-
ବିଭାଗର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରିବା ଉପରେ ଗୁରୁତ୍ୱ
-
ବିଭାଗ ଅନ୍ତର୍ଗତ ବିଭିନ୍ନ ଶାଖାର ଉନ୍ନତି ଓ କ୍ରିୟାଶୀଳତାକୁ ଦୃଷ୍ଟି ଦିଆଯିବ ।
ଭୁବନେଶ୍ୱର: ଆମେ ସମସ୍ତେ ଆମର ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଇବା ଆବଶ୍ୟକ । ଓଡିଶାର ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବା ସହ ବିଭାଗର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରାଯିବା ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯିବାକୁ ବିଭାଗରେ ନୂତନ ଭାବେ ଯୋଗଦାନ କରିଥିବା ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଏ ସଂପର୍କରେ ସେ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶଦେଇଛନ୍ତି ।ଆଜି ପୂର୍ବାହ୍ଣରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ସାହୁ କାର୍ଯ୍ୟାଳୟରେ ପହଁଚିବା ପରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସଙ୍କ ସମେତ ବିଭାଗ ଅନ୍ତର୍ଗତ ବିଭିନ୍ନ ଶାଖାର ମୁଖ୍ୟମାନେ ଯୋଗଦେଇ ଶ୍ରୀ ସାହୁଙ୍କୁ ସ୍ୱାଗତ କରିଥିଲେ ।
ପରେ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବିଭାଗର ବିଭିନ୍ନ ଶାଖାର କାର୍ଯ୍ୟାବଳୀ ସଂପର୍କରେ ଏକ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିଭାଗକୁ ଅଧିକ ଚଳ ଚଂଚଳ କରିବା ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଷ୍ଠାର ସହିତ କାର୍ଯ୍ୟ ସଂପାଦନ କରିବା, ଯେଉଁ ଦିନର କାମକୁ ସେହି ଦିନ ସାରିବା, ସମସ୍ତେ ଦାୟିତ୍ୱ ସଂପନ୍ନ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି । ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସମସ୍ତଙ୍କ ସମ୍ମିଳିତ ପ୍ରୟାସରେ ବିଭାଗର ଉନ୍ନତିକୁ ଆହୁରି ଆଗକୁ ନେବାକୁ ଶ୍ରୀ ସାହୁ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ସହଯୋଗ କାମନା କରିଥିଲେ ।
ବୈଠକରୁ ଜଣାପଡିଛି ଯେ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ୫୦ହଜାର ହିତାଧିକାରୀଙ୍କ ମଧ୍ୟରୁ ଏବେ ୩୪ ହଜାର ହିତାଧିକାରୀ ସହାୟତା ପାଉଛନ୍ତି, ଯେଉଁମାନଙ୍କୁ କି ଅନ୍ ଲାଇନ୍ ଯୋଗେ ସେମାନଙ୍କର ବ୍ୟାଙ୍କ ଜମାଖାତାକୁ ଅର୍ଥ ପ୍ରେରଣର ବ୍ୟବସ୍ଥା ହୋଇଛି । ତେବେ ଚୟନ ହୋଇଥିବା ଅବଶିଷ୍ଟ ପ୍ରାୟ ୧୬ ହଜାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ପାଇଁ ତ୍ୱରିତ ବ୍ୟବସ୍ଥା ଗ୍ରହଣକରାଯିବାକୁ ନେବାକୁ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ । ବୈଠକରେ ବିଭାଗରେ ଲାଗୁ କରାଯାଇଥିବା ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂପର୍କରେ ଅବଗତ ହୋଇଥିଲେ ।
ବିଭାଗର ବିଭିନ୍ନ ଶାଖା ଯଥା, ଓଡିଶା ସଂଗୀତ ନାଟକ ଏକାଡେମୀ, ଲଳିତ କଳା ଏକାଡେମୀ, ଊର୍ଦ୍ଦୁ ଏକାଡେମୀ, ରାଜ୍ୟ ସଂଗ୍ରହାଳୟ, ଉତ୍କଳ ସଂଗୀତ ମହାବିଦ୍ୟାଳୟ,ଓଡିଶା ସାହିତ୍ୟ ଏକାଡେମୀ, ଓଡିଆ ଭାଷା ପ୍ରତିଷ୍ଠାନ, କଳିଙ୍ଗ ଆର୍ଟ ଗ୍ୟାଲେରୀ, ଖଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଭୁବନେଶ୍ୱରସ୍ଥିତ ବିଭୁତି କାନୁନଗୋ କଳା ଓ ଶିଳ୍ପ ମହାବିଦ୍ୟାଳୟ, ଓଡିଶା ରାଜ୍ୟ ଅଭିଲେଖାଗାର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଆଦି ବିଭିନ୍ନ ଶାଖାର କାର୍ଯ୍ୟାବଳୀ ଓ ସେଗୁଡିକର ଅଧିକ ଉନ୍ନତିକରଣ ଯୋଜନା ସମେତ ଓଡିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ଜରିଆରେ ପୁରାତନ କୀର୍ତ୍ତୀରାଜିର ସଂରକ୍ଷଣକୁ ସେ ଗୁରୁତ୍ୱ ଦେଇଥିଲେ ।କୋଭିଡ୍ କଟକଣା ପରିପ୍ରେକ୍ଷୀରେ ୨୦୧୭ ମସିହାରୁ ବଣ୍ଟନ କରାଯାଇପାରିନଥିବା ବିଭିନ୍ନ ଲେଖକ ଲେଖିକାମାନଙ୍କର ପ୍ରକାଶିତ ପୁସ୍ତକଗୁଡିକୁକାର୍ଯ୍ୟକ୍ଷମ ଥିବା ପଂଜୀକୃତ ପାଠାଗାରଗୁଡିକୁ ଶୀଘ୍ର ପଦକ୍ଷେପ ନିଆଯାଇ ବଣ୍ଟନ କରାଯିବା ପାଇଁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତେ ସମ୍ମିଳିତ ପ୍ରଚେଷ୍ଟା ପୂର୍ବକ ବିଭାଗର କାର୍ଯ୍ୟକୁ ଅଧିକ ଚଳ ଚଂଚଳ କରି ବିଭାଗର ସୁନାମ ବଜାୟ ରଖିବାକୁ ଶ୍ରୀ ସାହୁ ବୈଠକରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟଙ୍କ ସମେତ ବିଭାଗ ଅନ୍ତର୍ଗତ ବିଭିନ୍ନ ଶାଖାର ମୁଖ୍ୟମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଶ୍ରୀ ସାହୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ଦାୟିତ୍ୱରେ ଥାଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।