ତିନିଦିନ ବ୍ୟାପି ମହୋତ୍ସବରେ ଯୋଗଦେବେ ସବୁ ଜିଲ୍ଲାର ପ୍ରାୟ ୩୦୦ ଜଣ କଳାକାର
ଭୁବନେଶ୍ବର: ବିଲୁପ୍ତ ପ୍ରାୟ ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ନିମନ୍ତେ ଆସନ୍ତା ଅପ୍ରେଲ ୨ ରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଉତ୍କଳମଣ୍ଡପ ଠାରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଛି । ଏହି ମହୋତ୍ସବର ବିଶଦ୍ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଭୁବନେଶ୍ୱରସ୍ଥିତ ପାନ୍ଥ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ସୂଚନା ଦେଇ କହିଥିଲେ ଯେ, ଆମ ରାଜ୍ୟର ବହୁବିଧ ଲୋକକଳା ଆମ ଜାତୀୟ ଜୀବନର ସମୃଦ୍ଧି ଓ ପ୍ରାଣବନ୍ତତାକୁ ବୁଝାଇଥାଏ । ଏହି ଲୋକକଳା ଗୁଡିକ ଆମର ବୈଶିଷ୍ଟ୍ୟ ଓ ପରିଚୟ । ଓଡିଆ ପ୍ରାଣରେ ତାର ପ୍ରାଚୀନ ପରମ୍ପରା ଓ ସଂସ୍କୃତି ପ୍ରତି ନିଷ୍ଠା ଓ ଆଗ୍ରହ ରହିଛି ଏବଂ ତାହା ଓଡିଶାର ଲୋକକଳାକୁ ବଞ୍ଚାଇ ରଖିଛି । ମାତ୍ର ଆଧୁନିକ ସଭ୍ୟତାର ବିଶୃଙ୍ଖଳିତ ଧାରା ଓ ପାଶ୍ଚାତ୍ୟ ସଭ୍ୟତାର ଅବାଂଛିତ ପ୍ରବେଶ ଆମର ନିଜସ୍ୱ କଳା ଓ ସଂସ୍କୃତିକୁ ବିକୃତ କରୁଛି ଏବଂ ଶହ ଶହ ବର୍ଷର ଏହି ଲୋକକଳା ଧିରେ ଧିରେ ପତନାଭିମୁଖୀ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପାରମ୍ପରିକ ନୃତ୍ୟଗୀତ ଓ ଲୋକକଳାର ପୁନରୁଦ୍ଧାର, ବିକାଶ, ପ୍ରଚାର ଓ ପ୍ରସାର ତଥା କଳାକାରମାନଙ୍କ ଉନ୍ନତି କଳ୍ପେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୧ ମସିହାରୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ଲୁପ୍ତପ୍ରାୟ ପାରମ୍ପରିକ ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନରୁଦ୍ଧାର, ସଂରକ୍ଷଣ ଓ ପ୍ରସାର ନିମନ୍ତେ ବିଭାଗ ପକ୍ଷରୁ ରାଜ୍ୟ ତଥା ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମାତ୍ର କରୋନା ମହାମାରୀ ସମୟରେ ସାମୟିକ ଭାବେ ଏହା ବନ୍ଦ ରହିଥିବାବେଳେ ଚଳିତ ବର୍ଷରୁ ପୁଣିଥରେ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜନ କରାଯାଉଛି । ଏହା ଆସନ୍ତା ଅପ୍ରେଲ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଉତ୍କଳ ମଣ୍ତପ ଠାରେ ପ୍ରତ୍ୟହ ସନ୍ଧ୍ୟା ସାଢେ ୬ ଘଟିକା ଠାରୁ ଆରମ୍ଭ ହେବ । ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଅର୍ଥାତ ବଛାବଛା ୩୦ଟି ସାଂସ୍କୃତିକ ଦଳମାନଙ୍କୁ ନେଇ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ପ୍ରାୟ ୩୦୦ ଜଣ କଳାକାର ଯୋଗଦେବେ ।
ଏହି ଅବସରରେ ଆସନ୍ତା ୨ତାରିଖ ଅପରାହ୍ନ ସାଢେ ଦୁଇ ଘଟିକା ସମୟରେ ରାମମନ୍ଦିର ଠାରୁ ଉତ୍କଳ ମଣ୍ତପ ପର୍ଯ୍ୟନ୍ତ ସବୁ ଜିଲ୍ଲାର ସାଂସ୍କୃତିକ ଦଳମାନଙ୍କୁ ନେଇ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଭାଗ ପକ୍ଷରୁ ଜନସାଧାରଣ ମାନଙ୍କୁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ, ବିଭାଗୀୟ ଉପ ନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ଉପ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।











