-
ନେତାଙ୍କ ସ୍ୱାର୍ଥର ସାରଥୀ ନହେବାକୁ ବିଜେପି କର୍ମୀଙ୍କୁ ପରାମର୍ଶ
-
ଏହି ଘଟଣାରେ ଧର୍ମେନ୍ଦ୍ରଙ୍କ ନିରବତାକୁ ନେଇ ପ୍ରଶ୍ନ
-
ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ
ଭୁବନେଶ୍ୱର: ଗତକାଲି ଆନ୍ଦୋଳନ ନାଁରେ ଭାରତୀୟ ଯୁବମୋର୍ଚ୍ଚା ତରଫରୁ ଯେଉଁ ଆତଙ୍କରାଜ ସୃଷ୍ଟି କରାଗଲା ତାହାକୁ ସାଢେ ୪କୋଟି ଓଡିଶାବାସୀ ନିନ୍ଦା କରୁଛନ୍ତି । ସୁରକ୍ଷାକର୍ମୀଙ୍କ ଉପରେ ହଠାତ୍ ଉତକ୍ଷିପ୍ତ ହୋଇ ଆକ୍ରମଣ କରିବା ଗୋଟିଏ କଥା, ହେଲେ ଓଡିଶା ବିଜେପି ପକ୍ଷରୁ ଯୋଜନାବଦ୍ଧ ଆକ୍ରମଣ ହୋଇଥିଲା ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରମୟୀ ମିଶ୍ର ।
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ଶ୍ରୀମତୀ ମିଶ୍ର ଏବଂ ଶ୍ରୀ ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି ଯେ ଗତକାଲି ଆକ୍ରମଣ ଏତେ ସାଂଘାତିକ ଥିଲା ଯେ ଏଥିରେ ୨୧ଜଣ ପୁଲିସ୍ କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । ଦୁଇ ଜଣଙ୍କୁ କଟକ ରେଫର କରିବାକୁ ପଡିଲା । ହେଲେ ଅନ୍ୟ ପକ୍ଷରେ ବିଜେପି କର୍ମୀ କିନ୍ତୁ ଲୋକଦେଖାଣିଆ ଭାବେ ହସ୍ପିଟାଲକୁ ଯାଇଥିଲେ ଆଉ ପରେ ଡିସ୍ଚାର୍ଜ ହୋଇ ପଳାଇଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଯେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟ ପୁଲିସ୍ କିଭଳି ଧୈର୍ଯ୍ୟର ସହ କାର୍ଯ୍ୟ କରିଛି ।
କିରୋସିନି ନେଇକି ଆସିବେ ବସ୍ ଜାଳିବାକୁ, ପକେଟରେ ପଥର ପୁରାଇ ଆସିବେ ଆକ୍ରମଣ କରିବାକୁ । ହେଲେ ଏହା ପଛର ଅସଲ ଉଦ୍ଦେଶ୍ୟ କ’ଣ ? ଜଣେ ବ୍ୟକ୍ତି ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବାକୁ ଏଭଳି ଷଡଯନ୍ତ୍ର କରୁଛନ୍ତି, ଆପଣମାନଙ୍କୁ ବ୍ୟବହାର କରୁଛନ୍ତି । ବିଜେପିର ଯୁବବନ୍ଧୁମାନଙ୍କୁ ଆମର ଅନୁରୋଧ, ଦୟାକରି ଏଭଳି କାହା ଟ୍ରାପରେ ଫସନ୍ତୁ ନାହିଁ ବୋଲି ବିଜେଡି ପ୍ରବକ୍ତା ଦ୍ୱୟ କହିଛନ୍ତି ।
ବିଜେଡି ପକ୍ଷରୁ କୁହାଯାଇଛି ଯେ ଗତକାଲି ଯେଭଳି ସଂଘବଦ୍ଧ ଭାବେ ବିଜେପି ଯୁବକର୍ମୀଙ୍କ ପକ୍ଷରୁ ପୁଲିସ୍ ଉପରେ ଆକ୍ରମଣ ହୋଇଥିଲା ସେମାନେ ଏଭଳି କାର୍ଯ୍ୟ କରିବେ ବୋଲି ଦୁଇ ତିନି ଦିନ ଆଗରୁ ଜଣାପଡିଥିଲା । ବିଜୁ ଜନତା ଦଳ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ସହ ଗଣମାଧ୍ୟମକୁ ଅବଗତ କରାଯାଇଥିଲା । ପୁଲିସ୍ ଉପରେ ଆକ୍ରମଣ କରି ଆଇନଶୃଙ୍ଖଳାକୁ ହାତକୁ ନେଇ ଅରାଜକତା ସୃଷ୍ଟି କରିବା ଥିଲା ସେମାନଙ୍କର ଉଦ୍ଦେଶ୍ୟ ।
ପୂର୍ବରୁ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍ ଅଧିକାରୀଙ୍କୁ ଶାରିରୀକ ଆକ୍ରମଣ କରିବା ସହ ଦୁର୍ବ୍ୟବହାର ଏବଂ ଗାଳିଗୁଲଜ କରିଥିଲେ । ଆକ୍ରମଣର ଶିକାର ହୋଇଥିବା ପୁଲିସ୍ ଅଧିକାରୀଙ୍କର ପରିବାର ଅଛି, ସେ ନିଜ ବାପା, ମା ଏବଂ ପିଲାଙ୍କୁ ଘରେ ଛାଡି ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ତୁଲାଇବାକୁ ଆସିଥିଲେ । ସବୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ଏହି ପ୍ରସଙ୍ଗ ଉପରେ ଚୁପ୍ ରହିଥିଲେ ? ପୁଲିସ୍ ଉପରେ ଗତକାଲି ଯେଉଁଭଳି ଅମାନୁଷିକ ଆକ୍ରମଣ ହେଲା ସେ ନେଇ କାହିଁକି ଚୁପ୍ ଅଛନ୍ତି ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି ।
ବିଜେଡି ପ୍ରକକ୍ତା ଦ୍ୱୟ କହିଛନ୍ତି ଯେ ଯାହା ଉପରେ ଆକ୍ରମଣ ହେଲା ସେମାନେ ସମସ୍ତେ ଓଡିଶାର ଯୁବକ ଯୁବତୀ । ରୋଜଗାର କରି ପରିବାର ଚଳାଇବା ପାଇଁ ଚାକିରି କରୁଛନ୍ତି । ଯାହାର ମୁଣ୍ଡ ଫାଟିଛି, ଯିଏ ଆହତ ହୋଇଛି ତାର ବି ପରିବାର ଅଛି । ସେମାନେ ସମସ୍ତେ ଆସିଛନ୍ତି ନିଜ କର୍ତ୍ତବ୍ୟ କରିବାକୁ । ବିଜେପି ଯୁବମୋର୍ଚ୍ଚା ବିଧାନସଭା ଘେରାଉ କରିବା ବେଳେ ଅରାଜକ ତତ୍ତ୍ୱ ଯେଭଳି ବିଧାନସଭାରେ ପଶିନଯାଆନ୍ତି ସେଥିପାଇଁ ଏମାନେ ସମସ୍ତେ ଓଡିଶା ବିଧାନସଭାର ଗାରିମାକୁ ରକ୍ଷା କରିବାକୁ ଏବଂ ସୁରକ୍ଷା ଯୋଗାଇବାକୁ ସାମ୍ନାରେ ଠିଆ ହେଲେ ।
ବିଜେପିର ଯୁବବନ୍ଧୁ ମାନେ ଆନ୍ଦୋଳନ ପାଇଁ ଆସିଥିଲେ, ସେମାନଙ୍କୁ ଆମେ କହିବାକୁ ଚାହୁଁଛୁ, ଆପଣଙ୍କର ବି ପରିବାର ଅଛି, ଆପଣ ବି ସରକାରୀ ଚାକିରି ପାଇଁ ଇଚ୍ଛା ରଖିଛନ୍ତି । ଆପଣଙ୍କ ଭିତରୁ ବି ଅନେକ ପୁଲିସ୍ ଚାକିରି କରିବାକୁ ଇଚ୍ଛୁକ ଥିବେ । ତୁମ ଉପରେ ଏଭଳି ମାଡ ଓ ଆକ୍ରମଣ ହେଲେ ତୁମ ପରିବାର ଉପରେ କଣ ବିତିବ, ସେମାନେ କ’ଣ କରିବେ ? କିଛି ନେତା ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣମାନଙ୍କୁ ବ୍ୟବହାର କରୁଛନ୍ତି ଏବଂ ଆଗକୁ ବ୍ୟବହାର କରିବାକୁ ମଧ୍ୟ ଯୋଜନା କରୁଛନ୍ତି । ଦୟାକରି କାହାର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ମୋହରା ସାଜନ୍ତୁ ନାହିଁ ।
ସୁରକ୍ଷାକର୍ମୀ ଯିଏ ମାଡ ଖାଇଲେ ସିଏ ଓଡିଶାର, ବିଜେପି କର୍ମୀ ଯିଏ ମାଡ ମାରିଲେ ସିଏ ବି ଓଡିଶାର । ଯାହା ନାଁରେ ଏଭଳି ହୀନ କାର୍ଯ୍ୟ ପାଇଁ ମାମଲା ହୋଇଛି ସେମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ, କିଛି ମାସ ଜେଲ ଯିବେ, ଆପଣଙ୍କ ପରିବାର ଓ ଆପଣଙ୍କ ବାପ ମା’ଙ୍କ ଉପରେ କି ପ୍ରଭାବ ପଡିବ ସେ ବିଷୟରେ ଥରେ ଚିନ୍ତା କରିଛନ୍ତି କି ବୋଲି ବିଜେଡି ପ୍ରବକ୍ତା ଦ୍ୱୟ ପ୍ରଶ୍ନ କରିଛନ୍ତି ।