ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପାଇଁ କେନ୍ଦ୍ରାପଡା ଜିଲାକୁ ଗଡ଼ିପାରୁନି ଯାତ୍ରୀବାହୀ ଟ୍ରେନ : ଅତନୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଦି ବର୍ଷ ହେଲା ଚାଲିଲାଣି ମାଲବାହୀ ଟ୍ରେନ, ପାରାଦୀପ-ହରିଦାସପୁର ରେଳପଥରେ ଯାତ୍ରୀବାହୀ ରେଳ କେବେ !

  • ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସହଯୋଗ ଦିଆଯାଇଥିବା ବେଳେ କେନ୍ଦ୍ରାପଡାବାସୀଙ୍କ ପାଇଁ ଏ ଅବିଚାର କାହିଁକି !

  • ପୂର୍ବତଟ ରେଳବାଇ ପକ୍ଷରୁଏନଓସି ଓ ପୂର୍ବାଞ୍ଚଳ ରେଳ ସୁରକ୍ଷା କମିସନରଙ୍କ ସବୁଜ ସଙ୍କେତ ସତ୍ତ୍ୱେ କାହିଁକି ହେଉଛି ଡେରି !


ଭୁବନେଶ୍ୱର (ଶାସକ ପ୍ରଶାସକ) : ପାରାଦୀପ-ହରିଦାସପୁର ରେଳପଥରେ ପାସେଞ୍ଜର ଟ୍ରେନ ଚଳାଚଳରେ ଅହେତୁକ ବିଳମ୍ବ ହେଉଛି | ଏହି ରେଳପଥରେ ମାଲବାହୀ ଟ୍ରେନ ଗଡ଼ିବାର ଦୁଇବର୍ଷ ବିତି ଯାଇଥିବା ବେଳେ କେନ୍ଦ୍ରାପଡ଼ାକୁ ପାସେଞ୍ଜର ଟ୍ରେନ ଚଳାଚଳ ବିଳମ୍ବ ହେବା ଘଟଣା ପାଇଁ କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ଦାୟୀ କରିଛି ବିଜେଡି | କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ କେନ୍ଦ୍ରାପଡାରେ ଏବଂ ମାର୍ଶାଘାଇରେ ଯାତ୍ରୀବାହୀ ଟ୍ରେନ ଚାଲି ପାରୁନି। ଯେଉଁ କାରଣରୁ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି ଓ ତାହାର ଫଳସ୍ୱରୂପ ଆଜି କେନ୍ଦ୍ରାପଡା ଜିଲ୍ଲାରେ ଆନ୍ଦୋଳନ ହେଉଛି। ସମସ୍ତ ଔପଚାରିକତା ସମାପ୍ତ ହୋଇଥିବା ବେଳେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କାହିଁକି ଆରମ୍ଭ ହେଉନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକମାନେ ମିଳିତ ଭାବେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଉଦାସୀନତା ଓ ଟାଳଟୁଳନୀତିକୁ ସମାଲୋଚନା କରିଛନ୍ତି । ମହାକାଳପଡ଼ା ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ହରିଦାସପୁର-ପାରାଦ୍ୱୀପ ୮୨ କିଲୋମିଟର ଦୀର୍ଘ ରେଳପଥରେ ଗତ ୨୩.୦୯.୨୦୨୦ ରୁ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି । ଏହି ଲାଇନ୍ ରେ ନିୟମିତ ପ୍ରାୟ ୨୦ ରେକ୍ ମାଲବାହୀ ଟ୍ରେନ୍ ଚଳାଚଳ କରିବା ସହିତ ଭାରତ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ୱ ପ୍ରଦାନ କରୁଛି । ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ପରୀକ୍ଷାମୂଳକ ଚଳାଚଳ ସମାପ୍ତ ହୋଇଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ଲାଇନ୍ ରେ ଯାତ୍ରୀବାହୀ ରେଳ ଚଳାଚଳକୁ ଏନଓସି ପ୍ରଦାନ କରାଯାଇଛି । କୋଲକତାସ୍ଥିତ ପୂର୍ବାଞ୍ଚଳ ରେଳ ସୁରକ୍ଷା କମିସନର ମଧ୍ୟ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ସବୁଜ ସଙ୍କେତ ଦେଇ ସାରିଛନ୍ତି । ସମସ୍ତ ଔପଚାରିକତା ସରିଥିଲେ ମଧ୍ୟ ଏହି ଲାଇନ୍ ରେ ଯାତ୍ରୀବାହୀ ଟ୍ରେନ୍ କାହିଁକି ଚଳାଚଳ ଆରମ୍ଭ ହେଉନାହିଁ ତାହା ଆମେ ବୁଝିପାରୁନାହୁଁ ବୋଲି କହିଛନ୍ତି ଶ୍ରୀ ନାୟକ |
ଶ୍ରୀ ନାୟକ ପୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରେଳଲାଇନ୍ ର ନିର୍ମାଣ କାର୍ଯ୍ୟର ନିୟମିତ ସମୀକ୍ଷା କରିବା ସହିତ ଏ ନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଲିଖିତ ଭାବେ ମଧ୍ୟ ଅନୁରୋଧ କରିଥିଲେ । ଏହି ରେଳଲାଇନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ବାରମ୍ବାର ଅନୁରୋଧ ସତ୍ତ୍ୱେ ଯାତ୍ରୀବାହୀ ଟ୍ରେନ୍ ଚଳାଇବାରେ ଟାଳଟୁଳ ନୀତି ଅତ୍ୟନ୍ତ ପରିତାପର ବିଷୟ । ଏହି ରେଳ ପଥରେ ଥିବା ସମସ୍ତ ୯ଟି ଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ କାର୍ଯ୍ୟକ୍ଷମ ହୋଇସାରିଛି | ଯେହେତୁ ରେଳ ଲାଇନ ଆମଦେଶରେ ଜୀବନ ରେଖା, ତେଣୁ ଏହି ଲାଇନରେ ରେଳ ଚଳାଚଳ କଲେ କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟୀଙ୍କ ଅର୍ଥନୀତିରେ ଉନ୍ନତି ଘଟିବ ବୋଲି ଶ୍ରୀ ନାୟକ କହିଛନ୍ତି | ୨୦୨୦ ମସିହାରେ କେନ୍ଦ୍ରାପଡା ସାଧାରଣ ଜନତାଙ୍କ ପକ୍ଷରୁ ରେଳ ରୋକ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ସମସ୍ତ ବିଧାୟକ ପୂର୍ବତଟ ରେଳପଥ ଜିଏମଙ୍କୁ ସାକ୍ଷାତ କରି ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି କରିଥିଲେ | ଆଜି ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ବିଜେଡି ପକ୍ଷରୁ ହରିଦାସପୁର ଓ କେନ୍ଦ୍ରାପଡା ଦେଇ କଟକରୁ ପାରାଦୀପ ପର୍ଯ୍ୟନ୍ତ ଏକ ରେଳ ଚଳାଚଳ ପାଇଁ ଦାବି କରି ରେଳ ରୋକ ହୋଇଛି | ଏହାଫଳରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରିଥିବା ଜିଲ୍ଲାର ଲୋକମାନେ ସୁରୁଖୁରୁରେ ଯାତାୟାତ କରିପାରିବେ | ଭଦ୍ରକ ରୁ ହରିଦାସପୁର ଓ କେନ୍ଦ୍ରାପଡା ଦେଇ କଟକରୁ ପାରାଦୀପ ପର୍ଯ୍ୟନ୍ତ ଏକ ରେଳ ଚଳାଚଳ କଲେ କୋଲକାତାରେ କାମ କରୁଥିବା ଜିଲ୍ଲାର ଜନସାଧାରଣନ ଉପକୃତ ହୋଇପାରିବେ | ତେଣୁ ଜିଲ୍ଲାବାସୀଙ୍କ ଆବଶ୍ୟକତା ତଥା ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରେଳଲାଇନ୍ ରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ଶ୍ରୀ ନାୟକ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନାୟକଙ୍କ ସହ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ୍ ଓ ରାଜନଗର ବିଧାୟକ ଧ୍ରୁବ ସାହୁ ଉପସ୍ଥିତ ଥିଲେ ।

0
0
0
s2sdefault