ହେଡଲାଇନସ୍:

ଶିଶୁ ମାନଙ୍କ ଠାରେ ନୂତନ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକର ମାଧ୍ୟମ ହେଉଛି ବିଜ୍ଞାନ ପ୍ରଦର୍ଶନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦୁଝର,ତା୧୧/୧୨- ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫-୨୬ ସ୍ଥାନୀୟ ପି.ଏମ.ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ,କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କୁ ଅଭିନବ ଚିନ୍ତାଧାରାରେ ପରିବେଶ ଉପଯୋଗୀ ବିଜ୍ଞାନ ପ୍ରକଳ୍ପ ଗୁଡିକୁ ପ୍ରସ୍ତୁତ କରିବା ପାଇଁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ,କେନ୍ଦୁଝରର ଅଧ୍ୟକ୍ଷା କଲ୍ୟାଣୀ ମାଝୀ ଉପସ୍ଥିତ ରହି ନିଜର ବକ୍ତବ୍ୟ ଛଳରେ ବିଜ୍ଞାନ ପ୍ରଦର୍ଶନୀ ମାଧ୍ୟମରେ ଶିଶୁ ମାନଙ୍କ ଠାରେ ନୂତନ ବୈଜ୍ଞାନିକ ଚିନ୍ତାଧାରାର ଅଭ୍ୟୁଦୟ ଘଟିଥାଏ ବୋଲି ପ୍ରକାଶ କରିଥିଲେ ଓ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ରୁଦ୍ର ନାରାୟଣ ସାମଲ ଓ ମଣ୍ଡଳ ଶିକ୍ଷାଧିକାରୀ,ପାଟଣାର ପୂର୍ଣ୍ଣଚନ୍ଦ୍ର ଅମାନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ l ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ବର ମହାନ୍ତ ବିଜ୍ଞାନ ପ୍ରଦର୍ଶନୀର ବିବରଣୀ ପ୍ରଦାନ କରିଥିବା ବେଳେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ,କେନ୍ଦୁଝର ସଦରର କପିଳ ଚନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିଲେ l ମଣ୍ଡଳ ଶିକ୍ଷାଧିକାରୀ,ଘଟଗାଁ ତଥା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝରର ପ୍ରଧାନ ଶିକ୍ଷକ ସଭାପତିତ୍ବ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସତ୍ୟ ନାରାୟଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସ୍ତରୀୟ ଵାଲ ବୈଜ୍ଞାନିକ ପ୍ରଦର୍ଶନୀ ର ମୁଖ୍ୟ ବିଷୟ ବସ୍ତୁ : "ବିଜ୍ଞାନ,ପ୍ରଯୁକ୍ତି,ଯାନ୍ତ୍ରିକ ବିଜ୍ଞାନ ଓ ଗଣିତ ମାଧ୍ୟମ ରେ ଭାରତକୁ ଉନ୍ନତ ଓ ସ୍ୱାବଲମ୍ବୀ କରିବା" ଏବଂ ଉପରୋକ୍ତ ମୁଖ୍ୟ ବିଷୟ ବସ୍ତୁ ଆଧାରିତ ୭ଟି (ସାତ ) ଉପମୁଖ୍ୟ ବିଷୟବସ୍ତୁରେ ସମୁଦାୟ ୯୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ତନ୍ମଧ୍ୟରୁ ପ୍ରତି ଉପ ବିଷୟ ବସ୍ତୁରୁ ସର୍ବୋତ୍କୃଷ୍ଟ ୭ଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ କେନ୍ଦୁଝର ଜିଲ୍ଲା ତରଫରୁ ଅଂଶ ଗ୍ରହଣ କରିବେ। ଉଦଯାପନୀ ସମାରୋହରେ ଧରଣୀଧର ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର,ପ୍ରତିଭା ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ସର୍ବଶେଷରେ କୃତି ବୈଜ୍ଞାନିକ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଉପ ବିଷୟବସ୍ତୁ ମଧ୍ୟରୁ ଧାରଣକ୍ଷମ କୃଷିରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଟୁଙ୍ଗୁରୁଢ଼ିର ରାନୀ ପ୍ରଧାନ,ଆବର୍ଜନା ପରିଚାଳନା ଓ ପ୍ଲାଷ୍ଟିକର ବିକଳ୍ପରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୋବିନ୍ଦପୁରର କୋମଲ ମହାନ୍ତି, ସବୁଜଶକ୍ତିରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଶାଳପଡ଼ା, ଆନନ୍ଦପୁରର ବି.ଯଶସ୍ଵୀ ପ୍ରୀତମ, ଆମୋଦଦାୟକ ଗାଣିତିକ ପ୍ରକଳ୍ପରେ ଓଡିଶା ଆଦର୍ଶ ବିଦ୍ୟାଳୟ,ଶାଳପଡ଼ା, ଆନନ୍ଦପୁରର ଆଦ୍ୟସ୍ରଷ୍ଟା ପଟ୍ଟନାୟକ,ବିକାଶଶୀଳ ପ୍ରଯୁକ୍ତି ବିଦ୍ୟାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଶାଳପଡ଼ା, ଆନନ୍ଦପୁରର ଦେବାଞ୍ଜନ ଘଡେଇ, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ସୁଆଁପଦା ର ଅନୁସୂୟା ପୃଷ୍ଟି , ଜଳ ସଂରକ୍ଷଣ ଓ ପରିଚାଳନାରେ ଆଶାଦେବୀ ଉଚ୍ଚ ବିଦ୍ୟାଳୟ,ଜମ୍ଭୀରା, ହାଟଡିହିର ଲିପ୍ସାରାଣୀ ରାଉତ ପ୍ରଭୃତି ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ମନୋନୀତ ହୋଇଛନ୍ତି । ଏହି ଅବସରରେ ୨୦୨୪-୨୫ ଶିକ୍ଷା ବର୍ଷର ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ, ଭୋପାଳ ଠାରେ ଅନୁଷ୍ଟିତ ହୋଇଥିବା ବିଜ୍ଞାନ ପ୍ରଦର୍ଶନୀରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରର କୁନି ବୈଜ୍ଞାନିକ ଦେବସ୍ମିତା ରାଉତ ଓ ମାର୍ଗଦର୍ଶୀ ବିଜ୍ଞାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କୁ ଜିଲ୍ଲା ତରଫରୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ବିଜ୍ଞାନ ପ୍ରକଳ୍ପ ବିଚାରକ ଭାବେ ଯୋଗେଶ୍ୱର ପତି, ପ୍ରାକ୍ତନ ଅଧ୍ୟାପକ, ପଦାର୍ଥ ବିଜ୍ଞାନ , କୁଳମଣି ପ୍ରଧାନ, ଅଧ୍ୟକ୍ଷ ପି.ଏନ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟିକେଶ୍ୱର ବାରିକ, ଅଧ୍ୟାପକ, ଜଗବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟ ହରିଚନ୍ଦନପୁର ଓ ସନତ କୁମାର ଦାସ, ଅଧ୍ୟାପକ,ଉଦ୍ଭିଦ ବିଜ୍ଞାନ , ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଦ୍ମପୁର ଯୋଗ ଦେଇଥିଲେ ।

0
0
0
s2sdefault