ଓଡଗାଁ ( ଶ୍ରୀକାନ୍ତ ମିଶ୍ର ) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ୧୨ ବର୍ଷର ପୁଅ ଅମ୍ରିତ ଆଜି ଉକ୍ତ ଗ୍ରାମ ପଣ୍ଡିତସାହିର ଏକ ବନ୍ଦ ଘର ମଧ୍ୟରୁ ଉଦ୍ଧାର କରାଯାଇଛି । ଅମ୍ରିତ ଟିଉସନରୁ ଫେରୁଥିବା ବେଳେ ନିଖୋଜ ହୋଇଥିଲା । ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣା ଜିଲ୍ଲା ପୁଲିସର ନିଦ ହଜାଇ ଦେଇଥିବା ବେଳେ ଆଜି ଅମ୍ରିତ ଉଦ୍ଧାର ହୋଇଛି । ସୋମବାର ସକାଳୁ ପଣ୍ଡିତସାହିର କାବେରୀ ଦୋରା ନାମକ ଜଣେ ମହିଳା ପାଣି ପାଇଁ ଯାଉଥିବା ସମୟରେ ସୁଶାନ୍ତ କୁମାର ପଣ୍ଡା ଓରଫ ଟୁକୁଙ୍କ ବନ୍ଦଥିବା ଘର ଭିତରୁ ଏକ ଛୋଟ ଛୁଆ ହାତଠାରି ଡାକୁଥିବା ଦେଖିଥିଲେ । ଘରର କବାଟ ବାହାର ପଟୁ ବନ୍ଦ ହୋଇଥିଲା । ସେ ଏହାକୁ ଖୋଲିବା ପରେ ଅମ୍ରିତକୁ ଦେଖିବାକୁ ପାଇଥିଲେ । ଫଳରେ କାବେରୀ ଏନେଇ ତାଙ୍କ ସ୍ୱାମୀଙ୍କ ଜରିଆରେ ସରପଞ୍ଚଙ୍କୁ ଖବର ଦେଇଥିଲେ । ସରପଞ୍ଚ ବିଜନ ପାଇକରାୟ ଏବଂ ସାମ୍ବାଦିକ ଗଣେଶ୍ୱର ସାହୁ ଘଟଣାସ୍ଥଳକୁ ଯାଇ ଅମ୍ରିତକୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ଅମ୍ରିତକୁ ଥାନାକୁ ନେଇ ଆସିଥିଲା । ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାର ଚିକିତ୍ସା କରାଯିବା ପରେ ଅମ୍ରିତକୁ ପଚରାଉଚରା କରାଯାଇଥିଲା । ଯେଉଁ ଘରୁ ଅମ୍ରିତ ଉଦ୍ଧାର ହୋଇଥିଲା, ତାହା ସୁଶାନ୍ତଙ୍କର ହୋଇଥିବା ବେଳେ ଏହାକୁ ବ୍ୟବସାୟ କାର୍ଯ୍ୟରେ ତାଙ୍କ ଭାଇ ସନ୍ତୋଷ ପଣ୍ଡା ଓରଫ ଟୁନୁ ଏବଂ ତାଙ୍କ ପୁଅ ପ୍ରସାଦ ପଣ୍ଡା, ଭକ୍ତ ଦର୍ଶନ ପଣ୍ଡା ବ୍ୟବହାର କରୁଥିଲେ । ଏହି ଘର ଭିତରକୁ ଅମ୍ରିତ କିଭଳି ଗଲା । ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି, ଶରଣକୁଳ ଏସଡିପିଓ କିରଣ ହେମ୍ରମ ଘଟଣାର ଛାନଭିନ କରୁଛନ୍ତି । ଆଜି ସାଇଣ୍ଟିଫିକ ଟିମ୍ ଏବଂ ଡଗ ସ୍ୱାର୍ଡ଼ ନେଇ ପୁଣି ତଦନ୍ତ କରାଯାଇଛି । ଉକ୍ତ ଘରକୁ ବ୍ୟବହାର କରୁଥିବା ସନ୍ତୋଷ ପଣ୍ଡା ଏବଂ ତାଙ୍କ ଦୁଇ ପୁଅଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଅପହରଣ ପଛରେ ବ୍ୟବସାୟୀକ ଶତୃତା ଥାଇପାରେ ବୋଲି ଆଲୋଚନା ହେଉଥିବା ବେଳେ କେହି କେହି ଏହା ଏକ ସାଂଘାତିକ ଡ୍ରାମା ବୋଲି ଚର୍ଚ୍ଚା କରୁଛନ୍ତି । ଅମ୍ରିତକୁ ସଂନ୍ଧ୍ୟାରେ ଶିଶୁ ସୁରକ୍ଷା ସଦସ୍ୟଙ୍କ ପାଖରେ ପୁଲିସ ହାଜର କରିବା ପରେ ଓଡ଼ଗାଁ ଥାନାରେ ରଖାଯାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ସୂଚନା ଅନୁସାରେ କୁରାଳ ନେଳିଆ ସାହିର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ଗୁରୁବାର ସନ୍ଧ୍ୟାରେ ଟିଉସନରୁ ଫେରୁଥିବା ସମୟରେ ପ୍ରାୟ ୭.୩୦ ବେଳେ ନିଖୋଜ ହୋଇଯାଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଏହୁ ଘଟଣାରେ ଶନିବାର ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ୪ ଗୋଟି ପୋଲିସ ଟିମ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ ମଧ୍ୟ ଏଥିରେ ହସ୍ତକ୍ଷେପ କରି ଅମ୍ରିତକୁ ତୁରନ୍ତ ଖୋଜି ବାହାର କରିବା ପାଇଁ ଜୋର ଦେଇଥିଲେ | ପୁରୀ, ଗଞ୍ଜାମ, ନୟାଗଡ଼ର ବିଭିନ୍ନ ସ୍ଥାନରେ ରହୁଥିବା ଅମ୍ରିତର ସମ୍ପର୍କୀୟ ମାନଙ୍କୁ ଭେଟି ତଦନ୍ତ କରୀଥିବା ବେଳେ ସନ୍ଦେହରେ ୨ ଜଣଙ୍କୁ ଥାନାରେ ପଚରାଉଚରା କରିଥିଲା । ତାଲିମ ପ୍ରାପ୍ତ ପୋଲିସ କର୍ମଚାରୀ ସିସିଟିଭି ଫୁଟେଜ ଗୁଡିକର ଯାଞ୍ଚ ଚଳାଇଥିବା ବେଳେ ଡମ୍ପ ସର୍ଚ୍ଚ ମାଧ୍ୟମରେ ଘଟଣା ଘଟିବାର ପୂର୍ବ ପର ସମୟର ଫୋନ୍ କଲକୁ ସର୍ଚ୍ଚ କରୁଥିଲା ।