ହେଡଲାଇନସ୍:

ସୁଖୀ ଓଡ଼ିଶା ର୍ନିମାଣରେ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ଐତିହାସିକ ପଦକ୍ଷେପ: ନବୀନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

||ଫକୀର ମୋହନ ମେଡିକାଲ କଲେଜ ଉଦ୍ଘାଟିତ||

ରାଜ୍ୟ ସରକାର ତୁରନ୍ତ ଜମି ଯୋଗାଇ ଦେଲେ ୪ ଗୋଟି ମେଡିକାଲ କଲେଜ୍ ଖୁବ ଶୀଘ୍ର :  କେନ୍ଦ୍ର ମନ୍ତ୍ରୀ 

ଖୁବଶୀଘ୍ର ଏକ ଟିଚିଂ ହସପିଟାଲ ପ୍ରତିଷ୍ଠା  କରାଯିବ :  ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ  ଜେନା

ବାଲେଶ୍ୱର/ ଉଜ୍ଜ୍ୱଳ କର : ଦୀର୍ଘଦିନର ପ୍ରଚେଷ୍ଟା ପରେ ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ୍ ଓ ହସପିଟାଲ ଆଜି ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାସକବିଙ୍କ ପ୍ରତିମୂର୍ତ୍ତି ଅନାବରଣ ସହିତ ମେଡିକାଲ କଲେଜ୍ ଫଳକକୁ ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରିଥିଲେ । ପରେ କଲେଜ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ଶୁଭଚ୍ଛୋ ଜଣାଇବା ସହ ବାଲେଶ୍ୱରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେ କି ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ନୂଆ ଏକ ଅଧ୍ୟାୟ ଶୁଭାରମ୍ଭ ହେଲା ।  ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସମେତ ଡକ୍ଟର କୁନ୍ତଳା କୁମାରୀ ସାବତଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହା ଉତ୍ସର୍ଗ  କରାଗଲା । ତେବେ ଗତ ସ୍ୱାଧୀନତା ଦିବସରୁ ଓଡ଼ିଶାରେ ଆରମ୍ଭ ହୋଇଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ଅଟେ । ସୁଖୀ ଓଡ଼ିଶା  ନିର୍ମାଣ ଓ ସ୍ୱାସ୍ଥ୍ୟ ଓଡ଼ିଶା ଗଠନ ସହ ପ୍ରତ୍ୟେକ ପରିବାର ନିକଟରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ ଏହି ଯୋଜନାର ମୂଳ ଲକ୍ଷ୍ୟ ହୋଇଛି । ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଦ୍ୱାରା ଓଡ଼ିଶାର ୭୦ ଲକ୍ଷ ପରିବାର ଉପକୃତ ହୋଇ ପାରିବେ । କେବଳ ସ୍ୱାସ୍ଥ୍ୟସେବା ନୁହେଁ ବରଂ ରାଜ୍ୟର ପ୍ରତିଟି କ୍ଷେତ୍ରରେ ବିକାଶର ଧାରା ସୃଷ୍ଟି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ଫକୀର ମୋହନ ମେଡିକାଲ କଲେଜ୍ ସମେତ ରାଜ୍ୟରେ ପ୍ରତିଷ୍ଠା  ହୋଇଥିବା ୪ ଗୋଟି ମେଡିକାଲ କଲେଜ୍ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ବେଶ ସହାୟକ ହେବ ବୋଲି କହିଥିଲେ । ରାଜ୍ୟ ସରକାର ତୁରନ୍ତ ଜମି ଯୋଗାଇ ଦେଲେ ପୁରୀ ସମେତ ଯାଜପୁର, ଭଦ୍ରକ ଓ ଢେଙ୍କାନାଳରେ ମଧ୍ୟ ମେଡିକାଲ କଲେଜ୍ ପ୍ରତିଷ୍ଠା  ହେବ ବୋଲି ସେ ସୂଚନା ଦେଇଥଲେ । ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ଅନ୍ୟଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦର ପାତ୍ର ଅଟନ୍ତି । ମାତ୍ର ଗରିବ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଉଦ୍ଧିଷ୍ଟ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ମଧ୍ୟ ଓଡ଼ିଶାରେ କାର୍ଯ୍ୟକାରୀର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଦେଶର ୨୯ଟି ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାକୁ ବାଦ୍ ଦେଲେ ଏହା ପୂର୍ଣ୍ଣାଙ୍ଗ ହୋଇ ପାରିବ ନାହିଁ ବୋଲି ସେ ମତ ଦେଇଥିଲେ । ଓଡ଼ିଶା ପ୍ରଭୁ ଶ୍ରୀଜଗନ୍ନାଥ ଓ ବିହାରର  ଶ୍ରୀବୈଦ୍ୟନାଥ ମିଶିଲେ ହିଁ ବିକଶିତ ଭାରତ ନିର୍ମାଣ ସମ୍ଭବ ହୋଇପାରିବ ବୋଲି  ମନ୍ତ୍ରୀ ଶ୍ରୀ ଚୌବେ କହିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା, ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ବାଲେଶ୍ୱର ସମେତ ଓଡ଼ିଶାରେ ୪ ଗୋଟି  ନୂଆ ମେଡିକାଲ କଲେଜ୍ ସମ୍ଭବ ହୋଇପାରିଛି । ପୂର୍ବରୁ ଓଡ଼ିଶାରେ ପ୍ରତିବର୍ଷ ୪୫୦ ଜଣ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ିବାକୁ ସୁଯୋଗ ପାଉଥିବା ବେଳେ ଏବେ ସେହି ସଂଖ୍ୟା ୧୦୫୦ ଛୁଇଁଛି ବୋଲି ସେମାନେ କହିଥିଲେ । ତେବେ ଏହି ଫକୀର ମୋହନ ମେଡିକାଲ କଲେଜରେ ଖୁବଶୀଘ୍ର ଏକ ଟିଚିଂ ହସପିଟାଲ ପ୍ରତିଷ୍ଠା  କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ  ଜେନା ସୂଚନା ଦେଇଥିଲେ ।  ଅନ୍ୟପକ୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହିତ ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ବାର୍ଷିକ ବଜେଟ୍ରେ ୯୧୩ କୋଟି ଟଙ୍କାର ବ୍ୟୟବରାଦ ଅନ୍ୟାନ୍ୟ ରାଜ୍ୟ ପାଇଁ ଉଦାହରଣ ହୋଇପାରିଛି ବୋଲି ବାଲେଶ୍ୱର ସାଂସଦ ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୋର ବିଧାୟକ ପର୍ଶୁରାମ ଧଡ଼ା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷ ଆଲୋକ କୁମାର ସାହୁ ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରତାପ କୁମାର ରଥ  ବିବରଣୀ ଉପସ୍ଥାପନ କରିଥିଲେ । ଭାରପ୍ରାପ୍ତ ସଦର ତହସିଲଦାର ଅନୁଜା ତାରିଣୀ ମିଶ୍ର ଏହିଉତ୍ସବରେ ସଂଯୋଜନା କରିଥିବା ବେଳ ମେଡିକାଲ କଲେଜ୍ ଅଧୀକ୍ଷକ ଡାକ୍ତର ସୁଧୀର କୁମାର ଘୋଷ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମେଡିକାଲ କଲେଜର ନବାଗତ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ  କମିଟି ଓ ବାଲେଶ୍ୱର ବରିଷ୍ଠ  ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିଙ୍କୁ ପୁଷ୍ପଗୁ୍ଚ୍ଛ ଅର୍ପଣ ପୂର୍ବକ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ମଞ୍ଚାସୀନ ଅତିଥିମାନେ ଚଳିତବର୍ଷ ନାମ ଲେଖାଇଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ସହ ଫଟୋପୋଜ ଦେଇଥିଲେ ।

 

0
0
0
s2sdefault