ବିଧାନ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଟୁନ କରି ତାତ୍ସଲ୍ୟ କରି ଆସିଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ଓରଫ ଭାଲୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଓ ବିଜେଡି ସଂଗଠନ ସମ୍ପାଦକ ବବି ଦାସ ଜୟପୁର ଠାରେ ବିକ୍ରମ ଦେବ କଲେଜ ପ୍ଲାଟିନମ୍ ଜୁବୁଲି ଅବସରରେ ଯେଉଁଭଳ ଭାବେ ପ୍ରଶଂସା କଲେ ତାକୁ ନେଇ ଏବେ ଚାରିଆଡ ଚର୍ଚା | ସେ ଏକ ମାଡକେ କଂଗ୍ରେସ ବିଧାୟକ ସୁର ରାଉତଙ୍କୁ ବଳେଇ ଗଲେ ବୋଲି ସାମାଜିକ ଗଣାମଧ୍ୟମରେ ଅନେକେ କହିଛନ୍ତି |
ସଭାମଞ୍ଚରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ତାରା କହିଥିଲେ, କୋରାପୁଟ/ଜୟପୁର ମାଟିର ସୌଭାଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ କଲେଜକୁ ଆସିଛନ୍ତି । କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରି ଇତିହାସ ସୃଷ୍ଟି କରିଛନ୍ତି । ଏ ମାଟି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବହୁତ ଦରଦ ଅଛି । ତାରା ତାଙ୍କ ଭାଷଣରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଗଦ ଗଦ ହୋଇ ବାରମ୍ବାର ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇଥିଲେ । ନବୀନଙ୍କ ପାଇଁ ଲଗା ତାଳି ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଡାକ ଛାଡ଼ିଥିଲେ ।
ଭାଷଣରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ପ୍ରଶଂସା କରି ତାଙ୍କୁ "ପାଣ୍ଡିଆନ ସାର" ବୋଲି ସମ୍ବୋଧନ କରିଥିଲେ | ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କୁ ଧନ୍ୟବାଦ ଏବଂ ପ୍ରଶଂସା କରି କହିଥିଲେ ଯେ " ଆମ ସଂଗଠନ ସମ୍ପାଦକ ବବି ଦାସଙ୍କୁ ମଧ୍ୟ ଧନ୍ୟବାଦ " ବୋଲି କହିଥିଲେ |
ଅପରପକ୍ଷରେ ଜୟପୁର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବରିଷ୍ଠ ବିଜେଡି ନେତା ରବି ନନ୍ଦଙ୍କୁ ମଂଚ ଉପରୁ ଡେଣା ଧରି ବାହାରକୁ ନିଆଯିବା ଓ ଭାଲୁଙ୍କ ଏତାଦୃଶ ତୈଳ ମର୍ଦ୍ଦନ ଜୟପୁର ରାଜନୀତିରେ ଭିନ୍ନ ଇଙ୍ଗିତ ପ୍ରଦାନ କରୁଥିବା ଚର୍ଚା ହେଉଛି |