-
ମାଗଣା ଜମି ଓ ୩୦୦ କୋଟି ଟଙ୍କା ପାଇବା ପରେ ପୁଣି ସର୍ଭେ କଥା କହୁଛି ରେଳବାଇ
-
ସର୍ଭେ ବଦଳରେ ପ୍ରକଳ୍ପ କାମ ଆରମ୍ଭ କରିବାକୁ ବିଜେଡିର ଦାବି
-
ଫସଲବୀମା ଭଳି ରେଳ ପ୍ରକଳ୍ପ ପାଇଁ ଆନ୍ଦୋଳନ କରିବାକୁ ବିଜେଡିର ଚେତାବନୀ
ଭୁବନେଶ୍ୱର: ରେଳମନ୍ତ୍ରୀଙ୍କ ଚିଠିରୁ ପ୍ରମାଣିତ ହୋଇଛି ଯେ ପଦମପୁର ଦେଇ ବରଗଡ-ନୂଆପଡାକୁ ପ୍ରସ୍ତାବିତ ରେଳଲାଇନ୍ ୨୦୧୮ରେ ମଞ୍ଜୁର ହୋଇନଥିଲା । ଏଭଳି ଭୁଲ୍ ସୂଚନା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ଓ ରେଳମନ୍ତ୍ରୀଙ୍କ ଚିଠିରୁ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାର ମାଗଣାରେ ସମସ୍ତ ଜମି ଏବଂ ୩୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଦେବାକୁ ସମ୍ମତି ପ୍ରଦାନ କରିବା ପରେ ରେଳବାଇ କାର୍ଯ୍ୟ କରିବା ପରିବର୍ତ୍ତେ ପୁଣିଥରେ ସର୍ଭେ କରିବାକୁ କହିଛି ।ଏହା ଗ୍ରହଣୀୟ ନୁହେଁ ଏବଂ ଏଥିରୁ ଜଣାପଡୁଛି ଯେ ରେଳବାଇ ନିଜେ ଓଡିଶାରେ କୌଣସି ପ୍ରକଳ୍ପ କରିବାକୁ ଚାହୁଁନାହିଁ ।
ଓଆରଆଇଡିଏଲ୍ ଏକ କମ୍ପାନୀ ଏବଂ ଏହା ବ୍ୟାଙ୍କଗୁଡିକରୁ ଟଙ୍କା ସଂଗ୍ରହ କରି ପ୍ରକଳ୍ପଗୁଡିକ କରିପାରିବ । ଏହି ପ୍ରକଳ୍ପ ଲାଭଦାୟକ ନୁହେଁ ଏହା କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ୨୦୧୯ ରେଳବାଇ ଯେଉଁ ଚିଠି ଲେଖିଥିଲା ତାହାକୁ ଦେଖିବା ପରେ କେଉଁ ବ୍ୟାଙ୍କ ଟଙ୍କା ଦେବ? ବ୍ୟାଙ୍କଗୁଡିକ ବ୍ୟବସାୟିକ ଉଦ୍ୟୋଗ ପାଇଁ ପାଣ୍ଠି ଯୋଗାନ୍ତି ଯେତେବେଳେ ବିନିଯୋଗରୁ ଲାଭ ମିଳିବାର ଥାଏ । ଯେହେତୁ ରେଳ ମନ୍ତ୍ରଣାଳୟର ଚିଠିରେ ଦର୍ଶାଯାଇଛି ଯେ ପଦମପୁର ରେଳଲାଇନ ଅସମ୍ଭବ, ତେଣୁ କୌଣସି ବ୍ୟାଙ୍କ ଓଆରଆଇଡିଏଲ୍ ପରି କମ୍ପାନୀକୁ ଏହି ପ୍ରକଳ୍ପ ପାଇଁ ଋଣ ପ୍ରଦାନ କରିବେ ନାହିଁ । ରେଳବାଇ କାହିଁକି ପଦମପୁରର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଉ ନାହିଁ ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।
ବିଜେପି କେବଳ କଥା କହୁଛି ହେଲେ ଏହି ପ୍ରକଳ୍ପକୁ ମଞ୍ଜୁର କରିବାକୁ ସେମାନଙ୍କର ଉଦ୍ଦେଶ୍ୟ ନାହିଁ । ଆମେ ନୀତିଗତ ଅନୁମୋଦନ, ସର୍ବେକ୍ଷଣ ଇତ୍ୟାଦି ଚାହୁଁନାହୁଁ । ଆମେ ଚାହୁଁଛୁ ରେଳବାଇ ଦ୍ୱାରା ଏହି ପ୍ରକଳ୍ପ ମଞ୍ଜୁର କରାଯାଉ ଏବଂ ମାଗଣା ଜମି ଏବଂ ରାଜ୍ୟ ସରକାର ଯୋଗାଇଥିବା ୩୦୦ କୋଟି ଟଙ୍କା ସହାୟତାରେ ନିର୍ମାଣ କରାଯାଉ ବୋଲି ଡକ୍ଟର ପାତ୍ର କହିବା ସହିତ ୨୦୧୮ରୁ ଆଜି ପର୍ଯ୍ୟନ୍ତ ଏହି ରେଳଲାଇନ୍କୁ ମଞ୍ଜୁରୀ ମିଳିଥିବା ଭଳି ସୂଚନା ଦେଇ ରେଳବାଇ ଯେଭଳି ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛି ସେଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି ।
ରେଳବାଇ ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡିଶାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନେଇଛି ଏବଂ ସେମାନେ ନେଇଥିବା ୧ ଲକ୍ଷ କୋଟିର ୨୦% ମଧ୍ୟ ଦେଇନାହାନ୍ତି । ସମୟ ଆସିଛି, ଓଡିଶା ରେଳବାଇରୁ ତାହାର ଉପଯୁକ୍ତ ଅଂଶ ପାଇବା ଉଚିତ ଯେଉଁଥିରେ ଓଡିଶାର ଢେର ଯୋଗଦାନ ରହିଛି ।
ବିଜେଡିର ଆନ୍ଦୋଳନ ଏବଂ ଚାପ ପରେ କେନ୍ଦ୍ର ବରଗଡ ଏବଂ ପଦମପୁରର ଚାଷୀଙ୍କୁ ଫସଲ ବୀମା ଦେୟ ପ୍ରଦାନ କରିଛି । ବିଜେପି କ’ଣ ଚାହୁଁଛକି ପଦମପୁରବାସୀଙ୍କ ସ୍ୱାର୍ଥ ପାଇଁ ପଦମପୁର ରେଳ ପ୍ରକଳ୍ପ ମଞ୍ଜୁର କରିବାକୁ ବିଜୁ ଜନତା ଦଳ ପୁନର୍ବାର ଆନ୍ଦୋଳନ ଆରମ୍ଭ କରୁ? ପଦମପୁର ଏବଂ ଓଡିଶାବାସୀଙ୍କ ପାଇଁ କେନ୍ଦ୍ର କାହିଁକି ଏଭଳି ଅବହେଳା ମନୋଭାବ ପୋଷଣ କରୁଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।