ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ପାରଳାଖେମୁଣ୍ଡି ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଆଦର୍ଶ ଦାସ , ଶ୍ରୀଯୁକ୍ତ ସାଧକ କାର୍ଜି , ଓଡ଼ିଶା ବିକଳାଙ୍ଗ ମଞ୍ଚ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ବେହେରା ରହିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ମୁଖ୍ୟ ବକ୍ତା ଭାବେ ମଞ୍ଚାସୀନ ଥିଲେ।
ମୁଖ୍ୟ ଅତିଥିଙ୍କ ଅଭିଭାଷଣରେ କହିଥିଲେ ଯେ ଗଜପତି ଜିଲ୍ଲାର ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ଜିଲ୍ଲା ପ୍ରଶାସନ ସହଯୋଗକରି ଆସୁଅଛି , ଆଗକୁ ମଧ୍ୟ ସହଯୋଗ କରିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଛନ୍ତି। ଜିଲ୍ଲାରେ ୨ ଗୋଟି ବେସରକାରୀ ସଂସ୍ଥା ଦ୍ଵାରା ପରିଚାଳିତ ସ୍ଵତନ୍ତ୍ର ବିଦ୍ୟାଳୟର ବ୍ୟବସ୍ଥା କରାଯାଇଅଛି, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟି ହୀନ ଓ ମୁକବଧିର ବିଦ୍ୟାଳୟ ,ମୋହନା ଓ ମାନସିକ ଅନଗ୍ରସର ନିମନ୍ତେ "ନିୟତି" ରଣୀପେଣ୍ଠ ଠାରେ ରହିଅଛି, ଏହି ଦୁଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାରୀ ଓ ବେସରକାରୀ ପ୍ରଚେଷ୍ଟା ଜାରି ରହିଛି। ଜିଲ୍ଲାରେ ୨୦୧୧ ଜନଗଣନା ଅନୁଯାୟୀ ମୋଟ ୧୬୪୩୩ ଜଣ ଭିନ୍ନକ୍ଷମ ହିତାଧିକାରୀ ଅଛନ୍ତି ସେଥିମଧ୍ୟରୁ ସ୍ଵତନ୍ତ୍ର ଶିବିର ମାନ କରାଯାଇ ସର୍ବମୋଟ ୧୬୩୨୯ ୟୁ ଡି ଆଇ ଡି (UDID) ପ୍ରଦାନ କରାଯାଇଛି ଓ ବର୍ତ୍ତମାନ ସୁଦ୍ଧା ୯୦୯ ଜଣଙ୍କର ପାଇବାକୁ ବାକି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।
ଚଳିତ ୨୦୨୨-୨୩ ବର୍ଷରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବାଣିଶ୍ରୀ ବିଧ୍ୟାବୃତ୍ତି-୩୭୩ ଜଣ , ବୈବାହିକ ପ୍ରୋତ୍ସାହନ ରାଶି-୯ ଜଣ , ଇନ୍ଦିରା ଆବାସ ବାସଗୃହ-୩୫ , ମଧୁବାବୁ ପେନସନ ଯୋଜନାରେ- ୧୨୨୯୯ ଜଣ , ଇନ୍ଦିରା ପେନସନ ଯୋଜନାରେ-୧୪୫୦ , ଡି.ଆର୍.ଆଇ (D.R.I) ଋଣ-୨୫ ଇତ୍ୟାଦି ବିଭିନ୍ନ ଯୋଜନା ମଧ୍ୟମରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଜୁଡିସିଆଲ ସର୍ଭିସ୍ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ବ୍ୟକ୍ତି କୃତ କାର୍ଯ୍ୟ ହୋଇଥିବା ଶ୍ରୀ ସାଧକ କାର୍ଜୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ମିସ ସରୋଜିନୀ ରାଇତ , ସିପୂରପିଲି ସିମଞ୍ଚଲମ୍ , ସନ୍ତୋଷ ରଇତଙ୍କୁ ଭଲ କର୍ମଚାରୀ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଓଡ଼ିଶା ବ୍ଲାଇଣ୍ଡ ଫାଉଣ୍ଡେସନ ତରଫରୁ ଶକ୍ତିମାନ ପରିଚ୍ଛା ଓ ମନୋଜ କୁମାର ସାହୁଙ୍କୁ ଦୁଇ ହଜାର ଟଙ୍କା ଲେଖଏଁ ପ୍ରଦାନ କରାଯାଇଛି।
କେ.ଉଦୟ କୁମାର , ଜୟନ୍ତିରାଣୀ ପାତ୍ର , ଏନ୍. ରାଜକୁମାର , କେ.ପଞ୍ଚମା ଓ ନରସିଂହ ଦାସଙ୍କୁ ନୂଆରେ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ବରା ପୁରସ୍କାର ପ୍ରଦାନ କରାଯାଇଥିଲା।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଉଛକିତା ବଡରଇତ , ଏ.ଜଗନ୍ନାଥ ରାଜୁଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ , ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
- Hits: 505