇଁ ଯୋଜନା ରହିଅଛି | ବୀମା ପ୍ରିମିୟମ ବାବଦ ଅର୍ଥ ରାଜ୍ୟ ସରକାର ବହନ କରିବେ" ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ରାଜ୍ୟର ସମବାୟ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା ପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି |
ଶ୍ରୀ ନାୟକ କହିଛନ୍ତି ଯେ, ସମବାୟ ବିଭାଗର ବିଭିନ୍ନ ଉପଲବ୍ଧ ମଧ୍ୟରୁ ରାଜ୍ୟର ଚାଷୀମାନଙ୍କୁ କୃଷିଋଣ ଯୋଗାଣ ଅନ୍ୟତମ । ଆମ ରାଜ୍ୟରେ ତ୍ରିସ୍ତରୀୟ ସ୍ୱଳ୍ପମିଆଦି ସମବାୟ ଋଣ ବ୍ୟବସ୍ଥା ଅନ୍ତର୍ଗତ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ ଗୋଟି ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍‍ସ) ମାନେ ଚାଷୀମାନଙ୍କୁ ତାଙ୍କର ଆବଶ୍ୟକତା ମୁତାବକ ଯଥା ସମୟରେ ଏବଂ ସହଜ ସୁବିଧା କିମ୍ବା ବିନା ସୁଧରେ ଚାଷ ଋଣ ଯୋଗାଇ ଦେଉଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦,୦୦୦ ଟଙ୍କାରୁ ୧,୦୦,୦୦୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି, ଯାହା ଫଳରେ କି ୨୦୨୨-୨୩ ବର୍ଷରେ ରାଜ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ଵ ଅତିରିକ୍ତ କ୍ଷ୍ଯୁଦ୍ର ଓ ନାମମାତ୍ର ଚାଷୀ ପରିବାର ଏଥିରୁ ଉପକୃତ ହୋଇ ପାରିଛନ୍ତି । ରାଜ୍ୟରେ ବିଗତ ଆର୍ଥିକ ବର୍ଷରେ ୩୪.୫୭ ଲକ୍ଷ ଚାଷୀଙ୍କୁ ମୋଟ ୧୬୬୮୩.୫୭ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଅଛି । ୨୦୦୦-୦୧ ବର୍ଷରେ ୬.୪୦ ଲକ୍ଷ ଚାଷୀଙ୍କୁ ଦିଆଯାଇଥିବା ୪୩୮.୩୬ କୋଟି ଟଙ୍କା ଋଣ ତୁଳନାରେ ଏହି ଅଭିବୃଦ୍ଧି ବିଭାଗର ସଫଳତାକୁ ସୂଚୀତ କରୁଛି । ଏତଦ୍ ବ୍ୟତୀତ, ରାଜ୍ୟରେ ପାକ୍‍ସ ମାନେ ଚାଷୀଙ୍କୁ ପ୍ରାମାଣିକ ବିହନ ଓ ସାର ଯୋଗାଣରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ପାକ୍‍ସ ମାନଙ୍କ ଦ୍ଵାରା ସେବା ପ୍ରଦାନକୁ ଆହୁରି ଦକ୍ଷ ଓ ସ୍ଵଚ୍ଛ କରିବା ପାଇଁ ୨୨୯୫ ଗୋଟି ପାକ୍‍ସର କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ ବ୍ୟବସ୍ଥାରେ କମ୍ପ୍ୟୁଟରୀକରଣ କରାଯାଇଅଛି ଯାହାକି ସାରା ଦେଶରେ ପ୍ରଥମ ଅଟେ । ତୃଣମୂଳ ସ୍ତରରେ ସ୍ୱଳ୍ପମିଆଦୀ ଋଣ ସେବା ବ୍ୟବସ୍ଥାର ସଂପ୍ରସାରଣ ପାଇଁ ୧୪୫୧ ଗୋଟି ନୂତନ ପାକ୍‍ସ ସଂଗଠିତ କରାଯାଇଅଛି ।
ଶ୍ରୀ ନାୟକ ଆହୁରି ମଧ୍ୟ କହିଛନ୍ତି ଯେ କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟର ଅନଲାଇନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ୬୬ ଗୋଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ପ୍ଲାଟଫର୍ମ ରେ ସ୍ଥାନିତ କରାଯାଇଅଛି । ଇ-ନାମ ପ୍ଲାଟଫର୍ମ ରେ ଏଫପିଓ ମାନଙ୍କୁ ପଞ୍ଜୀକରଣ କରାଯାଇଅଛି ଏବଂ ଏ କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଗ୍ରହଣ କରିଅଛି । ଆନ୍ତ-ମଣ୍ଡି ବାଣିଜ୍ୟ କାରବାରର ପରିମାଣରେ ପ୍ରଭୁତ ବୃଦ୍ଧି ଘଟି ଓଡିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଅଛି ।
ଓଡିଶା ରାଜ୍ୟ ଓୟେରହାଉସିଂ କର୍ପୋରେସନର ମୋଟ ୫୧ ଗୋଟି ଗୋଦାମରୁ ୪୪ ଗୋଟି ଗୋଦାମରେ ଓୟେରହାଉସିଂ ଡେଭଲପମେଣ୍ଟ ଆଣ୍ଡ ସଲ୍ୟୁସନ ଆକ୍ଟର ବ୍ୟବସ୍ଥା ଲାଗୁ କରାଯାଇଅଛି ଓ ଡବ୍ଲ୍ୟୁଡିଆରଏ ଅଧୀନରେ ପଞ୍ଜୀକୃତ କରାହୋଇଅଛି ।
୨୦୨୩-୨୪ ବର୍ଷପାଇଁ ବିଭିନ୍ନ ଯୋଜନାର ରୂପାନ୍ତକରଣ ପୂର୍ବକ ସମସ୍ତ ମାର୍କେଟ ୟାର୍ଡ, ମ୍ୟୁନିସିପାଲିଟି, ମାର୍କେଟ ଓ କୃଷକ ବଜାର ମାନଙ୍କୁ ଇ-ନାମ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା, ଜଟଣୀ ଠାରେ କ୍ୟାପିଟାଲ ରିଜିୟନ ଏଗ୍ରିକଲ୍ଚରାଲ ମାର୍କେଟ ସ୍ଥାପନ, କୃଷିଜାତ ଦ୍ରବ୍ୟର ଆନ୍ତଃରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହନ, ରାଜ୍ୟରେ 40 ଲକ୍ଷ ରୁ ଊର୍ଦ୍ଧ୍ଵ ଚାଷୀଙ୍କୁ ସମବାଯ କୃଷିରୁଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତି କରଣ, ପାକ୍‍ସ ଭିତ୍ତିଭୂମି ର ବିକାଶ ସହ ମାଇକ୍ରୋ ଏଟିଏମ ସ୍ଥାପନ ପୂର୍ବକ ଏନ ପିସି ଆଇ ଅନୁମୋଦିତ ଦେୟ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି ।
ଏହି କ୍ରମରେ ସମବାୟ ବିଭାଗ ଅଧିନସ୍ଥ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ଓଡିଶା ରାଜ୍ୟ ଓୟେରହାଉସିଂ କର୍ପୋରେସନ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ଅନେକ ସମ୍ମାନ ଓ ପୁରସ୍କାର ହାସଲ କରିବାର ସଫଳତା ପାଇ ଅଛି ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚଢା ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଭବିଷ୍ୟତ କର୍ମପନ୍ଥା ବିଷୟରେ ସୂଚନା ଦେଇଥିଲେ |

0
0
0
s2sdefault