ଦୀର୍ଘ ସମୟ ପ୍ରଶାସନ ବୁଝାସୁଝା ପରେ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ତହସିଲ ସୁକରପଡ଼ା ଦେଓପୋଖରୀ ଗ୍ରାମ୍ୟ ଶ୍ମଶାନରୁ ଶହ ଶହ ଟ୍ରିପ୍ ଚୋରା ମାଟି ଚାଲାଣ ହୋଇଥିଲା । ଏହାର ପ୍ରତିବାଦରେ ସୁକରପଡ଼ା ଗ୍ରାମବାସୀବୃନ୍ଦ ସୁକରପଡ଼ା ବଜାର ନିକଟରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଟାୟାର ଜାଳି ଧାରଣାରେ ବସିଥିଲେ । ଯାହାଫଳରେ ବହୁ ସମୟ ଧରି ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା । ତେବେ ସୁକରପଡ଼ା ଦେଓପୋଖରୀ ହୁଡ଼ାରୁ ଦୁବୁର୍ତ ମାନେ ଜେସିବି ଓ ଟ୍ରାକ୍ଟର ଦ୍ୱାରା ଶହ ଶହ ଟ୍ରିପ୍ ମାଟି ଚୋରା ଚାଲାଣ କରିଥିଲେ । ଫଳରେ ଗ୍ରାମବାସୀଙ୍କ ଶ୍ମଶାନ ଜମି ବିଲୁପ୍ତ ହୋଇଥିଲା । ଏ ସମ୍ପର୍କରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଚୁପ୍ ବସିଥିଲା । ତେବେ ଯେଉଁ ବ୍ୟକ୍ତିମାନେ ଏହି ମାଟି ଚାଲାଣ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡ୍ଡା କାର୍ଯ୍ୟାନୁଷ୍ଠାନ ସହ ମାଟି ଉଠାଯାଇଥିବା ଜାଗାକୁ ଫୁଣି ଆଗ ଭଳି ମାଟି ପକାଇ ସମାନ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଥିଲେ । ତେବେ ପ୍ରଶାସନର ଦାୟିତ୍ୱହୀନତା ପାଇଁ ଏହି ହୁଡ଼ାରେ ଗୋ-ଚାଲାଣ ଠାରୁ ଆରମ୍ଭ କରି ମାଟି ଉଠାଣ ମଧ୍ୟ ଚାଲିଲାଣି ଯାହାକୁ ସାଧାରଣରେ ତୀବ୍ର ବିରୋଧ କରାଯାଇଛି । ଏହାର ପ୍ରତିବାଦରେ ସୁକରପଡ଼ା ଗ୍ରାମବାସୀମନେ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ତହସିଲଦାର ଦିଲ୍ଲିପ କୁମାର ନାୟକ , ଆଇଆଇସି ଚିନ୍ମୟୀ ସାହୁ ପହଂଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକ ବହୁତ ସମୟ ପର୍ଯ୍ୟନ୍ତ ଚାଲିଥିଲା । ତେବେ ପ୍ରଶାସନ ତରଫରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହୋଇଥିଲା । ନଚେତ୍ ସ୍ଥାନୀୟ ଗ୍ରାମବାସୀମାନେ ଆନ୍ଦୋଳନ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ତେବେ ବହୁ ସମୟ ପ୍ରଶାସନ ପହଂଚି ବୁଝାସୁଝା କଲାପରେ ଚୋରା ମାଟି ଚାଲାଣକାରୀଙ୍କୁ ଧରିବା ସହ ହୁଡ଼ାରୁ ଉଠିଥିବା ମାଟିକୁ ଫୁଣି ସେଠାରେ ପକାଇ ସମାନ କରିବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଲାପରେ ଗ୍ରାମବାସୀମାନେ ଧାରଣାରୁ ଉଠିଥିଲେ ।