ହେଡଲାଇନସ୍:

ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲା,୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଏବଂ ୫ହଜାର ଫାଇନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,୨୯ା୪: ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାଜଜ ଚାରିଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମିଳିଥିବା ରାୟରୁ ପ୍ରକାଶ ଯେ ୨୦୧୩ ମସିହା ଫେବୃଆରୀ ୨ ତାରିଖଦିନ ଇଟାମାଟି ଥାନା ତଥା ନୟାଗଡ଼ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି ସକାଳ ସାଢ଼େ ୭ଟା ବେଳେ ମନ୍ଦିରରୁ ପୂଜାର୍ଚ୍ଚନା କରି ନିଜ ମିଲକୁ ଫେରୁଥିଲେ । ଏହି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ୯ଜଣ ମୁଦାଲା ଚାପଡ଼,ଫାର୍ସା ଏବଂ ବନ୍ଧୁକ ସାହାଯ୍ୟରେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଜିଳ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବହୁ ଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାର ପ୍ରତିବାଦରେ ପୁରୁଷୋତ୍ତମପୁର ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଏ ନେଇ ପୋଲିସ ପକ୍ଷରୁ ଇଟାମାଟି ଥାନା କେଶ ନଂ-୧୬/ତା୪.୨.୨୦୧୩ ଏବଂ ଦଫା ୩୦୨ରେ ଏକ ହତ୍ୟାକାଣ୍ଡ ଜନିତ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରଶାନ୍ତ ମଣ୍ଡଳ,ନିତ୍ୟାନନ୍ଦ ସାହୁ,ଶିବ କର,ଆନନ୍ଦ ସାହୁ,ବସନ୍ତ ସାହୁ,ନିରଂଜନ ମଣ୍ଡଳ,ରମାମଣି ଜେନା,ସହଦେବ ମଣ୍ଡଳ ଏବଂ ନିରଂଜନ ଜେନାଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ୧୦ବର୍ଷ ଧରି ଚାଲିଥିବା ଏହି ମାମଲାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ୧୬ ଜଣ ସାକ୍ଷୀ ଏବଂ ତଥ୍ୟ ପ୍ରମାଣକୁ ଆଧାର କରି ଚୂଡ଼ାନ୍ତ ରାୟରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାଜଜ ଲିଲି ସେନାପତି ମୁଖ୍ୟ ଆସାମୀ ପ୍ରଶାନ୍ତ ମଣ୍ଡଳ,ନିତ୍ୟାନନ୍ଦ ସାହୁ,ଶିବ କର ଏବଂ ଆନନ୍ଦ ସାହୁଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଫାଇନ ଆଦେଶ ଦେଇଛନ୍ତି । ଅନ୍ୟ ଆସାମୀଙ୍କ ମଧ୍ୟରୁ ସହଦେବ ମଣ୍ଡଳ ଏବଂ ନିରଂଜନ ଜେନା ମୃତ୍ୟୁ ବରଣ କରିସାରିଥିବା ବେଳେ ଆସାମୀ ବସନ୍ତ ସାହୁ,ନିରଂଜନ ମଣ୍ଡଳ ଏବଂ ରମାମଣି ଜେନାଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି । ମାମଲାରେ ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନୱାର ମଲ୍ଲିକ ମାମଲା ପରିଚାଳନା କରୁଥିବା ବେଳେ ମୁଦାଲା ମାନଙ୍କ ପକ୍ଷରୁ ଓକିଲ ଜଗବନ୍ଧୁ ପଣ୍ଡା ଓ ଅନ୍ୟମାନେ ଆସାମୀ ମାନଙ୍କ ପାଇଁ ଲଢ଼ୁଥିଲେ ।

0
0
0
s2sdefault