-
ପାଇକମାଳରେ ଟଙ୍କା ବାଣ୍ଟୁଥିଲେ କଳାହାଣ୍ଡିର ବିଜେପି ନେତା ସୁଧୀର ପାଟ୍ଟଯୋଶୀ
-
ଲୋକଙ୍କୁ ଟଙ୍କା ବାଣ୍ଟି ବିଜେଡି ବିରୋଧରେ କହିବାକୁ ଉସୁକାଉଥିଲେ ଅର୍ଗସ୍ ରିପୋର୍ଟର
-
ଧାଡ଼ିରେ ଥିବା ମହିଳା ଭୋଟରଙ୍କୁ ଟଙ୍କା ଯାଚି ହଟହଟା ହେଲେ କାଉନସିଲର
-
ଆଚରଣ ବିଧି ଉଲ୍ଲଂଘନ କରି ପ୍ରଚାର କରୁଥିଲେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି
-
ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପର୍ଯ୍ୟବେକ୍ଷକଙ୍କ ନିକଟରେ ଫେରାଦ ହେଲା ବିଜେଡି
-
ଧରା ପଡ଼ିଥିବା ନେତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପରାଜୟ ନିଶ୍ଚିତ ଜାଣି ଦଳୀୟ ନେତାମାନେ ହତାଶ ହୋଇ ପଡ଼ିଛନ୍ତି । ଆଜି ଉପନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ମାଳମାଳ ବିଜେପି ନେତା ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଧରା ପଡ଼ି ହଟହଟା ହୋଇଛନ୍ତି । ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ବ୍ଲକରେ ଥିବା ବିଭିନ୍ନ ବୁଥରେ ବିଜେପି ପକ୍ଷରୁ ଏଭଳି ଟଙ୍କା ବଣ୍ଟା ଯାଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଅପଚେଷ୍ଟା କରାଯାଇଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ୬ଟି ପିଟିସନ୍ ମାଧ୍ୟମରେ ଭୁବନେଶ୍ୱର ସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ପଦ୍ମପୁରସ୍ଥିତ ନିର୍ବାଚନ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଯିବା ସହ ପ୍ରମାଣ ସ୍ୱରୂପ ବିଭିନ୍ନ ସ୍ଥାନରେ ଟଙ୍କା ବଣ୍ଟା ହେଉଥିବା ଭିଡିଓ କ୍ଲିପ୍ ଓ ଫଟୋ ଦାଖଲ କରାଯାଇଛି । ଏହାଛଡ଼ା ଟଙ୍କା ବାଣ୍ଟୁଥିବାବେଳେ ଧରା ପଡ଼ିଥିବା ବିଜେପି ନେତାମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଛି ।
ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି ବିଜେପି କୃଷକ ମୋର୍ଚ୍ଚାର ନେତା ସୁଧୀର ପାଟ୍ଟଯୋଶୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ଲାଗି ପାଇକମାଳ ବ୍ଲକ୍ କେଛୋଦାଦର ପଞ୍ଚାୟତ ଛେଲିଆମାଲ ଗାଁରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଧରା ପଡ଼ିଥିଲେ । ଏ ନେଇ ନିର୍ବାଚନ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ନିକଟରେ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ଏହାର ପ୍ରମାଣ ସ୍ୱରୂପ ଭିଡିଓ କ୍ଲିପ୍ ଦାଖଲ କରାଯାଇଥିଲା ।
ଅନ୍ୟପକ୍ଷରେ ପାକଇମାଳ ବ୍ଲକ୍ ବିଜାଡିହି ଗାଁରେ ଅର୍ଗସ୍ ରିପୋର୍ଟର ସନ୍ତୋଷ ଜେନା କିଛି ଗ୍ରାମବାସୀଙ୍କୁ ଟଙ୍କା ଦେଇ ଏହା ବିଜେଡି ଦେଇଛି ବୋଲି କ୍ୟାମେରା ସାମ୍ନାରେ କହିବାକୁ ଉସୁକାଉଥିଲେ । ଏପରିକି ଯେଉଁମାନେ କ୍ୟାମେରା ଆଗରେ ଏଭଳି ମିଛ କହିବାକୁ ରାଜି ହେଉନଥିଲେ ଶ୍ରୀ ଜେନା ସେମାନଙ୍କୁ ଧମକଚମକ ଦେଉଥିଲେ । ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଯିବା ସହ ପ୍ରମାଣ ସ୍ୱରୂପ ଭିଡିଓ କ୍ଲିପ୍ ଦାଖଲ କରାଯାଇଥିଲା ଏବଂ ସଂପୃକ୍ତ ରିପୋର୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ଅନ୍ୟପକ୍ଷରେ ପଦ୍ମପୁର ଏନ୍ଏସିର ୨ ନମ୍ବର ୱାର୍ଡ଼ରେ ଥିବା ଚନ୍ଦ୍ରାବତୀ ସ୍କୁଲ ବୁଥରେ ଆଜି ମତଦାନ ଚାଲିଥିବା ବେଳେ ବିଜେପି କାଉନସିଲର ଚିନ୍ମୟ ପଣ୍ଡା ଧାଡ଼ିରେ ଥିବା କିଛି ମହିଳା ଭୋଟରଙ୍କୁ ଟଙ୍କା ଦେଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ପାଇଁ କହିଥିଲେ । ଏ ବିଷୟ ଜାଣିବା ପରେ ସଂପୃକ୍ତ ମହିଳାଙ୍କ ସମ୍ପର୍କୀୟମାନେ ସେଠାରେ ପହଞ୍ଚି କାଉନସିଲର ଶ୍ରୀ ପଣ୍ଡାଙ୍କୁ ପଚରାଉଚରା କରିବାରୁ ସେ ଅପ୍ରସ୍ତୁତ ହୋଇ ପଡ଼ିଥିଲେ । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖା ଦେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ପଣ୍ଡାଙ୍କୁ ଗାଡ଼ିରେ ବସାଇ ନେଇ ଯାଇଥିଲା । ତେଣୁ ଏ ବିଷୟରେ ମଧ୍ୟ ବିଜେଡି ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଶ୍ରୀ ପଣ୍ଡାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
କେବଳ ସେତିକି ନୁହେଁ, ଆଦର୍ଶ ନିର୍ବାଚନ ଆଚରଣ ବିଧି ଅନୁଯାୟୀ ୩ ତାରିଖ ଅପରାହ୍ଣ ୪ଟାରୁ ନିର୍ବାଚନ ମଣ୍ଡଳୀ ବାହାରର ନେତାମାନଙ୍କୁ ପଦ୍ମପୁର ଛାଡ଼ିବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଥିଲେ ହେଁ ଆଜି ମତଦାନ ଚାଲିଥିବା ବେଳେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ପାଟଣାଗଡ଼ ଓ କଣ୍ଟାବାଞ୍ଜିର କିଛି ବିଜେପି ନେତାଙ୍କୁ ନେଇ ପଦ୍ମପୁର ବ୍ଲକ୍ର ଦହିତା, ବୁଡେନ ଓ ଦହିଗାଁ ପଞ୍ଚାୟତରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଦେଖିବାକୁ ମିଳିଥିଲା । ବିଜେଡି ପକ୍ଷରୁ ପଦ୍ମପୁର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନିକଟରେ ଏହାର ପ୍ରମାଣ ଭାବେ ଭିଡିଓ ଓ ଫଟୋ ଦାଖଲ କରାଯିବା ସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।