ଆମ ଦଳର ପ୍ରାର୍ଥୀ ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ : ମାନସ ମଙ୍ଗରାଜ
ଭଦ୍ରକ/ସତ୍ୟବ୍ରତ ନାୟକ: ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟ ପ୍ରଚାର ଚାଲିଥିବା ବେଳେ ବିଜେପି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜଣେ ମହିଳାଙ୍କ ମୁହଁ ଘୋଡ଼ାଇ ଟଙ୍କା ବଣ୍ଟା କରାଇଥିବା ଆମ ଦୃଷ୍ଟିକୁ ଆସିଛି ।
ଏଭଳି ଷଡ଼ଯନ୍ତ୍ର କରି ବିଜେପି ସ୍ୱାଭିମାନୀ ଧାମନଗର ମାଟିର ଏସ୍ଏଚ୍ଜି ମହିଳାମାନଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛି । ବିଜେପିର ଏହି ଅଭିସନ୍ଧି ମୂଳକ ହୀନ ରାଜନୀତି ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେଡ଼ି ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ବିଜୁ ଜନତା ଦଳ ସବୁବେଳେ ଏସ୍ଏଚ୍ଜିର ମା’ମାନଙ୍କୁ ସମ୍ମାନ କରେ ଏବଂ ସେମାନଙ୍କର ଉନ୍ନତି ଲାଗି ଦିନରାତି କାମ କରିଆସୁଛି । ମା’ମାନେ ମଧ୍ୟ ସବୁ ନିର୍ବାଚନରେ ଆମ ଦଳକୁ ଆଶୀର୍ବାଦ କରିଆସିଛନ୍ତି । ଧାମନଗର ଉପନିର୍ବାଚନରେ ମଧ୍ୟ ଏହା ପୁନର୍ବାର ହେବାକୁ ଯାଉଥିବାରୁ ଏଥିରେ ଆତଙ୍କିତ ହୋଇ ବିଜେପି ଏଭଳି ହୀନ ରାଜନୀତି କରୁଛି । ରାଜନୀତିକୁ ରାଜନୀତି ଭଳି କରାଯାଉ । ବିଜେପି ଏସ୍ଏଚ୍ଜି ମହିଳାମାନଙ୍କୁ ଅପମାନିତ କରି ରାଜନୀତିକୁ କଳୁଷିତ ନ କରୁ । ନଚେତ୍ ଧାମନଗରର ଏସ୍ଏଚ୍ଜି ମା’ମାନେ ହିଁ ଏହି ଉପନିର୍ବାଚନରେ ବିଜେପିକୁ ଉଚିତ୍ ଜବାବ ଦେବେ ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ କହିଛନ୍ତି ଯେ ଧାମନଗରବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସେବା ଓ ବିକାଶଧାରା ସହ ଯୋଡ଼ି ହୋଇ ରହିଛନ୍ତି । ତେଣୁ ସବୁ ନିର୍ବାଚନମଣ୍ଡଳୀ ଭଳି ଏଠି ମଧ୍ୟ ବିକାଶ ସପକ୍ଷରେ ଭୋଟ ପଡ଼ିବ । ଆଉ ଏଠାରେ ଆମ ଦଳର ପ୍ରାର୍ଥୀ ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ ।
ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ ଓ ଅମିତ୍ ମଲ୍ଲିକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।