"ପଦାରେ ପଡିଗଲା ବିଜେପିର ଷଡ଼ଯନ୍ତ୍ର"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଥିତ ମଦ ଘୋଟାଲାରେ ବିଜେପିକୁ କୋର୍ଟ ପକ୍ଷରୁ ଶକ୍ତ ଧକ୍କା ।

ଭୁବନେଶ୍ୱର : ଗତ ୬ ତାରିଖରେ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟର ବିଚାରପତି ଯାହା କହିଛନ୍ତି ତାହା ବିଜେପି ପକ୍ଷରୁ ବର୍ଷାଧିକ କାଳ ଆମ୍ ଆଦ୍‌ମୀ ପାର୍ଟିକୁ ବଦନାମ କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେଲା ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି |
ଆମ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛିଯେ, ବିଜେପି ପକ୍ଷରୁ ଅପପ୍ରଚାର ହୋଇ ଆସୁଥିଲା ଯେ ଦିଲ୍ଲୀର ନୂଆ ଅବକାରୀ ନୀତିରେ ଦୁର୍ନୀତି ହୋଇଛି । ଏହାର ପ୍ରମାଣ ସ୍ଵରୂପ ସେମାନେ କହୁଥିଲେ ଯେ ସାଉଥ୍ ଗୃପ୍ ନାମକ ଏକ ସଂସ୍ଥା ଆମ୍ ଆଦ୍‌ମୀ ପାର୍ଟିକୁ ୧୦୦ କୋଟି ଟଙ୍କା ଦେଇଛି ଯାହାକୁ ଆମ୍ ଆଦ୍‌ମୀ ପାର୍ଟି କୁଆଡେ ଗୋଆ ନିର୍ବାଚନରେ ଖର୍ଚ୍ଚ କରିଛି । ଏଥିରେ କଥିତ ଭାବେ ସଂପୃକ୍ତ ଥିବାର ଅଭିଯୋଗରେ ସିବିଆଇ ଦୁଇଜଣଙ୍କୁ ଗିରଫ କରିଥିଲା ।
ଗତ ୬ ତାରିଖରେ ଏହି ଦୁଇଜଣଙ୍କୁ ରାଉଜଆଭିନ୍ୟୁ କୋର୍ଟ ପ୍ରମାଣ ଅଭାବରୁ ଜାମିନରେ ଛାଡି ଦେଇ କହିଛନ୍ତି ଯେ ଇଡି ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ମୁତାବକ ଏହି ଟଙ୍କାର ପରିମାଣ ୧୦୦ କୋଟି ଟଙ୍କା ନୁହେଁ, ୩୦ କୋଟି ଟଙ୍କା । ତଥାପି ଇଡି ଏହି ୩୦ କୋଟି ଟଙ୍କା ଦେଣନେଣ ପାଇଁ ମଧ୍ୟ କୈାଣସି ପ୍ରମାଣ କିମ୍ବା ତଥ୍ୟ ଦେଇ ପାରି ନାହିଁ । ଇଡି ଦ୍ୱାରା କେତେକ ଲୋକଙ୍କ ମନଗଢା ସାକ୍ଷ୍ୟକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଇଡିର ପ୍ରାୟ ୫୦୦ରୁ ଉର୍ଦ୍ଧ୍ଵ ଅଫିସର ଗତ ଦୁଇ ବର୍ଷ ହେଲା ଦେଶର ବିଭିନ୍ନ ସ୍ଥାନରେ କରିଥିବା ତମାମ ଛାପା ଓ ଗିରଫଦାରୀ ସତ୍ତ୍ୱେ ଏ ପର୍ଯ୍ୟନ୍ତ ତାହାକୁ ଟଙ୍କା ଟିଏ ମଧ୍ୟ ମିଳି ନାହିଁ। ଏବେ ବିଚାରପତିଙ୍କ ୬୫ ପୃଷ୍ଠାର ଲିଖିତ ମନ୍ତବ୍ୟ ଦର୍ଶାଇଛି ଯେ କଥିତ ଦେଣନେଣ ବାବଦରେ ଇଡି ପାଖରେ ସାମାନ୍ୟତମ ପ୍ରମାଣ ମଧ୍ୟ ନାହିଁ । ବରଂ ଇଡି କୋର୍ଟକୁ କହିଛି ସେମାନଙ୍କ ତଦନ୍ତରୁ ଜଣାପଡ଼ିଛି ଯେ ଗୋଆ ନିର୍ବାଚନରେ ନଗଦ ଆକାରରେ ଆମ୍ ଆଦ୍‌ମୀ ମାତ୍ର ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ।
ଆମ୍ ଆଦ୍‌ମୀ ପାର୍ଟିପ୍ରଥମରୁ କହି ଆସୁଛି ଯେ ଦିଲ୍ଲୀର ଅବକାରୀ ନୀତିରେ କୈାଣସି ଘୋଟାଲା ହୋଇ ନାହିଁ । ଆମ୍ ଆଦ୍‌ମୀ ପାର୍ଟି ଦୁର୍ନୀତିକୁ ବରଦାସ୍ତ କରେ ନାହିଁ ବୋଲି ସମସ୍ତେ ଜାଣିଛନ୍ତି । ପାର୍ଟିର ଏହି ଛବିକୁ ବଦନାମ କରିବା ପାଇଁ ମୋଦୀ ସରକାର ତରଫରୁ ଏହି ଅଭିଯୋଗ ଅଣାଯାଇଛି ଏବଂ ପାର୍ଟିର ତୁଙ୍ଗ ନେତା ତଥା ଦିଲ୍ଲୀର ଲୋକପ୍ରିୟ ଉପମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖା ଯାଇଛି । ସାରା ଦେଶରେ ଆମ ଆଦ୍‌ମୀ ପାର୍ଟିର ଦ୍ରୂତ ବିସ୍ତାରରେ ବିଜେପି ଆତଙ୍କିତ ହୋଇ ପାର୍ଟିକୁ ଡରାଇବା ଓ ଭାଙ୍ଗିବା ଉଦ୍ଦେଶ୍ୟରେ ସିବିଆଇ, ଇଡି ଓ ଦିଲ୍ଲୀ ପୋଲିସକୁ ବ୍ୟବହାର କରୁଛି । କିନ୍ତୁ ପାର୍ଟିର ନ୍ୟାୟାଳୟ ଉପରେ ପୁରା ଭରସା ଅଛି । ଏପର୍ଯ୍ୟନ୍ତ ବିଭିନ୍ନ ସମୟରେ ପ୍ରାୟ ୧୬୦ ଜଣ ପାର୍ଟିର ବିଭିନ୍ନ ନେତାଙ୍କ ବିରୁଦ୍ଧରେ ଏହି ଭଳି ଅଭିଯୋଗ, ଅପପ୍ରଚାର, ଏଫଆଇଆର, ଗିରଫଦାରି ଓ ମୋକଦ୍ଦମା ହୋଇ ଆସିଛି ଏବଂ ସେଥିରୁ ପ୍ରାୟ ୧୪୦ଟି ମୋକଦ୍ଦମାର ରାୟ ପ୍ରକାଶ ପାଇ ସାରିଥିଲେ ମଧ୍ୟ ପାର୍ଟିର ଜଣେ କେହି ବି ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି । କଥିତ ମଦ ଘୋଟାଲାରେ ମଧ୍ୟ ବିଚାର ପ୍ରକିୟା ସମ୍ପୁର୍ଣ୍ଣ ହେଲେ ତାହାର ପୁନରାବୃତ୍ତି ହେବ ବୋଲି ପାର୍ଟି ନିଶ୍ଚିତ ଅଛି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆପ୍ ଓଡ଼ିଶା ମୁଖ୍ୟ ପ୍ରବକ୍ତା ଶ୍ରୀ ରଙ୍ଗା ଚରଣ ପ୍ରଧାନ ଏବଂ ଯୁବନେତା ଶ୍ରୀ ପ୍ରଶାନ୍ତ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault