ଓଡ଼ଗାଁ ବ୍ଳକ ଗିରିଡିପଲ୍ଲୀରେ ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
ଓଡ଼ଗାଁ, ୨୧।୫(ଶ୍ରୀକାନ୍ତ କୁମାର ମିଶ୍ର) : ନୂତନ ଓଡ଼ିଶା ଗଠନର କର୍ଣ୍ଣଧାର ୫ମ ପାଳି ମୁଖ୍ୟମନ୍ତ୍ରୀ ପଦବୀର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବା ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ! ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ। ତାଙ୍କର ସରଳ ନିରାଡମ୍ବର ଜୀବନ ଶୈଳୀ ଓ କାର୍ଯ୍ୟ ପ୍ରଣାଳୀ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିଥିବାରୁ ସେ ପୁନର୍ବାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ରାଜ୍ୟବାସୀ ଚାହାଁନ୍ତି। ସର୍ବୋପରି ମିଶନ ଶକ୍ତି ଜରିଆରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ସଶକ୍ତିକରଣ କରିବା ସହିତ ଗୋଷ୍ଠୀଗତ ଭାବେ କର୍ମ ନିଯୁକ୍ତି ଦେବା ସମାଜରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର ଆଭାସ ବୋଲି ରବିବାର ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଳକ ଗିରିଡିପଲ୍ଲି ପଞ୍ଚାୟତ ଗିରିଡିପଲ୍ଲୀ ଗାଁ ଆମ୍ବ ତୋଟାରେ ଅନୁଷ୍ଠିତ ବିଜେଡିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ବିଧାୟକ ଡଃ ସାହୁ କର୍ମି ଏବଂ ବିଜେପି ଦଳ ଛାଡି ବିଜେଡିରେ ଯୋଗଦେଇଥିବା ସମର୍ଥକ ମାନଙ୍କୁ କହିଥିଲେ।ଏବଂ ଗିରିଡିପଲ୍ଲୀ ଠାରୁ ସିଆରମାଳ ନୂତନ ରାସ୍ତା ନିମନ୍ତେ ୩ କୋଟି ୩୦ ଲକ୍ଷ ଓ ଗିରିଡିପଲ୍ଲୀ ଗାଁରେ କୋଠଘର ନିର୍ମାଣ ପାଇଁ ୧୦ ଲକ୍ଷ ଅର୍ଥରାଶି ପ୍ରଦାନ ପାଇଁ ଘୋଷଣା କରିଥିଲେ। ଏହି ଅବସରରେ ଭାରତୀୟ ଜନତା ପାର୍ଟି ଛାଡି ଗିରିଡିପଲ୍ଲୀ ସମେତ ଧଝୋଲା,ପାଣଖଜୁରିଆ, ଝାଡ଼ସାହି ଗ୍ରାମର ପ୍ରାୟ ଶତାଧିକ ମହିଳା ଓ ପୁରୁଷ ମାନଙ୍କୁ ପଞ୍ଚାୟତ କାର୍ଯ୍ୟକର୍ତ୍ତା ମାନେ ମଞ୍ଚକୁ ନିମନ୍ତ୍ରଣ କରିବା ପରେ ବିଧାୟକ ସମସ୍ତଙ୍କୁ ଶଙ୍ଖ ଚିହ୍ନ ଥିବା ଉତ୍ତରୀୟ ପ୍ରଦାନ କରିଥିଲେ।
ଜିଲ୍ଲା ବିଜେଡ଼ି ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୈ।ଧୁରୀ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,କୁରାଳ ସରପଞ୍ଚ ବିଜନ ପାଇକରାୟ,ପୂର୍ବତନ ଜିଲ୍ଲା ପରିଷଦ ବିଭୁପ୍ରସାଦ ସାହୁ,ଜିଲ୍ଲା ବିଜେଡି ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ, ଉପାଧ୍ୟକ୍ଷା ମୀରା ନାୟକ, ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥୁବା ଜନ ପ୍ରତିନିଧିଙ୍କ ସହିତ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ କର୍ମୀ ଓ ସମର୍ଥକମାନେ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ ଯେ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଗିରିଡିପଲ୍ଲୀ ପଞ୍ଚାୟତ ଅଶାନ୍ତ ଥିଲା।ବୁଥ୍ ଗୁଡିକ ଉତ୍ତେଜନା ପ୍ରବଣ ଘୋଷିତ ହେଇଥିବା ବେଳେ ୨ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସେବେଠାରୁ ବର୍ଷାଧିକ କାଳ ଅଶାନ୍ତ ରହିଥିବା ଗାଆଁଟିକୁ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ଶାନ୍ତି ଫେରିଆସିଲା। ସେହି ଖୁସିରେ ଝାରସୁଗୁଡ଼ା ଉପନିର୍ବାଚନବେଳେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ମୁରବୀମାନେ ସେଠାକୁ ଯାଇ ବିଧାୟକଙ୍କୁ ଦେଖା କରିଥିଲେ।ଯୁବ ସଂଗଠକ ପ୍ରଭାତ ପ୍ରଧାନ, ରଞ୍ଜନ ବେହେରା,ବୁଲୁ ବେହେରା,ପ୍ରକାଶ ସେଠୀ, ମୃଞ୍ଜୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।








