ହେଡଲାଇନସ୍:

ସରକାରଙ୍କ ଐରାବତ ଯୋଜନା ଦିଗହରା,ଖାଲି ଘୋଷଣା ଭିତରେ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସହ୍ୟ ହେଲାଣି ହାତୀ-ମଣିଷ ଲଢେଇ ,ଭଗବାନଙ୍କ ଭରଷାରେ ଚାଷୀ


କାମାକ୍ଷାନଗର,(ରିତେଶ ବ୍ରହ୍ମା): ଅସହ୍ୟ ହୋଇ ଗଲାଣି ହାତୀ-ମଣିଷର ଲଢେ଼ଇ । କରୋନାର ଦୁଃଖ ଠାରୁ ହାତୀ ଉପଦ୍ରବର ଦୁଃଖ ଏବେ ଚାଷୀ ଭାଇ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ହାତୀ ଆତଙ୍କରେ ଥରହର ଏବେ ସମ୍ପୂର୍ଣ୍ଣ ଗାଁ ଠୁ ସହର । ଚାଷୀଙ୍କ ଚିନ୍ତା ବଢ଼ାଉଛି ହାତୀ ଉପଦ୍ରବ ।ତେବେ ବନ ବିଭାଗ ହାତୀ ଘଉଡାଇବାରେ ନୟାନ୍ତ ହୋଇ ଗଲାଣି ,ତଥାପି ଫୋର ଟ୍ୱେଣ୍ଟି ଢେଙ୍କାନାଳ ।ଢେଙ୍କାନାଳ ବନଖଣ୍ଡ ଅଧିନରେ ଥିବା ୮ ଗୋଟି ରେଞ୍ଜ ମଧ୍ୟରୁ ରେଡ୍ ଆଲର୍ଟରେ ରହିଛି ମହାବିରୋଡ଼, ହିନ୍ଦୋଳ,କପିଳାସ ଏବଂ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ । ବର୍ଷ ତମାମ ଏହି ରେଞ୍ଜ ଗୁଡିକରେ ରହୁଛନ୍ତି ଚାରି ଶହରୁ ଉର୍ଦ୍ଧ୍ଵ ହାତୀ । ଚାଷୀଙ୍କ ଚିନ୍ତା ବଢାଇବା ସହ ବନ ବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଓଡ଼ିଶାରେ ଶିମିଳିପାଳ ପରେ ଢେଙ୍କାନାଳ ହେଉଛି ଦ୍ୱିତୀୟ ହାତୀ ବହୁଳ ଅଂଚଳ । ଅନେକ ଚାଷୀ ଏବେ ହାତୀ ଆତଙ୍କ ଯୋଗୁଁ ଚାଷ ମଧ୍ୟ ଛାଡି ଦେଲେଣି । ଘରୁ ଚାଷ ଜମିକୁ ଯିବାକୁ ଏବେ ଡରୁଛି ଚାଷୀ । ହାହାକାର ସମ୍ପୂର୍ଣ୍ଣ ପରଜଙ୍ଗ ବ୍ଲକ ଅନ୍ତର୍ଗତ ମହାବିରୋଡ଼ ରେଞ୍ଜ ଅଧିନରେ ଥିବା ପାଟରପଦା ,କୁମୁସି ,ରେଣ୍ଠାପାଟ ,ରୋଡ଼, ଲୋଧଣୀ ,କନ୍ଦରସିଂହା ,ଡମୋଳ ,ସରାଙ୍ଗ ,ପିତିରି ,କୁଆଳୋ ,ପରଜଙ୍ଗ ପଂଚାୟତରେ ଥିବା ସମସ୍ତ ଗାଁର ଲୋକମାନେ । ସେହିପରି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ପଥରଖମ୍ବ,ବସୋଇ ,କଙ୍କିଳି ,ତୁମୁସିଙ୍ଗା ,କଣ୍ଟାପାଳ ,ସୋଗର ,ରାୟନୃସିଂହପୁର ଗାଁରେ ହାତୀ ଉପଦ୍ରବ ଓ ଆତଙ୍କ ଚରମ ସୀମାରେ ପହଞ୍ଚିଛି । ମହାବିରୋଡ଼, ହିନ୍ଦୋଳ ,କପିଳାସ ଓ ଷଡଙ୍ଗୀ ରେଞ୍ଜ ଅଞ୍ଚଳରେ ବର୍ଷ ତମାମ ହାତୀ ମଣିଷ ଲଢେଇ ଲାଗି ରହିଛି । କେତେବେଳେ ହାତୀର ମୃତ୍ୟୁ ହେଉଛି ତ ,କେତେବେଳେ ମଣିଷର ମୃତ୍ୟୁ ହେଉଛି । ଏଥପ୍ରତି ବନ ବିଭାଗ ନା ହାତୀକୁ ସୁରକ୍ଷା ଦେଉଛି ନା ମଣିଷକୁ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ହାତୀ ଉପଦ୍ରବ ରୋକିବା ପାଇଁ ଗତ ବର୍ଷ ମହାବିରୋଡ଼ ରେଞ୍ଜ ପାଇଁ ୨୧ ଲକ୍ଷ ଟଙ୍କା ବ୍ୟୟରେ ଏକ ଐରାବତ ବସ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ହାତୀ ଘଉଡ଼ାଇବା ପାଇଁ ସମସ୍ତ ବ୍ୟବସ୍ଥା ରହିଛି। ତଥାପି ବନ ବିଭାଗ ହାତୀ ଘଉଡାଇବା ପାଇଁ ଅକ୍ଷମ । ପ୍ରତିବର୍ଷ ବନ ବିଭାଗ ମହାବିରୋଡ଼ ରେଞ୍ଜ ପାଇଁ କୋଟି କୋଟି ଟଙ୍କାର କ୍ଷୟକ୍ଷତି ଦେଉଛନ୍ତି । ମାତ୍ର ତାହା ଚାଷୀ ଭାଇ ମାନେ ପାଇ ପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ବନ ବିଭାଗର ଦାୟିତ୍ୱ ହୀନତା ଯୋଗୁଁ ନିରୀହ ମଣିଷ ଓ ହାତୀ ଗୁଡିକ ବଳୀ ପଡୁଛନ୍ତି । ସକାଳୁ ଚାଷୀଟିଏ ଘରୁ ବାହାରକୁ ଡରୁଛି । ହାତୀ ମାନେ ଚାଷ କିଆରୀକୁ ଦଳିମକଚି ନଷ୍ଟ କରି ଦେଲେଣି ହେଲେ ବନ ବିଭାଗ ଚୁପ । ଯାହାକୁ ନେଇ ଚାଷୀ ଭାଇମାନେ ବନ ବିଭାଗକୁ ଦୋଷ ଦେଇଛନ୍ତି ।ମହାବିରୋଡ଼ ରେଞ୍ଜ ଅଧୀନରେ ଥିବା ଡ଼ିହଡୋଳ ସେକ୍ସନରେ ବର୍ଷ ତମାମ ପ୍ରାୟ ଶହେରୁ ଉର୍ଦ୍ଧ୍ଵ ହାତୀ ରହୁଛନ୍ତି । ଲୋକମାନେ ଘରୁ ଚାଷ ଜମିକୁ ଯିବା ପାଇଁ ଡରୁଛନ୍ତି । ନିକଟରେ ଅନେକ ନିରୀହ ଲୋକଙ୍କ ଜୀବନ ହାତୀ ଆକ୍ରମଣରେ ଯାଇଥିବା ବେଳେ ହାତୀ ମାନେ ମଧ୍ୟ ବାଦ୍ ପଡି ନାହାଁନ୍ତି । ହାତୀ ଓ ମଣିଷଙ୍କ ମୃତ୍ୟୁ ଲାଗି ରହିଛି । ତେବେ ହାତୀ ଉପଦ୍ରବ ସାଙ୍ଗକୁ ଆକ୍ରମଣ ସମଗ୍ର ଅଂଚଳରେ ଏକ ପ୍ରକାରର କୋକୁଆ ଭୟ ସୃଷ୍ଟି କରିଛି । ବନ ବିଭାଗ ହାତ ଘଉଡାଇବା ପାଇଁ ନୟାନ୍ତ ହୋଇ ସାରିଲାଣି । ସେହିପରି ୫୫ ନଂ ଜାତୀୟ ରାଜପଥର ଓଡ଼ାପଡା ,ଗୁଡ଼ିଆକାଟେଣୀ ,ମେରାମୁଣ୍ଡଳୀ ଏବଂ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ସୋଗର ,ପଣ୍ଡୁଆ ନିକଟରେ ହାତୀ ମାନେ ରାଜପଥକୁ ଅବରୋଧ କରିବା ସହ ସଦା ସର୍ବଦା ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ମହାବିରୋଡ଼ ଓ ହିନ୍ଦୋଳ ହାତୀ ମାନଙ୍କର ଚରାଭୂଇଁ ପାଲଟିଛି । ତେଣୁ କୌଣସି ଉପାୟ ନପାଇ ଚାଷୀ ଭାଇ ମାନେ ଭଗବାନଙ୍କ ଭରଷାରେ କାଳାତିପାତ କରୁଛନ୍ତି ।
ଗତ ବର୍ଷ ହାତୀ ଉପଦ୍ରବ ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କାର କ୍ଷତି ପୂରଣ ଦିଆଯାଇଛି । ତେବେ ଘର ଭଙ୍ଗା ବାବଦକୁ ପ୍ରାୟ ୩୦ ଲକ୍ଷ ଟଙ୍କା ଲୋକଙ୍କୁ ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତବର୍ଷ ପ୍ରାୟ ୨୫ ଜଣ ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଏବଂ ୮ ଗୋଟି ହାତୀର ମୃତ୍ୟୁ ହୋଇଛି । ସେହିପରି ଚଳିତ ବର୍ଷ ପ୍ରାୟ ୪ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଲୋକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ବନ ବିଭାଗ ପକ୍ଷରୁ ହାତୀ ଆକ୍ରମଣ ଓ ଉପଦ୍ରବ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହ ଟେକ୍ନୋଲୋଜିର ପ୍ରୟୋଗ କରାଯାଇଛି । ଫଳରେ ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦିଆଯିବା ସହ କ୍ଷୟକ୍ଷତିକୁ ରୋକା ଯାଇ ପାରିବ ବୋଲି ଢେଙ୍କାନାଳ ଡ଼ିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ।
ହାତୀ ମଣିଷର ଏ ଲଢେ଼ଇରେ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି । ତେବେ ଏଥିପ୍ରତି ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛି ତାହାକୁ ହିଁ ଅପେକ୍ଷା ।

0
0
0
s2sdefault