ଇଫୁଙ୍କୁ ସହାୟତା: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଚ୍ୟୁତ ସାମନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଢା ସମୟର ଇଫୁଙ୍କୁ ହାତ ଖର୍ଚ ଯୋଗାଇଦେବ କିସ ଫାଉଣ୍ଡେସନ

ଭୁବନେଶ୍ୱର: କନ୍ଧମାଳର ଗରିବ ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ଡାକ୍ତରୀ ନାମଲେଖା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଯୋଗାଇ ଦେବା ସହ ତାଙ୍କର ସମସ୍ତ ପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସମଗ୍ର କନ୍ଧମାଳ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ସାରା ଓଡ଼ିଶା ମୋ ପରିବାର ବକ୍ତବ୍ୟର ସାର୍ଥକତା ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଗତ କାଲି ଇଫୁ ମୁଖ୍ୟମନ୍ତ୍ରୀ ଭେଟିଥିବା ବେଳେ ଆଜି ସେ ସାଂସଦ ଶ୍ରୀ ସାମନ୍ତଙ୍କୁ ଭୁବନେଶ୍ୱରରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ଇଫୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଡାକ୍ତରୀ ପଢ଼ା ସମୟରେ ତାଙ୍କର ହାତ ଖର୍ଚ୍ଚ କିସ୍‍ ଫାଉଣ୍ଡେସନ୍‍ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇଫୁଙ୍କ ହାତ ଖର୍ଚ୍ଚ ବାବଦକୁ ମାସିକ ୫ ହଜାର ଟଙ୍କା ହିସାବରେ ତାଙ୍କ ଆକାଉଣ୍ଟରେ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ୬୦ ହଜାର ଟଙ୍କା ଜମା କରାଯାଇଛି । ଏହା ପରେ ଇଫୁ ଯେତେ ପର୍ଯ୍ୟନ୍ତ ପଢ଼ିବେ ସେ ପର୍ଯ୍ୟନ୍ତ କିସ୍‍ ଫାଉଣ୍ଡେସନ୍‍ର ସହାୟତା ଜାରି ରହିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହା ସହ ଗାଁରେ ରହୁଥିବା ଇଫୁଙ୍କ ଦୁଇ ଭାଇଙ୍କୁ କିସ୍ରେ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଦ୍ୱାରା ଇଫୁଙ୍କ ମନୋବଳ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହି ସହାୟତା ପାଇଁ ଶ୍ରୀ ସାମନ୍ତଙ୍କୁ ଇଫୁ କୃତଜ୍ଞତା ଜଣାଇବା ସହ କିସ୍‍ ଫାଉଣ୍ଡେସନ୍‍କୁ ଧନ୍ୟବାଦ ଜଣାଇଛନ୍ତି।

0
0
0
s2sdefault