ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାର ସୁରକ୍ଷା ଓ ଭାଷାଜ୍ଞାନର ଅଭିବୃଦ୍ଧି ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଓଡିଆ ଭାଷାପ୍ରତିଷ୍ଠାନ ଏବଂ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ଭାଷା ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଭାଷା ପାଠଚକ୍ର ଆଜି ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନଉଦ୍ଘାଟନକରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ଭାଷାତତ୍ତ୍ୱବିଦ୍ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନରେ ଢେଙ୍କାନାଳ ଜିଲ୍ଲାର ସାହିତ୍ୟ ସାଧକମାନଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ସାହିତ୍ୟିକ ଡଃ. ବିଜୟାନନ୍ଦ ସିଂ ଓ ଶ୍ରୀ ପ୍ରଭାତ କୁମାର ନନ୍ଦ ଯୋଗଦେଇ ଓଡିଆ ସାହିତ୍ୟରେ ସ୍ୱାଧୀନତା ଆନ୍ଦୋଳନର ସ୍ୱର ସଂପର୍କରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ ଓଡିଆ ଭାଷା ପ୍ରତିଷ୍ଠାନ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇଆମ ମାତୃଭାଷା ଓଡିଆକୁ ଆମେ ସମସ୍ତେ ଭଲ ପାଇବା ଏବଂ ଏହାର ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଯତ୍ନବାନ ହେବା ସହିତ ଓଡିଆ ଭାଷାଜ୍ଞାନର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କହିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିବା ବେଳେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ପାଠଚକ୍ରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିଥିଲେ ।
ଏହି ଅବସରରେଆୟୋଜିତ ଓଡିଆ ପ୍ରବନ୍ଧ, ତର୍କ ଓ ଭାଷା ଶୁଦ୍ଧି ପ୍ରତିଯୋଗିତାର କୃତି ପ୍ରତିଯୋଗୀ -ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡିଆ ଭାଷା, ସାହିତ୍ୟ ବିଭାଗର ମୁଖ୍ୟ ଶ୍ରୀ ଶୁଭକାନ୍ତ ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।