ନୟାଗଡ଼,୨୦ା୨ : ପୂର୍ବତଟ ରେଳ ବିଭାଗ କ୍ରମାଗତଭାବେ ନୟାଗଡ଼ ଜିଲ୍ଲାକୁ ଉପେକ୍ଷା କରି ଚାଲିଛି । କିଛି ଦିନ ତଳେ ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ୧୮୪୨୩/୧୮୪୨୪ ନଂ ମେମୁ ଟ୍ରେନକୁ ହଟାଇ ଏକ ପୁରୁଣା ଟ୍ରେନ ଚାଲୁଥିଲା । ମାତ୍ର ଏହି ଟ୍ରେନକୁ ନିୟମିତ ଭାବେ ସଫା କରାଯାଉ ନଥିବାରୁ ଏଥିରେ ଧୂଳିମଳି ଜମି ଆବର୍ଜନାମୟ ହେଉଥିଲା । ଏପରିକି ଏହାର ଶୌଚାଳୟ ଅପରିଷ୍କାର ଅପରିଚ୍ଛନ୍ନ ରହିବା ସହିତ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲା । ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ତଥା ବୁଦ୍ଧିଜୀବୀ ମାନେ ଘୋର ପ୍ରତିବାଦ କରିବାରୁ ଆଜିଠାରୁ ପୂର୍ବରୁ ଚାଲୁଥିବା ନୂଆ ମେମୁ ଟ୍ରେନଟି ଚଳାଚଳ ଆରମ୍ଭ କରିଛି । ସେହିପରି ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ତଥା ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଅଧିକ ଟ୍ରେନ ଚଳାଚଳ ପାଇଁ ରେଳବିଭାଗ ନିକଟରେ ବାରମ୍ବାର ଦାବି କରାଯାଉ ଥିବା ବେଳେ ବିଭାଗ ଏଥିପ୍ରତି ଭୃକ୍ଷେପ କରୁନାହିଁ । ନୟାଗଡ଼ ଜିଲ୍ଲାବାସୀ ଭ୍ରମଣ କିମ୍ବା ବ୍ୟବସାୟିକ କାରବାର ନିମନ୍ତେ କଲିକତା,ଖଡ଼ଗପୁର,ବିଶାଖାପାଟଣ.ରାୟପୁର ଆଜି ରାଜ୍ୟ ବାହାରକୁ ବହୁ ସମୟରେ ଯିବା ଆସିବା କରୁଥିବା ବେଳେ ଏହି ରୁଟରେ ଟ୍ରେନ ଚଳାଚଳ ପାଇଁ ବିଭାଗ ନିକଟରେ ବାରମ୍ବାର ଦାବି କରାଯାଇ ଆସୁଅଛି । ସେହିପରି ନୟାଗଡ଼ରୁ କଟକ,ବ୍ରହ୍ମପୁର,ସମ୍ବଲପୁର, ପାରାଦ୍ୱୀପ ଆଦି ସ୍ଥାନକୁ ଲୋକାଲ ଟ୍ରେନ ଚଳାଚଳ ପାଇଁ ମଧ୍ୟ ବିଭିନ୍ନ ସମୟରେ ଦାବି ହେଉଛି । ଅନ୍ୟପକ୍ଷରେ ଯେଉଁ ଟ୍ରେନ ଗୁଡ଼ିକ ଖୋର୍ଦ୍ଧାରୋଡ଼ରୁ ବାହାରି ଏହି ସବୁ ସ୍ଥାନକୁ ଯିବାଆସିବା କରୁଛି ସେହି ଟ୍ରେନ ଗୁଡ଼ିକୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ସଂପ୍ରସାରଣ କରାଗଲେ ଜିଲ୍ଲାବାସୀ ବିଶେଷଭାବେ ଉପକୃତ ହୋଇ ପାରନ୍ତେ । ଚଳିତ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ୧୪ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପ୍ରକଳ୍ପ କାମ ଖୁବ ମନ୍ଥର ଗତିରେ ଚାଲିଛି । ରେଳମନ୍ତ୍ରୀ ଡ.ଅଶ୍ୱିନୀ ବୈଷ୍ଣବ ମାର୍ଚ୍ଚ ମାସ ସୁଦ୍ଧା ଦଶପଲ୍ଲା ଷ୍ଟେସନ କାର୍ଯ୍ୟକ୍ଷମ ହୋଇ ଟ୍ରେନ ଚଳାଚଳ କରିବ ବୋଲି ଘୋଷଣା କରିଥିବା ବେଳେ ଯେଉଁ ହାରରେ କାମ ଚାଲିଛି ଏହି ସମୟ ମଧ୍ୟରେ ଟ୍ରେନଗଡ଼ିବା ଆଶା କ୍ଷୀଣ । ସୂଚନା ଯୋଗ୍ୟ ଯେ ଗତ ୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ଦାବି କ୍ରମେ କେନ୍ଦ୍ର ସରକାର ତାଳଚେର ଗୋପାଳପୁର ରେଳପଥ ନିର୍ମାଣ ପ୍ରକଳ୍ପ ପାଇଁ ସମ୍ମତି ପ୍ରକାଶ କରି ଏଥିପାଇଁ ୫୦୨୨.୬୪ କୋଟି ଟଙ୍କାର ପ୍ରାରମ୍ଭିକ ଅଟକଳ ପ୍ରସ୍ତୁତ କରିଥିଲେ । ଇତି ମଧ୍ୟରେ ଫାଇନାଲ ଲୋକେସନ ସର୍ଭେ କାର୍ଯ୍ୟ ଶେଷ ହୋଇ ସାରିଛି । ୨୯୩ କିମି ଦେର୍ଘ୍ୟ ଏହି ରେଳପଥ ନିର୍ମାଣ ହେଲେ ଏହାଦ୍ୱାରା ଏହି ୫ଟି ଜିଲ୍ଲାର ସାମାଜିକ,ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ । ବିଶେଷ କରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା,କଣ୍ଟିଲୋ,ଭାପୁର,ଶରଣକୁଳ,ଓଡ଼ଗାଁ ଆଦି କ୍ଷେତ୍ରର ପର୍ଯ୍ୟଟନର ବିକାଶ ଘଟିବା ସହିତ ଏହି ସ୍ଥାନ ମାନଙ୍କରେ ରେଳ ଷ୍ଟେସନ ନିର୍ମାଣ ହେବାର ପ୍ରସ୍ତାବ ରହିଛି । ମାତ୍ର ଚଳିତ ବଜେଟରେ ଏହି ପ୍ରକଳ୍ପ ପାଇଁ କୌଣସି ବ୍ୟୟବରାଦ କରାଯାଇ ନାହିଁ । ଏହାକୁ ନେଇ ମଧ୍ୟ ଜିଲ୍ଲାରେ ଅସନ୍ତୋଷର ଦାନା ବାନ୍ଧୁଛି । ଗତ ଅକ୍ଟୋବର ମାସରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ରେଳ ଷ୍ଟେସନଠାରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଦାବି ଗୁଡ଼ିକ ମଧ୍ୟରେ ନୂତନ ଟ୍ରେନ ଚଳାଚଳ,ବାତିଲ ହୋଇଥିବା ଟ୍ରେନ ଗୁଡ଼ିକୁ ପୁନଃ ଚଳାଚଳ, ମେନରୋଡ଼ରୁ ଷ୍ଟେସନକୁ ଆସିଥିବା ରାସ୍ତାର ମରାମତି, ଷ୍ଟେସନ ପରିସର ସଫାସୁତୁରା ରଖିବା ଆଦି ଅନ୍ତର୍ଭୁକ୍ତ । ମାତ୍ର ସେତେବେଳ ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଥିବା ବେଳେ କୌଣସି ଗୋଟିଏ ବି ପ୍ରତିଶୃତି ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ପୂରଣ କରାଗଲା ନାହିଁ । ନୟାଗଡ଼ ଜିଲ୍ଲାପ୍ରତି ରେଳ ବିଭାଗର ଏପରି ବୈମାତୃକ ମନୋଭାବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଥିବା ଜଣାପଡ଼ିଛି ।
ରାଜ୍ୟ
ନୟାଗଡ଼ ଜିଲ୍ଲାପ୍ରତି ରେଳବିଭାଗର ବୈମାତୃକ ମନୋଭାବ
- Hits: 287