-
ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରୁଛି ବିଜେପି
-
ନିର୍ବାଚନ ହାରିଯିବା ଭୟରେ ବ୍ୟାପକ ଭାବେ ଟଙ୍କା ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ।
ନୂଆଦିଲ୍ଲୀ: ଧାମନଗର ଉପନିର୍ବାଚନରେ ବିଜେପି ଅନୈତିକ କାର୍ଯ୍ୟ କରୁଛି । ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ସ୍ଥାନୀୟ ପୋଲିସ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବିଜେପି ନେତା ଓ କର୍ମୀ । ଯାହା ଦ୍ବାରା ନିରପେକ୍ଷ ନିର୍ବାଚନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏମିତି ଏକାଧିକ ଅଭିଯୋଗ ଆଣି ଆଜି ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିଛି ବିଜେଡିର ଏକ ପ୍ରତିନିଧି ଦଳ । ନିଜ ଦାବିପତ୍ରରେ ବିଜେଡି ପ୍ରତିନିଧି ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି । ବିଜେଡି ଅଭିଯୋଗ କରିଛି ରାଜ୍ୟର ସ୍ବଂୟ ସହାୟିକା ଗୋଷ୍ଠୀ (Self Helf Groups) ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରୁଛି ବିଜେପି । ନିର୍ବାଚନ ହାରିଯିବା ଭୟରେ ବ୍ୟାପକ ଭାବେ ଟଙ୍କା ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ।
ଏହାସହ ପୋଲିସ ପ୍ରଶାସନ ବିରୋଧରେ ମିଛ ଅଭିଯୋଗ ଆଣି ଚାପ ସୃଷ୍ଟି କରିବାକୁ ଉଦ୍ୟମ ହେଉଥିବା ବିଜେଡି ନିଜ ଦାବିପତ୍ରରେ ଦର୍ଶାଇଛି । ଟଙ୍କା ବାଣ୍ଟି ନିର୍ବାଚନ ଜିତିବାକୁ ରାଜ୍ୟ ବିଜେପି ନେତା ଉଦ୍ୟମ କରୁଛନ୍ତି । ତୁରନ୍ତ ଏହି ସବୁ କାମରୁ ନିବୃତ୍ତ ରହିବା ପାଇଁ ବିଜେପିକୁ କଡା ନିର୍ଦ୍ଦେଶ ଦେବାସହ ଭୟମୁକ୍ତ ସ୍ବଚ୍ଛ ନିରପେକ୍ଷ ନିର୍ବାଚନ କରାଇବାକୁ ବିଜୁ ଜନତା ଦଳ ଦାବି କରିଛି ।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିଥିବା ପ୍ରତିନିଧି ମଣ୍ଡଳୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ ଥିଲେ |