ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ପୂଣ୍ୟତିଥି ତଥା ତ୍ରୟୋଦଶ ଗାନ୍ଧୀ ସ୍ମାରକୀ ବକ୍ତୃତାମାଳା
-
ଭାରତୀୟଙ୍କ ମନରୁ ଭୟକୁ ଦୂର କରିଥିଲେ ଗାନ୍ଧିଜୀ : ଜଷ୍ଟିସ ଦୀପକ ମିଶ୍ର
-
ଆକୃତିରେ କ୍ଷୁଦ୍ର ଆଉ ପ୍ରକୃତିରେ ମହାନ ଥିଲେ ସ୍ବର୍ଗତ ରାଜ କିଶୋର ନାୟକ: ପ୍ରଫେସର ସଂଘମିତ୍ରା ମିଶ୍ର
-
ନିର୍ମଳାପ୍ରଭା ନାୟକଙ୍କ ରଚିତ “ସାୟାହ୍ନର ସ୍ମୃତି” ପୁସ୍ତକର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ
ଭୁବନେଶ୍ୱର- : ମହାତ୍ମା ଗାନ୍ଧୀଙ୍କ ଜୀବନ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଓଡିଶାର ପ୍ରମୁଖ ଅବଦାନ ରହିଥିଲା । ଅଧ୍ୟାତ୍ମିକତା ଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଓଡିଶାର ଅନବଦ୍ୟ ଅବଦାନ ରହିଛି ବୋଲି ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ ତ୍ରୟୋଦଶ ଗାନ୍ଧୀ ସ୍ମାରକୀ ବକ୍ତୃତାମାଳା ଅବସରରେ ମତବ୍ୟକ୍ତ କରିଛନ୍ତି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏ ଉପଲକ୍ଷେ ଜୟଦେବଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି ଯେ ଭାରତକୁ ସ୍ୱାଧୀନ କରିବା ସହ ବିଭିନ୍ନ କ୍ଷେତ୍ରରେ କ୍ରାନ୍ତି ଆଣିବାପାଇଁ ଯେଉଁ ମହାପୁରୁଷମାନେ ଅବଦାନ ଦେଇ ଯାଇଛନ୍ତି ସେମାନଙ୍କ ଜୀବନ ଶୃଙ୍ଖଳା, ନୈତିକତା ଓ ଅଧ୍ୟାତ୍ମିକ ଭିତ୍ତିଭୂମିରେ ବିକଶିତ ହୋଇଥିଲା । ସେମାନଙ୍କ ଜୀବନ ଯୋଗମୟ ଓ ଯଜ୍ଞମୟ ଥିଲା | ଗାନ୍ଧୀଜିଙ୍କ ଠାରୁ ଆରମ୍ଭ କରି ତାଙ୍କ ବିଚାରଧାରାରେ ଜୀବନ ଅତିବାହିତ କରିଥିବା ପାଟକୁରା ଗାନ୍ଧୀ ରାଜ କିଶୋର ନାୟକଙ୍କ ଭଳି ତ୍ୟାଗୀ ପୁରୁଷମାନଙ୍କ ଜୀବନୀ ବିଶ୍ଲେଷଣ କଲେ ଏହା ଜଣାପଡେ । ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଜୀବନ ମଧ୍ୟ ଯୋଗମୟ ଓ ଯଜ୍ଞମୟ ଥିଲା ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ |
ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ " ଭାରତ ଭୂମି ଭୋଗର ନୁହେଁ, ଏହା ତ୍ୟାଗ ଓ ସେବାର ବୋଲି ଆମ ଦେଶର ସଂଗ୍ରାମୀମାନେ ବାରମ୍ବାର ସୂଚାଇ ଦେଇ ଯାଇଛନ୍ତି । ଏହାକୁ ଆଦର୍ଶ ଭାବେ ରଖି ବର୍ତ୍ତମାନର ପୀଢି ଆଗେଇଲେ ଦେଶର ଅଭୂତପୂର୍ବ ବିକାଶ ହୋଇପାରିବ । ବିକାଶର ଧାରା ଠାରୁ ପଛରେ ରହିଥିବା ବ୍ୟକ୍ତି ବିଶେଷଙ୍କୁ ଆଗକୁ ଆଣିବା କ୍ଷେତ୍ରରେ ସମସ୍ତଙ୍କର ସକ୍ରିୟ ସହଯୋଗ ଆବଶ୍ୟକ ।" ଏହି ଉତ୍ସବରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ସୁପ୍ରିମକୋର୍ଟର ପ୍ରାକ୍ତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ମହାତ୍ମା ଗାନ୍ଧୀଙ୍କର ଜୀବନର ବିଶ୍ଲେଷଣ କରି କହିଥିଲେ ଯେ ସମ୍ପ୍ରତି ମଣିଷ ମଣିଷ ଭିତରେ ବୃଦ୍ଧି ଅନାସ୍ଥା ବା ଅବିଶ୍ୱାସ ବୃଦ୍ଧି ପାଉଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାରର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି | ଗାନ୍ଧିଜୀଙ୍କ ପ୍ରଦର୍ଶିତ ସତ୍ୟ, ଅହିଂସା ଓ ନିର୍ଭିକତା ଦ୍ୱାରା ଏବେ ଆମ ସମାଜ ବ୍ୟବସ୍ଥା ଯେତେସବୁ ସମସ୍ୟାର ସମ୍ମୁଖୀନ ହେଉଛି ସେଗୁଡିକର ସରଳ ଉପଚାର କରାଯାଇପାରିବ । ଭାରତୀୟତା ଓ ଭାରତୀୟଙ୍କ ଭିତରେ ଲୁକ୍କାୟିତ ହୋଇଥିବା ଅସୀମ ସାମର୍ଥ୍ୟକୁ ଉଜ୍ଜୀବିତ କରିବାରେ ମହାତ୍ମା ଗାନ୍ଧୀ ସଫଳ ହୋଇଥିଲେ | ଲୋକଙ୍କୁ ବୁଝେଇଦେଇଥିଲେ ଯେ ଯେତେଦିନ ମନରେ ଭୟ ବସା ବାନ୍ଧି ରହିଥବା ସେତେଦିନ ଯାଏ ବିଜୟ ଅସମ୍ଭବ | ରାଜା, ଜମିଦାର ଓ ବ୍ରିଟିଶ ସରକାର ପ୍ରତି ଭାରତୀୟଂକ ହୃଦୟ ଓ ଆତ୍ମା ଭିତରେ ଛପିଥିବା ଭୟକୁ ସେ ଦୂର କରିବା ସହ ସେମାନଙ୍କୁ ସତ୍ୟାଗ୍ରହ ଓ ସ୍ୱରାଜ ସଂଗ୍ରାମରେ ସାମିଲ ହେବାକୁ ପ୍ରେରିତ କରିଥିଲେ | ଆଉ ଏହି କାରଣରୁ ଗାନ୍ଧୀଜୀଙ୍କ ବିଚାରଧାରା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହୋଇଛି ଏବଂ ମଣିଷ ସମାଜ ଯେତେସବୁ ସମସ୍ୟାର ସମ୍ମୁଖୀନ ହେଉଛି ସେସବୁର ଉପଚାର ଗାନ୍ଧୀ ବିଚାରରେ ରହିଛି । ଗାନ୍ଧିଜୀଙ୍କୁ ଜଣେ ଅବତାରୀ ପୁରୁଷ ଭାବେ ଅଭିହିତ କରିବା ସହ ଆମ ଗଣତନ୍ତ୍ରର ତିନିଟି ଯାକ ସ୍ତମ୍ଭ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗକୁ ଠିକଣା ଭାବେ ଅନୁଶୀଳନ କରି ଶୃଙ୍ଖଳା ଓ ସଂଯମତାର ସହ ଆଗକୁ ବଢିବା ସଂଗେ ସଂଗେ ଲୋକଙ୍କ ମନରେ ନିର୍ଭିକତାର ବାତାବରଣ ସୃଷ୍ଟିକଲେ ଦେଶରେ ନୂଆ କ୍ରାନ୍ତି ଆସିପାରିବ ବୋଲି ନ୍ୟାୟମୂର୍ତ୍ତି ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି ।
ଗାନ୍ଧୀ ବିଚାରର ସର୍ବକାଳୀନ ପ୍ରାସଙ୍ଗିକତା ଶୀର୍ଷକ ଏହି ବକ୍ତୃତାମାଳାରେ ଭିତ୍ତିଭାଷଣ ଉପସ୍ଥାପନ କରି ପ୍ରଫେସର ସଂଘମିତ୍ରା ମିଶ୍ର କହିଥିଲେ ଯେ ଆକୃତିରେ କ୍ଷୁଦ୍ର ଆଉ ପ୍ରକୃତିରେ ମହାନ ମଣିଷ ଥିଲେ ପାଟକୁରା ଗାନ୍ଧୀ ଶ୍ରୀ ରାଜ କିଶୋର ନାୟକ| ତାଙ୍କ ଆଚରଣ ଓ ଉଚ୍ଚାରଣରେ ସେ ଥିଲେ ଗାନ୍ଧୀ ମହାତ୍ମାଙ୍କ ଜୀବନ୍ତ ସ୍ୱରୂପ | ସେ ଥିଲେ ମୂଲ୍ୟବୋଧର ରକ୍ଷକ ଓ ଆଲୋକ ବର୍ତ୍ତିକା ତଥା ସମ୍ବେଦନଶୀଳତାର ଜ୍ୱଳନ୍ତ ଦୃଷ୍ଟାନ୍ତ ବୋଲି କହିବା ସହ ସହିତ ଯେଉଁ ସଂଗ୍ରାମୀମାନଙ୍କ ସାଧନା, ସେବା, ସଙ୍କଳ୍ପ, ସଂଘର୍ଷ ଫଳରେ ଆମେ କଷ୍ଟଲବ୍ଧ ସ୍ୱାଧୀନତାକୁ ଫେରିପାଇଛୁ ସେମାନଙ୍କ ପ୍ରତି ଜାତି ସବୁବେଳେ କୃତଜ୍ଞ ହୋଇ ରହିବ ବୋଲି ଶ୍ରୀମତୀ ,ମହାପାତ୍ର କହିଥିଲେ ।
ରାଜ କିଶୋର ନାୟକ ଜାତୀୟ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରହଲାଦ ସିଂହ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ ଭଲ ମଣିଷ ହେବାପାଇଁ ଗାନ୍ଧୀଜୀ ଯେଉଁ ମାର୍ଗଦର୍ଶନ ଦେଇଯାଇଛନ୍ତି ତାହା ସବୁକାଳ ପାଇଁ ପ୍ରାସଙ୍ଗିକ । ସତ୍ର ସରଳରେଖା ଉପରେ ମଣିଷର ଚିନ୍ତା, କାମ ଓ କଥା ତିନିଟି ବିନ୍ଦୁ ହୋଇ ରହିପାରିଲେ ଜଣେ ସଚ୍ଚା ସତ୍ୟାଗ୍ରହୀ ହେବା ସହ ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ । ଗାନ୍ଧୀଙ୍କ ଠାରୁ ରାଜକିଶୋର ନାୟକଙ୍କ ପର୍ଯ୍ୟନ୍ତ କ୍ରାନ୍ତିକାମୀମାନେ ଏହା ବାରମ୍ବାର ପ୍ରମାଣିତ କରି ଯାଇଛନ୍ତି ।
ଫାଉଣ୍ଡେସନର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ପ୍ରାରମ୍ଭିକ ସୂଚନା ଦେଇ ରାଜକିଶୋର ନାୟକଙ୍କ ଜୀବନର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଏହି ଅବସରରେ ରାଜ କିଶୋର ନାୟକଙ୍କ ପତ୍ନୀ ନିର୍ମଳାପ୍ରଭା ନାୟକଙ୍କ ରଚିତ “ସାୟାହ୍ନର ସ୍ମୃତି” ପୁସ୍ତକର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହି ପୁସ୍ତକ ବିକ୍ରିରୁ ଲବ୍ଧ ଅର୍ଥ ଅସୁରେଶ୍ୱର ସ୍ଥିତ ଗୋରକ୍ଷଣୀକୁ ପ୍ରଦାନ କରାଯିବ ବୋଲି ଉତ୍ସବରେ ଘୋଷଣା ହୋଇଥିଲା ।