-
ଧାମନଗରରେ ପରାଜୟ ଭୟରେ ବାଉଳି ଚାଉଳି ହେଉଛି ବିଜେପି ।
-
ପୁଣିଥରେ ପ୍ରମାଣ ନଥାଇ ବିଜେଡ଼ି ବିରୋଧରେ ମନଗଢ଼ା ଅଭିଯୋଗ ଆଣିଲେ ।
-
ହତୋତ୍ସାହିତ ହୋଇ ଏବେ ମିଛ ଅଡ଼ିଓର ସାହାରା ନେଉଛନ୍ତି ।
-
ପୂର୍ବରୁ ଏସ୍ଏଚ୍ଜି ମା’ମାନଙ୍କୁ ବଦନାମ କରିବା ଚାଲ ଫେଲ୍ ମାରିଥିଲା ।
ଭଦ୍ରକ: ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ନିଶ୍ଚିତ ବୋଲି ଜାଣିଯିବା ପରେ ରାଜ୍ୟ ବିଜେପି ନେତାଙ୍କ ମୁଣ୍ଡ କାମ କରୁନାହିଁ । ସେମାନେ ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ବାଉଳି ଚାଉଳି ହେଉଛନ୍ତି । ଜଣେ ମହିଳାଙ୍କ ମୁହଁ ଢାଙ୍କି ଟଙ୍କା ବଣ୍ଟା କରାଇବାର ଭିଡ଼ିଓ ଛାଡ଼ି ଏସ୍ଏଚ୍ଜି ମା’ମାନଙ୍କୁ ବଦନାମ କରିବାକୁ ବିଜେପି ଯେଉଁ କୁତ୍ସିତ ଚାଲ ଖେଳିଥିଲା ତାହା ବିଫଳ ହୋଇଯିବା ପରେ ଏବେ ସୋସିଆଲ ମିଡ଼ିଆରେ ଏକ ମିଥ୍ୟା ଅଡ଼ିଓ ଛାଡ଼ିଛନ୍ତି ଏବଂ କିଛି ପ୍ରମାଣ ନଥାଇ ଏଥିପାଇଁ ବିଜେଡ଼ିକୁ ଦାୟୀ କରିବାକୁ ଅପଚେଷ୍ଟା କରିଛନ୍ତି । ବିଜେଡ଼ି ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ‘ଚୋରି କରି ମୁହଁ ଟାଣ’ ଦେଖାଇବା ବିଜେପିର ପୁରୁଣା ଅଭ୍ୟାସ ବୋଲି କୁହାଯାଇଛି ।
ବିଜୁ ଜନତା ଦଳ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଧାମନଗର ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ଶିବିର ସେତେ ହତୋତ୍ସାହିତ ହେବାରେ ଲାଗିଛି । ବିଜେପିକୁ ହାରିବା ଭୟ ଏତେ ଘାରିଛି ଯେ ସେମାନେ ଗୋଟିଏ ପରେ ଗୋଟିଏ ଭୁଲ୍ କରିଚାଲିଛନ୍ତି ।
ରାଜ୍ୟ ବିଜେପି ନେତୃବୃନ୍ଦ ପୁଣିଥରେ ସୋସିଆଲ ମିଡ଼ିଆରେ ନିଜ ହାତ ତିଆରି ଏକ ଅଡ଼ିଓ ଛାଡ଼ି ବିଜେଡ଼ି ବିରୋଧରେ ସାଇବର ଥାନାରେ ହାସ୍ୟାସ୍ପଦ ଅଭିଯୋଗ ଆଣିଛନ୍ତି । କିଛି ପ୍ରମାଣ ନଥାଇ ସେମାନେ ବିଜେଡ଼ି ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବାରୁ ବିଜେପି ଏବେଠୁ କେତେ ହତାଶ ହୋଇପଡ଼ିଲାଣି ତାହା ବୁଝି ହେଉଛି । ବାରମ୍ବାର ଏଭଳି କପୋଳକଳ୍ପିତ ମିଛ ଅଡ଼ିଓ କିଏ ତିଆରି କରିଛି ଏବଂ ପ୍ରରୋଚନାରେ ତିଆରି ହୋଇଛି ତାହା ସ୍ପଷ୍ଟ ଜଣାପଡ଼ି ଯାଉଛି । ତେଣୁ ଲୋକଙ୍କୁ ଅଯଥାରେ ବିଭ୍ରାନ୍ତ ନ କରି ଯଦି ସତସାହାସ ଅଛି ତେବେ ବିଜେପି ନେତାମାନେ ଏଥିରେ ବିଜେଡ଼ିର କଥିତ ସମ୍ପୃକ୍ତି ନେଇ ପ୍ରମାଣ ଦିଅନ୍ତୁ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ ପରଠୁ ରାଜ୍ୟରେ ଯେତୋଟି ଉପନିର୍ବାଚନ ହୋଇଛି, ସବୁଥିରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ବଡ଼ ବ୍ୟବଧାନରେ ହରାଇଛନ୍ତି । ଏପରିକି ପୂର୍ବରୁ ବିଜେପି ଦଖଲରେ ଥିବା ବାଲେଶ୍ୱର ସଦର ଆସନକୁ ମଧ୍ୟ ଉପନିର୍ବାଚନରେ ଆମ ଦଳ ବିଜେପି ହାତରୁ ଛଡ଼ାଇ ଆଣିଛି । ତେଣୁ ଧାମନଗରରେ ମଧ୍ୟ ସମାନ ଫଳାଫଳ ହେବାକୁ ଯାଉଥିବା ଜାଣିପାରି ରାଜ୍ୟ ବିଜେପି ନେତୃବୃନ୍ଦ ହତାଶ ହୋଇ ବିଜେଡ଼ି ବିରୋଧରେ ଏଭଳି ଗୋଟିଏ ପରେ ଗୋଟିଏ ମିଥ୍ୟା, କପୋଳକଳ୍ପିତ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଆଣିବାରେ ଲାଗିଛନ୍ତି । ଆଗାମୀ ୩ ତାରିଖରେ ଧାମନଗରବାସୀ ବିଜେପିର ଏଭଳି ହୀନ ରାଜନୀତିର ଉଚିତ୍ ଜବାବ ଦେବେ ।
ଅପରପକ୍ଷରେ ଧାମନଗରରେ ମହିଳା ମାନଙ୍କୁ ବିଜେପି କର୍ମୀ ଓ ନେତାମାନେ ଲଗାତାର ଭାବେ ଅପମାନିତ କରିଚାଲିଥିବା ବେଳେ ଏବେ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଛନ୍ତି | ତେଣୁ ମୁକ୍ତ ଅବାଧ ନିର୍ବାଚନ ପାଇଁ ଏଥିରେ ହସ୍ତକ୍ଷେପ କରିବା ଲାଗି ଆଜି ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି |