ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ସ୍ଥିତ ପାଇକମାଲ ହାଇ ସ୍କୁଲ ର ହୀରକ ଜୟନ୍ତୀ ସମାବେଶ ମହାଆଡମ୍ଭର ଆରମ୍ଭ ହୋଇଯାଇଛି ।ଏହି ଜରାମରେ ଆଜି ସକାଳୁ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ରୁ ଶିକ୍ଷା ଜ୍ୟୋତି ପରିକ୍ରମା ନାମରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ହୀରକ ଜୟନ୍ତୀ ପରିଚାଳନା କମିଟି ର ପ୍ରତକ୍ଷ ତତ୍ୱବାଧାନ ରେ ଅୟୋଜିତ ଏହି ଶୋଭାଯାତ୍ରାରେ , ପାରମ୍ପରିକ ନୃତ୍ୟ, ଆଦିବାସୀ ନୃତ୍ୟ , ବିଭିନ୍ନ ପ୍ରକାର ବାଦ୍ୟ ସହିତ ହଜାର ହଜାର ସଂଖ୍ୟାରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ସହିତ ପୁରାତନ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଶୋଭାଯାତ୍ରା ରେ ଯୋଗଦାନ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ଦେଖିବା ଭଳି ଥିଲା । ବ୍ୟସ୍ତ ବହୁଳ କର୍ମ ମୟ ଜୀବନ ରୁ କିଛି ସମୟ ନିଜ ପାଇଁ ବାହାର କରି ,ଏହି ଉତ୍ସବ ରେ ନିଜକୁ ସାମିଲ କରି ନିଜର ବାଲ୍ୟାବନ୍ଧୁ ମାନଙ୍କ ସହିତ କିଛି ଖୁସିର ମୁହୂର୍ତ୍ତ ଅତିବାହିତ କରିବା ପାଇଁ ଅନେକ ପୁରାତନ ଛାତ୍ରଛାତ୍ରୀମାନେ କାହିଁ କେତେ ଦୁରୁ ଛୁଟି ଆସିଛନ୍ତି ପାଇକମାଲ କୁ । ଶୋଭାଯାତ୍ରାରେ ସାମିଲ ପ୍ରତ୍ୟେକ ଙ୍କ
ଚେହେରା ରେ ଅପର୍ଯ୍ୟାପ୍ତ ଖୁସି ଦ୍ଵଖିବାକୁ ମିଳୁଥିଲା ।ମୁଖ୍ୟତଃ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ଦେଖି ଲାଗୁଥିଲା ଯେ ସେମାନେ ତାଙ୍କର ପିଲାବେଳ ଫେରିପାଇଛନ୍ତି ।
ଶୋଭାଯାତ୍ରା ପାଇକମାଲ ହାଇ ସ୍କୁଲ ସମାରୋହ ସ୍ଥଳକୁ ପହଂଚିବା ପରେ ଏହି ଅନୁଷ୍ଠାନ ର ପୂର୍ବତନ ଛାତ୍ର , ପରବର୍ତ୍ତୀ ସମୟରେ ଏହି ଅନୁଷ୍ଠାନ ରେ ଶିକ୍ଷାଦାନ କରି ଅନେକ ଛାତ୍ରଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ ନିର୍ମାଣ କରିବାରେ ପ୍ରତକ୍ଷ ଭାବରେ ସହଯୋଗ କରିଥିବା ଶିକ୍ଷାବିତ ଶ୍ରୀ ଅନୀଲ କୁମାର କାଳିଆ ହୀରକ ଜୟନ୍ତୀ ସମାବେଶ ର ପତାକା ଉତ୍ତୋଳନ କରିଥିବା ବେଳେ , ହୀରକ ଜୟନ୍ତୀ ର ମଞ୍ଚ କୁ ପୁରାତନ ଛାତ୍ର ତଥା ବିଶିଷ୍ଟ ବ୍ୟବସାୟୀ ଶ୍ରୀ ରୋହିତ କୁମାର ମିଶ୍ର ଉଦଘାଟନ କରି ହୀରକ ଜୟନ୍ତୀ ସମାରୋହ ର ବିଧିବଦ୍ଧ ଶୁଭାରମ୍ଭ କରିଥିଲେ ।
ସନ୍ଧ୍ୟା ରେ ଅୟୋଜିତ ମୁଖ୍ୟ ସମାରୋହରେ ବିଦ୍ୟାଳୟ ର 1974 ମେଟ୍ରିକ ବେଚ ର ପୁରାତନ ଛାତ୍ର ରାଜ୍ୟ ସରକାର ଙ୍କର ପୂର୍ବତନ ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀ ଙ୍କର ମୁଖ୍ୟ ପରାମର୍ଶଦାତା , ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । ଶ୍ରୀ ତ୍ରିପାଠୀ ସ୍କୁଲ କୁ ପହଂଚିବା ପରେ ତାଙ୍କର ସହପାଠୀ ଓ ଅନ୍ତରଙ୍ଗ ବନ୍ଧୁ ଶ୍ରୀ ବିନୋଦ କୁମାର କାଳିଆ , ଶ୍ରୀ ଅଶ୍ୱିନୀ ଦାସ , ଶ୍ରୀ କୁସୁମ ରାଓ, ଶ୍ରୀ ସନ୍ତୋଷ ପାଣିଗ୍ରାହୀ ,ଶ୍ରୀ ସୁଶୀଲ କୁମାର ଅଗ୍ରୱାଲ , ଶ୍ରୀ ହର୍ଷ କୁମାର ପ୍ରଧାନ , ଶ୍ରୀ ବିଜୟ କୁମାର ରାଓ ଙ୍କର ସହିତ ହୀରକ ଜୟନ୍ତୀ କମିଟି ର ସଭ୍ୟ ତଥା ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ଶ୍ରୀ ତ୍ରିପାଠୀ ସ୍କୁଲ ପ୍ରାଙ୍ଗଣରେ ତାଙ୍କର ପ୍ରୟାସ ରେ , ଏମ ସି ଏଲ ର ଅନୁଦାନ ରେ ନିର୍ମିତ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ର ଉଦଘାଟନ କରିଥିଲେ । ମଞ୍ଚରେ ଶ୍ରୀ ତ୍ରିପାଠୀ ଏହି ସ୍କୁଲରେ ପାଠ ପଢ଼ୁଥିବା ସମୟର ଅନେକ ଅନୁଭୂତି ବର୍ଣ୍ଣନା କରିବା ସହିତ ମହାନ ଶିକ୍ଷକ ଏହି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ରୁସୁଦେଵ ସାହୁ ଓ ସ୍ବର୍ଗତ ହଟକିଶୋର ପାଣିଗ୍ରାହୀ ଙ୍କୁ ମନେ ପକାଇଥିଲେ । ଏହି ସମାବେଶ ରେ ଅୟୋଜିତ ସଭାରେ ହୀରକ ଜୟନ୍ତୀ ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ବିବରଣୀ ପାଠ କରିଥିବା ବେଲେ , ସଭାପତି ତଥା ଶିକ୍ଷାବିତ ଶ୍ରୀ ଅନୀଲ କୁମାର କାଳିଆ ଓ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଦ୍ଵାଦଶ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ , ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀ ମହେନ୍ଦ୍ର ବଢ଼େଇ , ପୂର୍ବତନ ଛାତ୍ର ତଥା ପୂର୍ବତନ ବିଧାୟକ ଶ୍ରୀ ସତ୍ୟଭୂଷଣ ସାହୁ , ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଚୁଡାମଣି ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପୂର୍ବତନ ଶିକ୍ଷକ ଶ୍ରୀ ପୂର୍ଣରାମ ସା , ଶ୍ରୀ ଲିଙ୍ଗରାଜ ସାହୁ ଓ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଚାରୁଚରଣ ମହାନ୍ତି ଙ୍କୁ ମୁଖ୍ୟ ଅତିଥି ସମ୍ନାର୍ଧିତ କରିଥିଲେ । ଶେଷରେ ହୀରକ ଜୟନ୍ତୀ ସମାରୋହ କମିଟି ର ସଭାପତି ଶ୍ରୀ ଅନୀଲ କୁମାର କାଳିଆ , ମୁଖ୍ୟ ଅତିଥି ଙ୍କୁ ଏକ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ନୃସିଂହ ପ୍ରଭା ର ଉନ୍ମୋଚନ କରାଯାଇଥିଲା । ଶେଷରେ ପୁରାତନ ଛାତ୍ର ଶ୍ରୀ ଜଗମୋହନ ତ୍ରିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।