-
ଭାରି ବିଷମ ହୋଇପାରେ ମୁକୁଙ୍କ ଢେଙ୍କାନାଳ ଅବା ସମ୍ବଲପୁର ସ୍ବପ୍ନ
-
ପ୍ରଣବଙ୍କୁ କାଢି ପ୍ରତାପଙ୍କୁ ଦିଆଗଲା ମନମୋହନଙ୍କ ଜିଲ୍ଲା ଦାୟିତ୍ୱ
-
ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ସହ ଘୋଷିତ ହେଲା ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା
ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ): ଆଉ ଢିଲା ନାଇଁ କି କାହାକୁ ଫୁରସତ ଦେବାର ଚାନ୍ସ ନାହିଁ | ଗତକାଲି ବିଜେପି ସଭାପତିଙ୍କ ପମ୍ପ ଦିଆ ଭାଷଣ ଓ ବୈଜୟନ୍ତ ପଣ୍ଡାଙ୍କ ନୋଟିସ ଜାରି ପରେ ଆଜି ସଂଶୋଧିତ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଜାରି କରି ୨୦୨୪ ନିର୍ବାଚନ ପାଇଁ ଜୋଶରେ ଲଢ଼ିବାକୁ ଅଂଟା ଭିଡିଲା ବିଜେଡି | ବିଜେପି ସଭାପତି ଭାବେ ମନମୋହନ ସାମଲଙ୍କ ନିଯୁକ୍ତି ପରେ ବିଜେପିରେ ପରିବର୍ତ୍ତିତ ରାଜନୈତିକ ସମୀକରଣ ପରିପ୍ରେକ୍ଷୀରେ ବିଜେଡି ତାହାର ଆଭିମୁଖ୍ୟରେ କିଛିଟା ପରିବର୍ତ୍ତନ ଆଣି କିଛି ମାସ ତଳେ ଘୋଷିତ ହୋଇଥିବା ପର୍ଯ୍ୟବେକ୍ଷକ ତାଲିକାରେ କିଛିଟା ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛି | ବିଜେପି ସଭାପତି ମନମୋହନଙ୍କ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟଙ୍କୁ ହଟାଇ ତାଙ୍କୁ କଳାହାଣ୍ଡି ଦାୟିତ୍ୱ ଦିଆଯାଇଥିବା ବେଳେ ବଦଳରେ ଦାୟିତ୍ୱ ଦିଆଯାଇଛି ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ | ସେପଟେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମୁଣ୍ଡରେ ଲଦାଯାଇଛି ଗୁରୁଦାୟିତ୍ୱ | ତାଙ୍କ ନେତୃତ୍ୱରେ ମିଶନ ମୟୁରଭଞ୍ଜ ଏକ ପ୍ରକାର ସଫଳ ହେଇଯାଇଥିବା ବେଳେ ସେ ଜିଲ୍ଲା ଦାୟିତ୍ୱ ପ୍ରଶାନ୍ତ ମୁଦୁଲିଙ୍କ ହାତରେ ଛାଡି ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କୁ ଦିଆଯାଇଛି ଖଣ୍ଡିଆ ଥିବା କେନ୍ଦୁଝର ଜିଲ୍ଲା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଖେଇଥିବା ଦୁଇ ଲୋକସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ଓ ସମ୍ବଲପୁର ଦାୟିତ୍ୱ | ମାନେ ତାଙ୍କୁ ଦିଆଯାଇଛି କେନ୍ଦୁଝର, ସମ୍ବଲପୁର ଢେଙ୍କାନାଳ, ଅନୁଗୋଳ ଜିଲ୍ଲା ଦାୟିତ୍ୱ | ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ଦେବଗଡ ଜିଲ୍ଲା ଦାୟିତ୍ୱ ଦଳର ଯୁବ ନେତା ତଥା ଭୁବନେଶ୍ୱରର ଟାଣୁଆ କର୍ପୋରେଟର ଅମରେଶ ଜେନା(ବାଇଆଁ)ଙ୍କୁ ଦେଇ ପରୋକ୍ଷରେ ବବି ସେହି ଜିଲ୍ଲାର ଛାୟା ପର୍ଯ୍ୟବେକ୍ଷକ ଭାବେ ସୁପରଭିଜନ କରିବେ | ମୋଟାମୋଟି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ତାଙ୍କ ଡ୍ରିମ ନିର୍ବାଚନ ମଣ୍ଡଳୀ ସମ୍ବଲପୁର ଓ ଢେଙ୍କାନାଳରେ ବ୍ରେକ ଦେବାପାଇଁ ମଇଦାନକୁ ହତିଆର ଧରି ଓଲ୍ହାଇଛନ୍ତି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି |
କାରଣ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ଢେଙ୍କାନାଳ 4ଟି ଓ ଅନୁଗୋଳ ଜିଲ୍ଲାର 3ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବା ବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ, ଦେବଗଡ଼ ଜିଲ୍ଲାର ଦେବଗଡ଼ ନିର୍ବାଚନ ମଣ୍ଡଳୀ ଓ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଏବଂ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରହିଛି | ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ବା ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ ବିଜେଡି କବ୍ଜାରେ ରହିଛି | ସେଠାରୁ ଧର୍ମେଦ୍ର ଲଢ଼ିବେ ନହେଲେ ତାଙ୍କ ଧର୍ମପତ୍ନୀ ବରିଷ୍ଠ ବିଜେପି ନେତ୍ରୀ ଶ୍ରୀମତୀ ମୃଦୁଳା ପ୍ରଧାନଙ୍କୁ ଲଢେ଼ଇବେ ବୋଲି ଚର୍ଚା ଜୋର ଧରିଛି | ନଚେତ ଢେଙ୍କାନାଳ ବାଦ ଧର୍ମେନ୍ଦ୍ର ଠିଆ ହେବାପାଇଁ ଆଶା କରୁଥିବା (ଯାହା ଚର୍ଚା ) ସମ୍ବଲପୁର ନିର୍ବାଚନମଣ୍ଡଳୀରେ 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ 3ଟି (ରେଙ୍ଗାଲି, ସମ୍ବଲପୁର ଓ ଦେବଗଡ) ବିଜେପି ହାତରେ ଅଛି ଓ ୪ଟି (କୁଚିଣ୍ଡା, ରେଢ଼ାଖୋଲ, ଛେଣ୍ଡିପଦା ଓ ଆଠମଲ୍ଲିକ) ରହିଛି ବିଜେଡି ହାତରେ | ସମ୍ବଲପୁରରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଥିବାବେଳେ ରେଙ୍ଗାଲିରୁ ଅଛନ୍ତି ବିଜେପିର ନାଉରୀ ନାୟକ | ଦେବଗଡ ଜିଲ୍ଲାର ଏକମାତ୍ର ବିଧାନସଭା ନିର୍ବାଚନମଣ୍ଡଳୀ ରୁ ନିର୍ବାଚିତ ହୋଇଛନ୍ତି ବିଜେପିର ସୁବାସ ପାଣିଗ୍ରାହୀ | ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଆଉ ଦୁଇଟି ବିଧାନସଭା ଆସନ ଛେଣ୍ଡିପଦା ଓ ଆଠମଲ୍ଲିକ ରହିଛି ଅନୁଗୋଳ ଜିଲ୍ଲାରୁ | ଯେହେତୁ ୩ଟି ବିଜେପି ହାତରେ ଅଛି ଆଉ ଦୁଇଟି ବିଜେଡି ହାତରେ ଥିଲେ ବି ନିଜ ଜିଲ୍ଲାରେ ରହିଛି , ତେଣୁ ଲୋକସଭା ଲଢ଼ିବା ପାଇଁ ସମ୍ବଲପୁର ଆପାତତଃ ସହଜ ଯାତ୍ରା ପ୍ରତୀୟମାନ ହେଉଥିବା ଯୋଗୁ ଢେଙ୍କାନାଳ ସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଉପରେ ଧ୍ୟାନ ଦେଉଥିବା ରାଜନୈତିକ ମହଲରେ ଚର୍ଚା ହେଉଛି | ହେଲେ ବିଜେଡ଼ିର ସଂଗଠନ ସମ୍ପାଦକ ତଥା ଅନ୍ୟତମ କ୍ଷମତା କେନ୍ଦ୍ର ସର୍ବୋପରି "ଟିମ ନବୀନ" ର ସଫଳ ଫରୱାର୍ଡ଼ ପ୍ଲେୟାର ବବିଙ୍କୁ ଢେଙ୍କାନାଳ ଓ ସମ୍ବଲପୁର ଦାୟିତ୍ୱ ଦେଇ ଗୋଟାଏ ବାର୍ତ୍ତା ବିଜେଡି ଦେଇଛି ଯେ "କାହାକୁ କିଛି ଢିଲା ଛାଡିବାର ନାହିଁ " | ବିଜେଡିର ଏହି ନିଷ୍ପତ୍ତି ଓ ବବିଙ୍କ ନୂତନ ନିଯୁକ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ତାଙ୍କ "ସ୍ବପ୍ନ ନିର୍ବାଚନ ମଣ୍ଡଳୀ" ରେ ଚାରିଆଡୁ ଜାମ ଦେବା ପାଇଁ ଉଦ୍ଦିଷ୍ଟ ତାହା ସ୍ପଷ୍ଟ ବାରି ହୋଇପଡୁଛି | ହେଲେ ଏ ସବୁ ସତ୍ତ୍ୱେ ମୁକୁ ବବିଙ୍କ ପଲିଟିକାଲ ଚେସ ଗେମର ଫଳ kana ହେଉଛି ଓ କିଏ ବାଜିମାତ କରୁଛି ତାହା ଦେଖିବାକୁ ବାକି ରହିଲା |
ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ସହ ଆଜି ଘୋଷିତ ହୋଇଥିବା ବିଜୁ ଜନତା ଦଳ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଅନୁଯାୟୀ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ମାନେ ନିମ୍ନ ମତେ |
ବିଜେଡି ପର୍ଯ୍ୟବେକ୍ଷକ ତାଲିକା
ଅନୁଗୁଳ- ପ୍ରଣବ ପ୍ରକାଶ ଦାସ
ବାଲେଶ୍ୱର- ପ୍ରତାପ କେଶରୀ ଦେବ
ବରଗଡ଼- ସୁଧୀର କୁମାର ସାମଲ
ଭଦ୍ରକ- ପ୍ରତାପ ଜେନା
ବଲାଙ୍ଗୀର- ସୁଶାନ୍ତ ସିଂହ
ଦେବଗଡ଼- ଅମରେଶ ଜେନା
କଟକ- ପ୍ରଫୁଲ୍ଲ ମଲ୍ଲିକ
ଢ଼େଙ୍କାନାଳ- ପ୍ରଣବ ପ୍ରକାଶ ଦାସ
ଗଜପତି- ଅତନୁ ସବ୍ୟସାଚୀ ନାୟକ
ରାୟଗଡ଼ା- ଅତନୁ ସବ୍ୟସାଚୀ ନାୟକ
ଜଗତସିଂହପୁର- ଡ. ଅରୁଣ କୁମାର ସାହୁ
କନ୍ଧମାଳ- ବିଜୟ ନାୟକ
କେନ୍ଦ୍ରାପଡ଼ା- ଶ୍ରୀମତୀ ପ୍ରମିଳା ମଲ୍ଲିକ
କେନ୍ଦୁଝର- ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା- ରବୀନ୍ଦ୍ର କୁମାର ଜେନା
କୋରାପୁଟ- ଦିବ୍ୟଶଙ୍କର ମିଶ୍ର
ମାଲକାନଗିରି- ଦିବ୍ୟଶଙ୍କର ମିଶ୍ର
ନବରଙ୍ଗପୁର- ଈଶ୍ୱର ପାଣିଗ୍ରାହୀ
ନୟାଗଡ଼- ପଦ୍ମନାଭ ବେହେରା
ନୂଆପଡ଼ା- ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ
ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼େଇ
କଳାହାଣ୍ଡି- ପ୍ରଣବ ବଳବନ୍ତରାୟ
ଗଞ୍ଜାମ- ପ୍ରଦୀପ କୁମାର ଅମାତ
ବୌଦ୍ଧ- ସୌଭାଗ୍ୟ ନାୟକ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା- ସାରଦା ପ୍ରସାଦ ନାୟକ
ମୟୁରଭଞ୍ଜ- ପ୍ରଶାନ୍ତ ମୁଦୁଲି
ସୁବର୍ଣ୍ଣପୁର- ଦେବେଶ ଆଚାର୍ଯ୍ୟ











