ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ଓଡିଶାକୁ ସର୍ବ ଭାରତୀୟ ସ୍ତରରେ ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • • ଉପର ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ ଶ୍ରେଷ୍ଠ ଭିତ୍ତିଭୂମି ପ୍ରକଳ୍ପ ପାଇଁ ପୁରସ୍କୃତ

  • • ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନନିମନ୍ତେ ଓଏଲଆଇସି କ୍ରମାଗତ ଦ୍ଵିତୀୟ ଥର ପାଇଁ ପୁରସ୍କୃତ

ଭୁବନେଶ୍ଵର- ଜଳ ସଂପଦ ବିଭାଗ,ଓଡିଶା, ୨୦୨୨-୨୩ ବର୍ଷରେ ଜଳ ସଂରକ୍ଷଣ ଓ ଜଳ ପରିଚାଳନା ପାଇଁ ୨ଟି ଜାତୀୟ ସ୍ତରୀୟ ‘ଓ୍ୱାଟର ଡାଇଜେଷ୍ଟ ଓ୍ୱାଟର ଆଓ୍ୱାର୍ଡ’ରେ ପୁରସ୍କୃତ ହୋଇଛି । ସେଥି ମଧ୍ୟରୁ ଗୋଟିକ ରେ ଶ୍ରେଷ୍ଠ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଉପର ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ପ୍ରକଳ୍ପ ପୁରସ୍କୃତ ହୋଇଥିବା ବେଳେ ଅନ୍ୟଟି ଓଡିଶା ଜଳସଂପଦ ବିଭାଗ ଅନ୍ତର୍ଗତ ଓଡିଶା ଉଠାଜଳସେଚନ ନିଗମକୁ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ କରାଯାଇଛି । ଓଏଲଆଇସି କ୍ରମାଗତ ଦ୍ଵିତୀୟ ଥର ପାଇଁ ଏହି ପୁରସ୍କାର ପ୍ରାପ୍ତ କରିଛି । ଓଏଲଆଇସି ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଧାଂଶୁ ମୋହନ ସାମଲ ଏବଂ ଉପର ଇନ୍ଦ୍ରାବତୀ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଠାରୁ ମାର୍ଚ୍ଚ ୧୩ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଓଡିଶା ଏହି ପୁରସ୍କାର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ , ଓଡିଶା, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜଳସମ୍ପଦ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମଧ୍ୟ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆନନ୍ଦ ପ୍ରକାଶ କରି ଜଳ ସଂପଦ ବିଭାଗ ତଥା ଓଡିଶା ଉଠା ଜଳସେଚନ ନିଗମକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରକାଶ ଥାଉକି, ଉପର ଇନ୍ଦ୍ରାବତୀ ଅତି ବୃହତ ଉଠା ଜଳସେଚନ ପ୍ରକଳ୍ପଟି କଳାହାଣ୍ଡି ଜିଲ୍ଲାର ଜୟପାଟଣା ତହସିଲ ଅନ୍ତର୍ଗତ ମଙ୍ଗଳପୁର ଠାରେ ଥିବା ହାତୀ ବ୍ୟାରେଜର ବାମ ପାର୍ଶ୍ଵରେ ଅବସ୍ଥିତ।ଏହି ପ୍ରକଳ୍ପଟି ବିଭିନ୍ନ ଭାଗ ଯେପରିକି, ୪,୬୨୭ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୧୬୦୦ ମିଲିମିଟର ବ୍ୟାସର ଆଠ ଧାଡି ଉତଥାନ ମୁଖ୍ୟ, ପମ୍ପ ଘର , ୪୩. ୨୬ କିମି କଂକ୍ରିଟ ଲାଇନଡ୍ କେନାଲ ଇତ୍ୟାଦିକୁ ନେଇ ଗଠିତ ହୋଇଛି ।ଏହି ପ୍ରକଳ୍ପ ଦ୍ଵାରା ଧର୍ମଗଡା ବ୍ଲକରେ ୫,୮୮୧ ହେକ୍ଟର, ଜୟପାଟଣା ବ୍ଲକରେ ୮,୨୦୦ ହେକ୍ଟର ଏବଂ କୋକସରା ବ୍ଲକରେ ୧୨, ୧୬୭ ହେକ୍ଟର ଏହିପର ମୋଟ ୨୬,୨୪୮ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଏହି ପ୍ରକଳ୍ପଟିକୁ ୧୪.୦୧.୨୦୨୧ ରେ ରେ ଉଦ୍ଘାଟନ କରି ଓଡିଶାବାସୀଙ୍କୁ ଉତ୍ସର୍ଗ କରିଥିଲେ। ଏହି ବର୍ଷ ପ୍ରଥମ ଥର ପାଇଁ ପ୍ରକଳ୍ପରୁ ୧୨, ୯୯୮ ହେକ୍ଟର ଚାଷଜମିକୁ ରବି ଜଳସେଚନ ଯୋଗାଇ ଯାଇଥିଲା ।ଏହି ପ୍ରକଳ୍ପଟିକୁ ୱାଟର ଡାଇଜେଷ୍ଟ ଦ୍ଵାରା ଆୟୋଜିତ ‘ଶ୍ରେଷ୍ଠ ଭିତ୍ତିଭୂମି ଅଗ୍ରଗାମୀ ପ୍ରକଳ୍ପ’ ବର୍ଗରେ ‘ ଓ୍ୱାର୍ଲଡ ୱାଟର ପୁରସ୍କାର ୨୦୨୨-୨୩’ ପ୍ରଦାନ କରାଯାଇଛି ।
ସେହିପରି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପଗୁଡିକ ରାଜ୍ୟର କୃଷକମାନଙ୍କୁ ଆବଶ୍ୟକୀୟ ଜଳସେଚନ ସୁବିଧା ଯୋଗାଇଦେବା ଦ୍ଵାରା ଉଭୟ ଖରିଫ ଓ ରବି ଋତୁରେ ବିବିଧ ଚାଷ ପ୍ରକ୍ରିୟାରେ ସହାୟକ ହୋଇପାରିଛି । ଏଥି ସହିତ କୃଷକ ଗୋଷ୍ଠୀମାନଙ୍କର ଉନ୍ନତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଵଳ୍ପ ବ୍ୟୟରେ ଓ ସହଜରେ ପ୍ରକଳ୍ପର କାର୍ଯ୍ୟ।ନ୍ଵୟନ ଦ୍ଵାରା ଜଳସେଚନ ସୁବିଧା ଯୋଗୁଁ କୃଷକମାନେ ବହୁଳ ଭାବେ ଉପକୃତ ହେବା ସହିତ ସଶକ୍ତ ହୋଇପାରିଛନ୍ତି ।
ଓଡିଶାରାଜ୍ୟ ଜଳ ସଂପଦ ବିଭାଗକୁ ଏହି ପୁରସ୍କାର ପ୍ରଦାନ ତଥା ବିଭାଗର ଏହି ସଫଳତା ପାଇଁ ଆଜି ରାଜ୍ୟ ଜଳ ସଂପଦ ବିଭାଗ (ରାଜୀବ ଭବନ)ଠାରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ, ଓଏଲଆଇସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ, ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ଉପସ୍ଥିତିରେ ବିଭାଗ ତଥା ଓଏଲଆଇସିର ଅଧିକାରୀ ,ଯନ୍ତ୍ରୀ ଓ କର୍ମଚାରୀ ମାନେ ସମବେତ ହୋଇ ଟ୍ରଫି ଓ ପ୍ରମାଣ ପତ୍ର ସହଖୁସି ବାଣ୍ଟିଥିଲେ ।କଠିନ ପରିଶ୍ରମ, ଉତ୍ସର୍ଗୀକୃତ କାର୍ଯ୍ୟ ମନୋଭାବ, ପ୍ରତିବଦ୍ଧତା ଓ ସାମୁହିକ ଉଦ୍ୟମ ଫଳରେ ଏହି ସଫଳତା ମିଳିଛି ଓ ଆଗାମୀ ଦିନରେ ବିଭାଗର ଅନ୍ୟ ଶାଖା ଏବଂ ଯୋଜନାରେ ମଧ୍ୟ ଆହୁରି ଭଲ କରାଯାଇ ଆଗାମୀ ଦିନରେ ଅଧିକ ପୁରସ୍କାର ପ୍ରାପ୍ତି ପାଇଁ ସବୁ ସ୍ତରରେ ପ୍ରୟାସ ଜାରି ରଖିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ ।

0
0
0
s2sdefault