ହେଡଲାଇନସ୍:

ରାଉରକେଲା ଇସ୍ପାତ କାରଖାନା ଆନୁକୁଲ୍ୟରେ ଗୁରୁ ଦିବସ ପାଳିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା/ସୁଶାନ୍ତ ବେହେରା :  ରାଉରକେଲା ଇସ୍ପାତ କାରଖାନା ସହରସେବା ଶିକ୍ଷା ବିଭାଗ ଦ୍ଵାରା ସେପ୍ଟେମ୍ବର ୫ ତାରିଖରେ ଗୁରୁ ଦିବସ ପାଳନ ଅବସରରେ ସିଭିକ ସେଣ୍ଟର ଠାରେ ଆୟୋଜିତ ଉତ୍ସବରେ ଆଗାମୀ ପିଢୀର ଗଠନ ଓ ରାଷ୍ଟ୍ର ନିର୍ମାଣରେ ଶିକ୍ଷାକ୍ଷିକ୍ଷୟିତ୍ରୀଙ୍କ ଭୂମିକାର ଉଚ୍ଚ ପ୍ରଶଂସା କରାଯାଇଥିଲା। ଉତ୍ସବରେ ଆରଏସପି କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ପି କେ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଉକ୍ତ ଉତ୍ସବରେ ପ୍ରକଳ୍ପ ବିଭାଗର ଇଡ଼ି, ଶ୍ରୀ ରାଜୀବ ଅଗ୍ରୱାଲ ଏବଂ ସହର ପ୍ରଶାସନ ବିଭାଗର ଜିଏମ, ଶ୍ରୀ ଏନ କେ ସାମନ୍ତରାୟ ଉତ୍ସବରେ ସମ୍ମାନିତ ଅତିଥି ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ଵରର ଏନଏସଏସ ବ୍ୟୁର ପ୍ରୋଗ୍ରାମ କୋ-ଅର୍ଡିନେଟର, ପ୍ରଫେସର ଡକ୍ଟର ନଚିକେତା କେ ଶର୍ମା ସମ୍ମାନିତ ବକ୍ତା ରୂପେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ   ତଥା ଭାରତର ଦ୍ଵିତୀୟ ରାଷ୍ଟ୍ରପତି, ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣାନଙ୍କ ପଟ୍ଟଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ଅନୁଷ୍ଠାନିକ ରୂପେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

ଏହି ଅବସରରେ ନିଜର ଉଦବୋଧନରେ ଶ୍ରୀ ପ୍ରଧାନ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ଗୁରୁ କିଭଳି ଭାବେ ପ୍ରଭାବିତ ଓ ଅନୁପ୍ରେରିତ କରିଥାନ୍ତି, ସେ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ନିଜର ବକ୍ତବ୍ୟରେ ଶ୍ରୀ ଅଗ୍ରୱାଲ କବୀରଙ୍କ ବଚନ ଉଦ୍ଧୃତ କରିଥିଲେ ଏବଂ ଗୁରୁଙ୍କ ସ୍ଥାନ କିଭଳି ଭଗବାନଙ୍କ ଠାରୁ ମଧ୍ୟ ଉର୍ଦ୍ଧ୍ଵରେ ରହି ଆସିଛି, ସେ  ସମ୍ପର୍କରେ ଆଲୋଚନା କରିଥିଲେ।  ଗୁରୁ ଦିବସର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରି ଶ୍ରୀ ସାମନ୍ତରାୟ ନିଜର ବକ୍ତବ୍ୟରେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଗୁରୁଙ୍କ ବିଶେଷତ୍ଵ ଉପରେ ଆଲୋକପାତ କରିଥିଲେ। 

ଏହି ଅବସରରେ ସମ୍ମାନିତ ବକ୍ତା ପ୍ରଫେସର ଡକ୍ଟର ଶର୍ମା ବିଭିନ୍ନ ଉଦାହରଣ ଓ କଥା ମାଧ୍ୟମରେ କହିଥିଲେ ଯେ ଜ୍ଞାନ ଏଭଳି ଏକ ସମ୍ପଦ ଯାହା ଜଣେ ବ୍ୟକ୍ତିଙ୍କ ନିକଟରେ ଚିରଦିନ ପାଇଁ ରହିଥାଏ । ଆଜିକାଲିର ପିଲାଙ୍କ ମାନସିକ ଓ ମନସ୍ତାତ୍ତ୍ଵିକ ବିକାଶ ସହ ତାଳ ରଖିବା ପାଇଁ ସେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆହ୍ଵାନ ଜଣାଇଥିଲେ କାରଣ ସାଂପ୍ରତିକ ସମସ୍ୟାକୁ ବିଗତ ଦିନର ସମାଧାନ ସୂତ୍ରରେ ଦୂର କରାଯାଇପାରେନା । 

ଉତ୍ସବରେ ଶ୍ରୀ ପ୍ରଧାନ, ପ୍ରଫେସର ଶର୍ମାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।  ପ୍ରାରମ୍ଭରେ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୁରୁ ବନ୍ଦନା ଗାନ କରାଯାଇଥିଲା। ସହର ପ୍ରଶାସନ ବିଭାଗର ଡ଼ିଜିଏମ, ଶ୍ରୀ ପି ସି ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷା ବିଭାଗର ମ୍ୟାନେଜର, ଶ୍ରୀମତୀ ଏନ ଖାନୁମ ଅତିଥି ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷା ବିଭାଗର ଏଜିଏମ, ଶ୍ରୀ ବି କେ ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ। ସେକ୍ଟର ୨୦ ସ୍ଥିତ ଆଇ.ଇ.ଏମ.ଏସ.ର  ଛାତ୍ରୀ, ସୁଶ୍ରୀ କନିଷ୍କା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆଇ.ଇ.ଏମ.ଏସ.ର  ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ଆକର୍ଷଣୀୟ ନୃତ୍ୟ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା। 

ଉକ୍ତ କାର୍ଯ୍ୟକ୍ରମରେ ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଗୌତମ ବାନାର୍ଜୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ, ଡକ୍ଟର ଏସ ଏସ ପତି, କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ, ବହୁ ଶିକ୍ଷକ ତଥା ଆରଏସପି ପରିଚାଳିତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। 

 

 

 

0
0
0
s2sdefault