ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ତେଲକୋଇରେ ଡାକ୍ତର ସଙ୍କଟ,ବିଗୁଡୁଛି ସ୍ବାସ୍ଥ୍ୟ ସେବା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


୨୩ ଡାକ୍ତର ବଦଳରେ ୪ ଡାକ୍ତରଙ୍କ ହାତରେ ଲୋକଙ୍କ ଜୀବନ।


କେନ୍ଦୁଝର,ତା୧୪/୧୧- କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ଉତ୍କଟ ହୋଇଛି।ଫଳରେ ଦିନକୁ ଦିନ ସ୍ବାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି।ଏବେ ୨୩ ଡାକ୍ତର ବଦଳରେ ୪ ଜଣ ଡାକ୍ତରଙ୍କ ହାତରେ ଜୀବନ ଅଟକି ରହିଛି।ଏ ସମ୍ପର୍କରେ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତେ ଭଲ ଭାବରେ ଜାଣନ୍ତି। କିନ୍ତୁ ସମସ୍ୟା ସମାଧାନ ପାଇଁ କାହାରି ଆନ୍ତରିକତା ନାହିଁ।ଏଠାରେ ସୂଚନାଯୋଗ୍ୟ ଯେ ତେଲକୋଇ ଅଞ୍ଚଳରେ ପାଖାପାଖି ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି।ଆଦିମ ଜନଜାତି ଓ ଗରିବଙ୍କ ସ୍ବାସ୍ଥ୍ୟ ସମସ୍ୟା ଏବେ ସଙ୍କଟାପନ୍ନ।ପ୍ରତିଦିନ ତେଲକୋଇ ଡାକ୍ତରଖାନାକୁ ୪୦୦ରୁ ଉର୍ଦ୍ଧ୍ୱ ରୋଗୀ ସ୍ବାସ୍ଥ୍ୟ ସେବା ପାଇଁ ଭିଡ଼ ଲଗାଉଛନ୍ତି।ତେବେ ଆବଶ୍ୟକ ଡାକ୍ତର ଅଭାବରୁ ସମସ୍ୟା ସମାଧାନ ବଦଳରେ ଜଟିଳ ହୋଇ ପଡୁଛି।ଡାକ୍ତରଖାନା ଗୃହ,ରୋଗୀ ଓ୍ବାର୍ଡ,ଓଟି,ଡ୍ରେସିଂ ରୋମ ତଥା ଡାକ୍ତର ଓ କର୍ମଚାରୀଙ୍କ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।ଏସବୁ ସମସ୍ୟା ବାଦ୍ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଏବେ ଅଧିକ କଷ୍ଟ ଦାୟକ ହୋଇ ପଡିଛି।୬ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବାଦ୍ ଯଦି କେବଳ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବିଚାରକୁ ନେବା ତେବେ ସମସ୍ତଙ୍କୁ ଆବାକ୍ କରିଦେବ।ସରକାରୀ ଭାବେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୩ ଜଣ ଡାକ୍ତରଙ୍କ ବଦଳରେ ଏବେ ମାତ୍ର ୪ ଜଣ ଡାକ୍ତର ରହିଛନ୍ତି।ଦନ୍ତ ଡାକ୍ତର ଦୀର୍ଘ ବର୍ଷ ହେଲାଣି ଅନୁପସ୍ଥିତ ରହିଛନ୍ତି।୪ ଜଣ ସ୍ପେସିଆଲିଷ୍ଟ ଡାକ୍ତରଙ୍କ ବଦଳରେ ଜଣେ ଡାକ୍ତର।ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଅଧୀକ୍ଷକ ପଦବୀ ଫାଙ୍କା ପଡିଛି।ଏମଓ ଆୟୁଷ ପଦବୀ ଖାଲି ପଡ଼ିଛି।୧୫ ଜଣ ନର୍ସିଂ ଅଫିସର ବଦଳରେ ମାତ୍ର ୫ଜଣ ଅଛନ୍ତି।ଏବଂ ୬ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୭ଜଣ ନର୍ସିଂ ଅଫିସର ବଦଳରେ ମାତ୍ର ଜଣେ।୩ ଜଣ ଏଲଟି ବଦଳରେ ଜଣେ ଏଲଟି ଅଛନ୍ତି।ଏଥି ସହିତ ମୋଟ ୪ ଗୋଟି ଏମପିଏଚଏସ ତଥା ଏଲଏଚଭି ପଦବୀ ଫାଙ୍କା ପଡ଼ିବାରୁ ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ସେବା ବିଗିଡି ଯାଇଛି।କେନ୍ଦୁଝର ଜିଲ୍ଲାର ଉପାନ୍ତ ଅଞ୍ଚଳର ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆଣିବାକୁ ସମାଜସେବୀ କୈଳାସ ଚନ୍ଦ୍ର ପ୍ରଧାନ,ବ୍ଲକ ଅଧ୍ୟକ୍ଷ ବିକ୍ରମ ନାୟକ,ଜିଲ୍ଲା ପରିଷଦ ସଦସ୍ୟ କେଦାର ଚନ୍ଦ୍ର ପ୍ରଧାନ,ସମିତି ସଭ୍ୟ ବିରଞ୍ଚି କୁମାର ବେହେରା,ଅଶୋକ କୁମାର ନାୟକ,ଶତ୍ରୁଘନ ନାୟକ,ଦୀନବନ୍ଧୁ ପିଙ୍ଗୁଆ,ସରପଞ୍ଚ ପାଙ୍ଗେଲା ମୁଣ୍ଡା,ମାଇନ ମାଝୀ,ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ବାଗୁନ ଚାମ୍ପିଆ ପ୍ରମୁଖ ଦାବି କରିଛନ୍ତି।

0
0
0
s2sdefault