ପ୍ରଥମ ରଜନୀରେ ବେଲପାହାଡର ସମ୍ବଲପୁରୀ ନାଟକ "ଦୂର୍ ଆକାଶେ" ମନ ମୋହିଲା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ , ଜିଲ୍ଲା ସଂସ୍କୃତି ପରିଷଦ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ୯ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି।
ଉଦଘାଟନୀ ସମାରୋହରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ.ନାରାୟଣ ରାଓ , ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଅତିଥି ଭାବରେ ମଞ୍ଚାସୀନ ଥିଲେ।
ସୀମାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଅସ୍ଥାୟୀ ମଞ୍ଚ ନିର୍ମାଣ କରି ନାଟକ ପରମ୍ପରା ବଜାୟ ରଖିଥିବା ଯୋଗୁଁ ଅତିଥି ମାନେ ପ୍ରଶଂସା କରିଥିଲେ। ଆୟୋଜକ ମାନଙ୍କ ପକ୍ଷରୁ ସ୍ଥାୟୀ ରଙ୍ଗମଞ୍ଚ ଓ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଦାବୀ ଉଠିଥିଲା। ଅନୁଷ୍ଠାନର ଉପସଭାପତି ଏମ୍. ପୃଥିବୀରାଜ ସଭାକୁ ସଭାପତିତ୍ବ କରିଥିବା ବେଳେ ସଂପାଦକ ମନୋଜ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଓ ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସ୍ବର୍ଗତ ପ୍ରବୀଣ ପଣ୍ଡାଙ୍କ ସ୍ମୃତିରେ ପାରଳା ନାଟ୍ୟ ସମ୍ମାନରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକର୍ମୀ ଅଶୋକ କରଙ୍କୁ ସମ୍ମାନିତ କରାଯାଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ବେଲପାହାଡ ମିରର ଥିଏଟର୍ ଅନୁଷ୍ଠାନର କଳାକାର ମାନେ ମା ପୁଅର ସ୍ନେହ ଭରା କାହାଣୀ କୁ ପରିବେଷଣ କରିଥିଲେ ନାଟକ " ଦୂର୍ ଆକାଶ "।
ଦୀର୍ଘ ଦୁଇ ବର୍ଷ ପରେ ଏହି ନାଟକ ମହୋତ୍ସବ ଆୟୋଜିତ ହେଇଥିବାରୁ ଏହି ସମ୍ବଲପୁରୀ ନାଟକ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଚ ସମ୍ମୁଖରେ ବାନ୍ଧି ରଖିବା ସହ ମନ ଜିଣିଥିଲା।