ଲକ୍ଷ ଲକ୍ଷ ଟଙ୍କାର ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୋମଣ୍ଡ ଓ ରୋହିବାଙ୍କ ପଞ୍ଚାୟତ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ହାତୀଙ୍କୁ ଘଉଡ଼ାଇବାକୁ ସେଭଳି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ହାତୀମାନେ ଏହି ଅଂଚଳରେ ବହୁଦିନ ଧରି ଉତ୍ପାତ ମଚାଇ ଚାଲିଛନ୍ତି । ସୂଚନା ଅନୁସାରେ ବୁଧବାର ଅପରାହ୍ନ ୫ ବେଳେ ହାତୀପଲ ପୁଣି ବୃଦ୍ଧାଶ୍ରମ ମଧ୍ୟରେ ପସି ଭଙ୍ଗାରୁଜା କରିବା ପରେ ପ୍ରାୟ ୭.୩୦ ବେଳକୁ ୨୧ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ପଥରା ଗହିରେ ପ୍ରବେଶ କରିଥିଲେ । ତେବେ ଦଳର କିଛି ହାତୀ ରହିଯାଇଥିବାରୁ ସେମାନେ ପୁଣି ଲେଉଟି ଆସିଥିଲେ । ଏହି ସମୟରେ ହାତିଟିଏ ଟ୍ରାନ୍ସଫରମର ଦେହରେ ବାଜିବାରୁ ଯୋରରେ ଶବ୍ଦ ହୋଇଥିବା ଅଞ୍ଚଳବାସୀଙ୍କ ଠାରୁ ଜଣାପଡିଛି । ହାତୀମାନଙ୍କ ଗତାଗତ କାରଣରୁ ସନ୍ଧ୍ୟା ସମୟରେ ବିଦ୍ୟୁତ୍ ବିଭାଗ ଉକ୍ତ ଅଞ୍ଚଳର ବିଦ୍ୟୁତ ଯୋଗାଣ ବିଛିନ୍ନ କରୁଛନ୍ତି । ହେଲେ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଗତ ସୋମବାର ରାତିରେ ୧୬ପଟ ହାତୀ ଆସି ବୃଦ୍ଧା ଶ୍ରମରେ କଦଳିଗଛ, ସପୁରୀ ଗଛ, ପାଣି ପାଇପ ଇତ୍ୟାଦି ନଷ୍ଟ କରିଥିବା ବେଳେ ନିକଟରେ ଥିବା ଡ୍ରାଗନ ଉଦ୍ୟାନରେ ମଧ୍ୟ ଦଳାଚକଟା କରିଥିଲେ । ସେଠାରୁ ଯାଇ କୋମଣ୍ଡ ଗ୍ରାମର ପଞ୍ଚୁଡାକୁଆଙ୍କ ୧୦ ବସ୍ତା ସହିତ ବିଜୟ ପ୍ରଧାନଙ୍କର ୪ ଏକର, ଲିଙ୍ଗରାଜଙ୍କ ୨ ଏକର, ବଳରାମ ନାୟକଙ୍କ ୨ ଏକର, ସତ୍ୟବାନ ପ୍ରଧାନଙ୍କ ୨ ଜମିର ଧାନ କଳେଇ ଖାଇବା ସହିତ ନଷ୍ଟ କରିଥିଲେ । ସେହିପରି ମଙ୍ଗଳବାର ସନ୍ଧ୍ୟାରେ ପଥରା ଗହିରେ ପସି ଗୋବିନ୍ଦ ବିଶୋଇଙ୍କର ୫ ଏକର ଜମିର ଧାନ କଳେଇ ଖାଇବା ସହିତ ନଷ୍ଟ କରିଥିଲେ । ୨ଦିନ ମଧ୍ୟରେ ହାତୀ ମାନଙ୍କ ଦ୍ଵାରା ନଷ୍ଟ ହୋଇଥିବା ଧାନର ଆନୁମାନିକ ମୁଲ୍ୟ ଦେଢଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।